ଦ. ଆଫ୍ରିକାକୁ ବିଦା କଲା ଡଚ୍ ସେନା
ଟି-୨୦ ବିଶ୍ୱକପ୍
ଆଡିଲେଡ୍, ୬ା୧୧ (ଏଜେନ୍ସି): ରବିବାର ଟି-୨୦ ବିଶ୍ୱକପ୍ ୨୦୨୨ର ସବୁଠାରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଦିନର ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ୍୍ସ ୧୩ ରନ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏହାପରେ ଗ୍ରୁପ୍-୨ର ସମୀକରଣ ବଦଳି ଯାଇଥିଲା । ଭାରତ ସିଧା ସେମିଫାଇନାଲ୍ରେ ପ୍ରବେଶ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ସେମି ଦୌଡ଼ରୁ ବାଦ୍ ପଡ଼ିଥିଲା । ଡଚ୍ ଟିମ୍ର କଲିନ୍ ଆକରମାନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଡଚ୍ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୧୫୮ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ କଲିନ୍ ଆକରମାନ୍ ୨୬ ବଲ୍ରୁ ୪୧ ରନ୍ ଓ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ ୧୨ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଫାନ୍ ମାଇବୁଗ ୩୭, ଟମ୍ କୁପର୍ ୩୫ ଓ ମ୍ୟାକ୍ ଓ’ଡୌଡ଼ ୨୯ ରନ୍ କରିଥିଲେ । ବିପକ୍ଷ ବୋଲର୍ କେଶବ ମହାରାଜ ୨ ଏବଂ ଆନରିଚ୍ ନୋର୍ତଜେ ଓ ଏଡେନ୍ ମାର୍କ୍ରମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ଦକ୍ଷିଣ ଆଫ୍ରିକା ଟିମ୍ ୮ ୱିକେଟ୍ ହରାଇ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ରିଲୀ ରୋସୋ ସର୍ବାଧିକ ୨୫, ହେନରିଚ୍ କ୍ଲାସେନ୍ ୨୧, ଅଧିନାୟକ ତେମ୍ବା ବାଭୁମା ୨୦, ଡେଭିଡ୍ ମିଲର୍ ୧୭ ରନ୍ କରିଥିଲେ । ବିପକ୍ଷ ବୋଲର୍ ବ୍ରାନ୍ଡନ୍ ଗ୍ରୋଭର ୩, ବାସ୍ ଡି ଲୀଡ୍ ଓ ଫ୍ରେଡ୍ କ୍ଲାସେନ୍ ୨ ଲେଖାଏଁ ଏବଂ ପଲ୍ ଭାନ୍ ମୀକେରେନ୍ ଗୋଟିଏ ୱିକେଟ୍ ନେଇଥିଲେ ।