ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା!
ଅର୍ଥମନ୍ତ୍ରୀଙ୍କ ଭାଷଣରୁ ମିଳିଲା ସଂକେତ
ନୂଆଦିଲ୍ଲୀ (ଏଜେନ୍ସି): ଜମ୍ମୁ-କାଶ୍ମୀରକୁ ପୁନର୍ବାର ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦେବା ଦିଗରେ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏମିତି କିଛି ସଂକେତ ଦେଇଛନ୍ତି । ସୀତାରମଣ ସିଧାସଳଖ ଏସମ୍ପର୍କରେ ମନ୍ତବ୍ୟ ଦେଇନଥିଲେ ମଧ୍ୟ ତାଙ୍କ ମନ୍ତବ୍ୟରୁ ଏପ୍ରକାର ପୂର୍ବାନୁମାନ କରାଯାଉଛି ।
କେନ୍ଦ୍ର-ରାଜ୍ୟ ସମ୍ପର୍କ ଆଧାରିତ କୋଅପରେଟିଭ୍ ଫେଡେରଲିଜମ୍: ଦ ପାଥ୍ ଟୁୱାଡର୍୍ସ୍ ଆତ୍ମ ନିର୍ଭର ଭାରତ ନାମକ ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁୂ ଦିଆଯାଉଥିବା ଫଣ୍ଡ୍ ବା ପାଣ୍ଠି ସମ୍ପର୍କରେ ସୂଚନା ଦେବା ଅବସରରେ କହୁକହୁ ଜମ୍ମୁ କାଶ୍ମୀର କଥା କହିଦେଇଥିଲେ । ସେ କହିଥିଲେ ଯେ, ଆଗାମୀ ଦିନରେ ଜମ୍ମୁ-କାଶ୍ମୀର ପୁଣିଥରେ ରାଜ୍ୟ ମାନ୍ୟତା ଫେରିପାଇବା ଅସମ୍ଭବ ନୁହେଁ । ପରେ ସେ ନିଜ ମନ୍ତବ୍ୟକୁ ଠିକ୍ କରିବାକୁ ଯାଇ କହିଥିଲେ ଯେ, ଆଗାମୀ ଦିନରେ ଏପରି ହୋଇପାରେ ବୋଲି ଆଶା କରାଯାଇପାରେ ।
ଏହି ସମୟରେ ସୀତାରମଣ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ତମ ଫାଇନାନ୍ସ କମିଶନ ରିପୋର୍ଟକୁ ପୂର୍ଣ୍ଣ ଭାବେ ସ୍ୱୀକାର କରିନେଇଛନ୍ତି । ଏଥିପାଇଁ ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କୁ ସଂଗୃହୀତ ଟିକସରୁ ୪୨% ଅର୍ଥ ପ୍ରଦାନ କରାଯାଉଛି । ଏଥିରେ ବର୍ତ୍ତମାନ ୪୧% କମ୍ ରହିଛି କାରଣ ଜମ୍ମୁ-କାଶ୍ମୀର ଏବେ ରାଜ୍ୟ ହୋଇ ନାହିଁ । ଏହା ଖୁବଶୀଘ୍ର ରାଜ୍ୟ ମାନ୍ୟତା ହାସଲ କରିବ…ଆଗାମୀ ଦିନରେ ଏପରି ହୋଇପାରେ । ଏହି ପରିପ୍ରେକ୍ଷୀରେ ସୀତାରମଣ କହିଛନ୍ତି ଯେ, ସେ କିମ୍ବା କେନ୍ଦ୍ର ସରକାର ବିଜେପି ଶାସିତ ଏବଂ ଅଣ ବିଜେପି ଶାସିତ ରାଜ୍ୟ ମଧ୍ୟରେ କୌଣସି ଭେଦଭାବ କରିନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଭ୍ରଷ୍ଟାଚାର ରହିତ ତଥା ପାରଦର୍ଶିତା ପୂର୍ଣ୍ଣ ସରକାର ବା ପ୍ରଶାସନ ଉପରେ ବିଶ୍ୱାସ କରିଥାଏ । ଏହି ନୀତିରେ ହିଁ ବିଜେପି କାମ କରିଆସୁଛି ।