ଏଥର ଜମିବ କଟକ ବାଲିଯାତ୍ରା
କଟକ (ବୁ୍ୟରୋ): ଶେଷ ପର୍ଯ୍ୟାୟାରେ ପହଞ୍ଚିଲାଣି କଟକ ବଲିଯାତ୍ରା । ଏହି ଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ ବାଲିଯାତ୍ରାକୁ ନୂଆରୂପ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନେ୍ଦାବସ୍ତ ଗ୍ରହଣ କରାଯାଇଛି । ଦୀର୍ଘ ଦୁଇବର୍ଷର ବ୍ୟବଧାନେ ପରେ ଏଥର ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏହାକୁ ବେଶ ଆକର୍ଷଣୀୟ କରିବାକୁ ଲାଗି ପଡ଼ିଛି ପ୍ରଶାସନ । ବାଲିଯାତ୍ରା ପାଇଁ ଆଉ ମାତ୍ର ଗୋଟେ ଦିନ ବାକି ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ହାତରେ କମ୍ ସମୟ ଥିବାରୁ ଜୋର୍ସୋରରେ ଚାଲିଛି ଷ୍ଟଲ ନିର୍ମାଣ କାମ । ତେବେ ପ୍ରତିବର୍ଷ ବାଲିଯାତ୍ରାରେ ଆକର୍ଷଣ ପାଲଟିଥାଏ ଓରମାସ ଷ୍ଟଲ । ଗତ ଥର ବାଲିଯାତ୍ରାରେ ୩୮୦ଷ୍ଟଲ ଥିବାବେଳେ ଚଳିତ ବର୍ଷ ଓରମାସ ପକ୍ଷରୁ ଏହି ଷ୍ଟଲକୁ ବୃଦ୍ଧି କରାଯାଇ ୪୨୦ କରାଯାଇଛି ।
ତେବେ ଏଥର “କଟକିଆ ପ୍ରଡକ୍ଟସ୍’ ନାମରେ ସ୍ୱତନ୍ତ୍ର ପ୍ୟାକେଜ କରିଛି ପ୍ରଶାସନ । ପ୍ରସିଦ୍ଧି ଲାଭ କରି ଥିବା କଟକ ଜିଲ୍ଲାର ବିଭିନ୍ନ ସାମଗ୍ରୀକୁ ନେଇ ୮୦ଟି ଷ୍ଟଲ କଟକିଆ ପ୍ରଡକ୍ଟସ୍ ନାମରେ ଦେଖିବାକୁ ମିଳିବ । ଗୁଜୁରାଟ, ରାଜସ୍ଥାନ ଓ ପଞ୍ଜାବ ଖାଦ୍ୟ ଶୈଳୀ ସାଙ୍ଗକୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ଫୁଡ୍ କୋର୍ଟରେ ଦେଖିବାକୁ ମିଳିବ । ଫୁଡ୍ କୋର୍ଟରେ ମୋଟ ୩୦ଟି ଷ୍ଟଲର ବ୍ୟବସ୍ଥା କରାଯାଉଛି । ସମୁଦାୟ ୨୪୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓରମାସରେ ବ୍ୟବସାୟ ପସରା ଖାଲିବେ । ଏପରିକି ଚଳିତ ବର୍ଷ ଓରମାସରେ ଫୁଡ୍ଷ୍ଟଲ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ ଓଡ଼ିଆ ପର୍ବପର୍ବାଣୀରେ ହେଉଥିବା ପାରମ୍ପରିକ ଖାଦ୍ୟ ଉପଲବ୍ଧ ହେବ ।
ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ଠୁଙ୍କାପୁରୀ ଓ ଦହିବରା ଆଳୁଦମ୍ । କେବଳ ଏହି ଖାଦ୍ୟରେ ବାଲିଯାତ୍ରା ସୀମିତ ହୋଇ ରହିନାହିଁ । ରାଜ୍ୟ ବାହାରର ଖାଦ୍ୟ ଏହି ବାଲିଯାତ୍ରାରେ ସାମିଲ ହୋଇଛି । ସ୍ୱତନ୍ତ୍ର ବାଲିଯାତ୍ରାରେ ଖାଦ୍ୟବଜାରର ଚାହିଦା ରହୁଛି । ଏଥିସହିତ ସବୁ ଜିଲ୍ଲାର ସ୍ୱତନ୍ତ୍ର ଖାଦ୍ୟ ସାଙ୍ଗକୁ ରାଜ୍ୟ ବାହାରର ଖାଦ୍ୟ ବାଲିଯାତ୍ରାକୁ ଦର୍ଶକମାନଙ୍କୁ ଆହୁରି ଆକର୍ଷିତ କରିବ । ଯାତ୍ରା ବୁଲିବାକୁ ଆସୁଥିବା ଲୋକେ କିଣାକିଣି ସହ ବିଭିନ୍ନ ଖାଦ୍ୟର ମଜା ନେଇ ପାରିବେ । ଗତ ବାଲିଯାତ୍ରାରେ ୧୫ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ ହୋଇଥିବା ବେଳେ, ଏଥର ଏହାକୁ ୨୫ କୋଟିରେ ପହଞ୍ଚାଇବାକୁ ଯୋଜନା ରହିଛି ।