ତିରୁପତି ସବୁଠୁ ଧନୀ
ତିରୁପତି(ଏଜେନ୍ସି): ତିରୁପତି ଟ୍ରଷ୍ଟ ବୋର୍ଡ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି), ପ୍ରଥମ ଥର ପାଇଁ ମନ୍ଦିରର ମୋଟ୍ ସମ୍ପତ୍ତି ସମ୍ପର୍କରେ ଘୋଷଣା କରିଛି । ମନ୍ଦିର ପାଖରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ସବିଶେଷ ସୂଚନାକୁ ସାର୍ବଜନୀନ କରିଛି ବୋର୍ଡ ।
ବୋର୍ଡ ଅନୁସାରେ ଭଗବାନ ତିରୁପତିଙ୍କ ମାଲିକାନାରେ ୫୩ଠଠ କୋଟି ଟଙ୍କା ମୂଲ୍ୟର ୧ଠ.୩ ଟନ୍ ସୁନା ଏବଂ ସୁନା ଅଳଙ୍କାର ରହିଛି । ସେହିପରି ରାଷ୍ଟ୍ରୀୟ ବ୍ୟାଙ୍କ୍ରେ ୧୫,୯୩୮ କୋଟି ଟଙ୍କାର ଜମା ରାଶି ରହିଛି । ଏତଦ୍ବ୍ୟତୀତ ଭଗବାନ୍ ତିରୁପତିଙ୍କ ମାଲିକାନାରେ ଦେଶବ୍ୟାପୀ ପ୍ରାୟ ୭୧୨୩ ଏକର ଜମି ରହିଛି ବୋଲି ବୋର୍ଡ ଦର୍ଶାଇଛି । ମନ୍ଦିରର ସମ୍ପତ୍ତି ସମ୍ପର୍କରେ ଟିଟିଡି ବୋର୍ଡ ଏକ ଶ୍ୱେତପତ୍ର ମଧ୍ୟ ଜାରି କରିଛି । ଶ୍ୱେତପତ୍ର ଅନୁଯାୟୀ ବର୍ତ୍ତମାନ ସମୟରେ ତିରୁପତି ମନ୍ଦିର ନାମରେ ୨.୨୬ ଲକ୍ଷ କୋଟି ଟଙ୍କାର ମୋଟ୍ ସମ୍ପତ୍ତି ରହିଛି ।
ଟ୍ରଷ୍ଟର କାର୍ଯ୍ୟକାରୀ ଅଧିକାରୀ ଏଭି ଧର୍ମ ରେଡ୍ଡୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ମନ୍ଦିର ଟ୍ରଷ୍ଟ ବୋଡର୍୍ ୨ଠ୧୯ରେ ମନ୍ଦିରର ସମ୍ପତ୍ତି ବୃଦ୍ଧି ଦିଗରେ ଇନ୍ଭେଷ୍ଟମେଣ୍ଟ କରିବା ନେଇ ନିଷ୍ପତ୍ତି ନେଇଥିଲା । ୨ଠ୧୯ରେ ଏକାଧିକ ସରକାରୀ ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କ୍ରେ ମୋଟ୍ ୧୩,ଠ୨୫ କୋଟି ଟଙ୍କାକୁ ଫିକ୍ସ ଡିପୋଜିଟ୍ ଆକାରରେ ଏବଂ ୭.୪ ଟନ୍ ସୁନା କୁ ଜମା କରାଯାଇଥିଲା, ଯାହା ବର୍ତ୍ତମାନ ସମୟରେ ସୁଧମୂଳ ସହ ୧୫,୯୩୮ କୋଟି ନଗଦ ଏବଂ ୧ଠ.୩ ଟନ୍ ଓଜନର ସୁନାରେ ପହଞ୍ଚôଛି । ଅର୍ଥାତ୍ ଗତ ୩ବର୍ଷ ମଧ୍ୟରେ ମନ୍ଦିରର ନଗଦ ଜମା ରାଶିରେ ୨,୯ଠଠ କୋଟି ଟଙ୍କା ବଢ଼ିଥିବା ବେଳେ ସୁନା ପରିମାଣ ୨.୯ ଟନ୍ ବୃଦ୍ଧି ପାଇଛି । ଏହିକ୍ରମେ ସୋସିଆଲ ମିଡିଆରେ ପ୍ରସାରିତ କରାଯାଉଥିବା କିଛି ଖବରକୁ ତିରୁପତି ମନ୍ଦିର ଟ୍ରଷ୍ଟ ବୋର୍ଡ (ଟିଟିଡି) ପକ୍ଷରୁ ଖଣ୍ଡନ କରାଯାଇଛି । ଆନ୍ଧପ୍ରଦେଶ ସରକାର ମନ୍ଦିରର ଜମା ପାଣ୍ଠିକୁ ସିକୁ୍ୟରିଟିଜ୍ (ସେୟାର ମାର୍କେଟ୍)ରେ ଇନ୍ଭେଷ୍ଟମେଣ୍ଟ କରିଥିବା ନେଇ ସୋସିଆଲ ମିଡିଆରେ ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏଥିରେ କୌଣସି ସତ୍ୟାସତ୍ୟ ନଥିବା ଟିଟିଡି ଦର୍ଶାଇଛି । ମନ୍ଦିର ପାଣ୍ଠିକୁ କୌଣସି ସିକୁ୍ୟରିଟିଜ୍ରେ ଇନ୍ଭେଷ୍ଟମେଣ୍ଟ କରାଯାଇନାହିଁ ବରଂ ଦୈନିକ ଆୟ ହେଉଥିବା ଅର୍ଥକୁ ସରକାରୀ ବ୍ୟାଙ୍କ୍ରେ ହିଁ ଜମା କରାଯାଇଥାଏ ।
ପ୍ରକାଶ, ଦକ୍ଷିଣ ଭାରତର ସମସ୍ତ ମନ୍ଦିର ନିଜ ଭବ୍ୟତା ତଥା ସୁନ୍ଦରତା ପାଇଁ ବେଶ୍ ଚର୍ଚ୍ଚିତ ରହିଆସିଛନ୍ତି । ତେବେ ତିରୁପତି ବାଲାଜୀ ମନ୍ଦିର ସବୁଠୁ ଅଧିକ ଲୋକପ୍ରିୟ । ଏଠାରେ ଭଗବାନ୍ ବିଷ୍ଣୁଙ୍କୁ ସ୍ୱାମୀ ଭେଙ୍କଟେଶ୍ୱର ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ତିରୁପତି ବାଲାଜୀ ପ୍ରତ୍ୟକ୍ଷ ଦେବତା ଭାବେ ହିନ୍ଦୁ ଧର୍ମାବଲମ୍ବୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଆସିଛି । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଳାରେ ଭଗବାନ ତିରୁପତି ବାଲାଜୀଙ୍କ ଏହି ଭବ୍ୟ ମନ୍ଦିର ରହିଛି । ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ତଥା କୋଟି କୋଟି ଟଙ୍କା ମୂଲ୍ୟର ଦାନ ଦକ୍ଷିଣା କାରଣରୁ ଭାରତ ବର୍ଷର ସର୍ବାଧିକ ଧନୀ ମନ୍ଦିରର ଆଖ୍ୟା ହାସଲ କରିଛି । ଭଗବାନ ତିରୁପତି ବାଲାଜୀଙ୍କୁ ସୁନା ଆଭୂଷଣ ଚଢ଼ାଇବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ପ୍ରତ୍ୟେକ ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ୱାସ ରହିଛି । ଏହି କାରଣରୁ ଟ୍ରଷ୍ଟ ପାଣ୍ଠି ତଥା ମନ୍ଦିର ହୁଣ୍ଡିକୁ ପ୍ରତ୍ୟେକ ବର୍ଷ ହଜାର ହଜାର କୋଟିର ଦାନ ମିଳିଥାଏ ।
୨ଠ୧୮-୧୯ ବର୍ଷରେ ତିରୁପତି ବାଲାଜୀଙ୍କ ହୁଣ୍ଡିକୁ ୧୨୧୪ କୋଟି ଦାନ ମିଳିଥିବା ବେଳେ ୨ଠ୧୯-୨ଠରେ ୧୨୮୧ କୋଟି ଟଙ୍କାର ଦାନ ମିଳିଥିଲା । ତେବେ କରୋନା କାଳରେ ଅର୍ଥାତ୍ ୨ଠ୨ଠ-୨୧ରେ ମନ୍ଦିର ଦର୍ଶନ ବନ୍ଦ ରହିବା କାରଣରୁ ମାତ୍ର ୭୩୧ କୋଟି ଟଙ୍କାର ହିଁ ଦାନ ମିଳିପାରିଥିଲା । ସବୁଠୁ ବଡ଼ କଥା ହେଉଛି ଭଗବାନ ବାଲାଜୀଙ୍କୁ ଶ୍ରଦ୍ଧାଳୁମାନେ ଦାନ ଆକାରରେ ସୁନା, ନଗଦ ଅର୍ଥ ବ୍ୟତୀତ ରୂପା, ମୂଲ୍ୟବାନ ପଥର, କମ୍ପାନୀ ସେୟାର ଏବଂ ଜମି ଆଦି ମଧ୍ୟ ଦାନ କରିଥାନ୍ତି ।