ଭାରତ-ଇଂଲଣ୍ଡ ସେମିଫାଇନାଲ୍

ଟି-୨୦ ବିଶ୍ୱକପ୍ ୨୦୨୨
ମେଲ୍ବର୍ଣ୍ଣ, ୬ା୧୧ (ଏଜେନ୍ସି): ଟିମ୍ ଇଣ୍ଡିଆ ରବିବାର ଟି-୨୦ ବିଶ୍ୱକପ୍ ୨୦୨୨ରେ ନିଜ ଶେଷ ଲିଗ୍ ମ୍ୟାଚ୍ରେ ଜିମ୍ବାୱେକୁ ୭୧ ରନ୍ରେ ପରାସ୍ତ କରିଛି । ଏବେ ରୋହିତ ସେନା ନଭେମ୍ବର ୧୦ରେ ଆଡିଲେଡ୍ ଠାରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ।
ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁହିଁ ଭାରତୀୟ ଟିମ୍ ସେମିଫାଇନାଲ୍ରେ ପ୍ରବେଶ କରିଥିଲା । ରବିବାର ସକାଳେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଆଇସିସି ଟି-୨୦ ଟିମ୍ ମାନ୍ୟତାରେ ୧୭ତମ ସ୍ଥାନରେ ଥିବା ନେଦରଲାଣ୍ଡ୍ସ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍ରେ ପରାସ୍ତ କରିଥିଲା । ଏହି ଫଳାଫଳର ସବୁଠାରୁ ବଡ଼ ଫାଇଦା ଭାରତ ଓ ପାକିସ୍ତାନକୁ ମିଳିଥିଲା । ଭାରତ ସିଧା ସେମିଫାଇନାଲ୍ରେ ପହଞ୍ଚିଥିବା ବେଳେ ପାକିସ୍ତାନ ମଧ୍ୟ ବାଂଲାଦେଶକୁ ହରାଇ ସେମିଫାଇନାଲ୍ରେ ସ୍ଥାନ ପାଇଛି ।
ଟିମ୍ ଇଣ୍ଡିଆ ଗ୍ରୁପ୍-୨ରେ ପାଞ୍ଚରୁ ଚାରି ମ୍ୟାଚ୍ ଜିତି ୮ ପଏଣ୍ଟ ପାଇବା ସହିତ ଟପ୍ପର ହୋଇଛି । ଏହି ଗ୍ରୁପ୍ରୁ ପାକିସ୍ତାନ ଦ୍ୱିତୀୟ ଟିମ୍ ଭାବେ ସେମିଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିଛି । ବାବରଙ୍କ ଟିମ୍ ପାଞ୍ଚ ମ୍ୟାଚ୍ରୁ ତିନି ବିଜୟ ସହ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ନେଦରଲାଣ୍ଡ୍ସ ଓ ବାଂଲାଦେଶ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ଏବଂ ଜିମ୍ବାୱେ ୩ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଗ୍ରୁପ୍-୧ରେ ନୁ୍ୟଜିଲାଣ୍ଡ ପ୍ରଥମ ଓ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଥିଲେ ।
ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ସୂର୍ଯ୍ୟକୁମାର ଯାଦବ (୨୫ ବଲ୍ରୁ ୬୧) ଓ ଲୋକେଶ ରାହୁଲ (୩୫ ବଲ୍ରୁ ୫୧)ଙ୍କ ଚମକ୍ପ୍ରଦ ଅର୍ଦ୍ଧଶତକ ସହାୟତାରେ ଭାରତୀୟ ଟିମ୍ ୧୮୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିବା ବେଳେ ଜିମ୍ବାୱେ ଟିମ୍ ୧୭.୨ ଓଭର୍ରେ ମାତ୍ର ୧୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ ୨୨ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ମହମ୍ମଦ ଶାମୀ ୨ ଲେଖାଏଁ ଏବଂ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ଅକ୍ଷର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଆହ୍ୱାନପୂର୍ଣ୍ଣ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଜିମ୍ବାୱେ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ଇନିଂସ୍ର ପ୍ରଥମ ବଲ୍ରେ ୱେସ୍ଲୀ ମାଧେଭେରେ (୦)ଙ୍କୁ ପାଭିଲିଅନ୍ ପଠାଇଥିଲେ ଭୁବନେଶ୍ୱର କୁମାର । ଦ୍ୱିତୀୟ ଓଭର୍ରେ ଅର୍ଶଦୀପ ସିଂହ ମଧ୍ୟ ନୂଆ ବ୍ୟାଟର୍ ରେଗିସ୍ ଚକାଭାଙ୍କୁ ବିନା ସ୍କୋର୍ରେ ଆଉଟ୍ କରିଥିଲେ ।
