କୋଣାର୍କ ମହୋତ୍ସବ ପୂର୍ବରୁ ୭୧ନଂ ରୁଟ୍ରେ ଚାଲିବ ମୋ ବସ୍
କୋଣାର୍କ (ଆପ୍ର): ଖୁବ୍ଶୀଘ୍ର କୋଣାର୍କକୁ ପୁନଃ ଚଳାଚଳ କରିବ ୭୧ ନମ୍ବର ରୁଟ୍ରେ ମୋ ବସ୍ । ଏନେଇ ରବିବାର କୋଣାର୍କ ୯ ନମ୍ବର ୱାର୍ଡ ସ୍ଥିତ କଲ୍ୟାଣମଣ୍ଡପ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରୁଟ୍ରେ ମୋ ବସ ଚଳାଚଳ ବନ୍ଦ ହେବା ଏବଂ ବିଭିନ୍ନ ସମୟରେ ମୋ ବସ୍ କର୍ମଚାରୀଙ୍କ ଉପରକୁ ଆକ୍ରମଣ ପରେ ସ୍ଥାନୀୟ ଜନସାଧାରଣ ଏନେଇ ମୋ ବସ୍ ପୁନଃ ଚଳାଚଳ ଦାବିରେ ଗଣ ଆନେ୍ଦାଳନକୁ ଓହ୍ଲାଇବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଥିବା କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।
ଏହାକୁ ନେଇ କିଛିଦିନ ତଳେ ଗୃହରାଷ୍ଟ୍ର ମନ୍ତ୍ରୀ ମୋ ବସ୍ ସେବା ଦାୟିତ୍ୱରେ ଥିବା କ୍ରୁଟ୍ ପରିଚାଳନା କମିଟିର ସଦସ୍ୟ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ପ୍ରକାଶ କରିଛନ୍ତି ଖୋଦ୍ ଗୃହରାଷ୍ଟ୍ର ମନ୍ତ୍ରୀ ।
ସୂଚନା ମୁତାବକ ପୁରୀ ଜିଲ୍ଲାର ଅନ୍ୟ ଏକ ପ୍ରସିଦ୍ଧ ଶକ୍ତି ପୀଠ କାକଟପୁରର ମଙ୍ଗଳା ଏବଂ ପର୍ଯ୍ୟଟନସ୍ଥଳୀ ଅସ୍ତରଙ୍ଗର ପୀର ଜାହାନିଆ ପର୍ଯ୍ୟନ୍ତ ମୋ ବସ୍ ଚଳାଚଳ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ ଉଦ୍ୟମ କରୁଥିବା ପ୍ରକାଶ କରିବା ସହ ଏହି ଦୁଇଟି ରୁଟ୍ରେ ଖୁବ୍ଶୀଘ୍ର ମୋ ବସ୍ର ଲାଭ ସ୍ଥାନୀୟ ଜନସାଧାରଣ ଏବଂ ପର୍ଯ୍ୟଟକ ଉଠାଇପାରିବେ ବୋଲି ପ୍ରକାଶ କରିଛନ୍ତି । ଏଥିସହିତ କୋଣାର୍କକୁ ବନ୍ଦ ରହିଥିବା ୭୧ ନମ୍ବର ରୁଟ୍ରେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଠାରୁ କୋଣାର୍କ ପର୍ଯ୍ୟନ୍ତ ଆସନ୍ତା କୋଣାର୍କ ମହୋତ୍ସବ ଏବଂ ଇକୋ ରିଟ୍ରିଟ ପୂର୍ବରୁ ଚଳାଚଳ ସ୍ୱାଭାବିକ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଏଭଳି କିଛି ପ୍ରତିଶ୍ରୁତି ମିଳିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନୂଆ ଆଶା ବସା ବାନ୍ଧିଥିବା ଦେଖିବାକୁ ମିଳିଛି । ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଏ ପ୍ରତିକ୍ରିୟା ଆଗମୀ ଦିନରେ କେତେ ଫଳପ୍ରଦ ହେଉଛି ତା’ ଉପରେ ସମସ୍ତଙ୍କ ନଜର ।