ଏହାପରେ ଅଧିନାୟକ କ୍ରେଗ୍ ଏର୍ଭିନ୍ ଓ ସିଅନ୍ ୱିଲିଅମ୍ସ ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେହେଁ ଏହି ଯୋଡ଼ି ବି ବଡ଼ ଭାଗୀଦାରୀ କରିପାରି ନ ଥିଲା । ୱିଲିଅମ୍ସ (୧୧) ମହମ୍ମଦ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଏର୍ଭିନ୍ (୧୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ । ନୂଆ ବ୍ୟାଟର୍ ଟୋନୀ ମୁନ୍ୟୋଙ୍ଗା (୫)ଙ୍କ ୱିକେଟ୍ ଶାମାଙ୍କ ଖାତାକୁ ଯାଇଥିଲା ।
୩୬ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଏହାପରେ ସିକନ୍ଦର ରାଜା ଓ ରିଆଲ୍ ବୁର୍ଲ ସ୍ଥିତି ସମ୍ଭାଳି ୬୦ ରନ୍ର ଭାଗୀଦାରୀ କରିଥିଲେ । ତେବେ ଏହି ଯୋଡ଼ି ଭାଙ୍ଗିବା ପରେ ପୁଣି ଥରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା ଏବଂ ୧୧୫ ରନ୍ରେ ପୂରା ଇନିଂସ୍ ଭୁଶୁଡ଼ି ଯାଇଥିଲା ।
ବୁର୍ଲ (୨୨ ବଲ୍ରୁ ୩୫) ଅଶ୍ୱିନଙ୍କ ସ୍ପିନ୍ଜାଲରେ ଛନ୍ଦି ହୋଇଥିଲେ । ପରବର୍ତ୍ତୀ ଦୁଇ ବ୍ୟାଟର୍ – ୱେଲିଂଟନ୍ ମାସାକାଜା (୧) ଓ ରିଚାର୍ଡ ଏନ୍ଗରଭ (୧)ଙ୍କୁ ମଧ୍ୟ ଅଶ୍ୱିନ ପାଭିଲିଅନ୍ ପଠାଇଥିଲେ ।
ରାଜା ୨୪ ବଲ୍ରୁ ୩୪ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ୱିକେଟ୍ ନେଇଥିଲେ ପାଣ୍ଡ୍ୟା । ଟେଣ୍ଡାଇ ଚତରା (୪) ଶେଷ ବ୍ୟାଟର୍ ଭାବେ ଅକ୍ଷର ପଟେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ରୋହିତ ଶର୍ମା ପୁଣି ଥରେ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଥିଲେ । ସେ ୧୫ ରନ୍ କରି ବ୍ଲେସିଂ ମୁଜରାବାନୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ୨୭ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା ।
ଏହାପରେ ରାହୁଲ ନୂଆ ବ୍ୟାଟର୍ ବିରାଟ କୋହଲିଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୬୦ ରନ୍ର ଭାଗୀଦାରୀ ହୋଇଥିଲା । କୋହଲି (୨୬)ଙ୍କୁ ୱିଲିଅମ୍ସ ଆଉଟ୍ କରିଥିଲେ । ଇତ୍ୟବସରେ ୩୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ରାହୁଲ । ତେବେ ଏହାପରେ ସେ ଆଉ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ନ ଥିଲେ । ଏବଂ ବ୍ୟକ୍ତିଗତ ୫୨ (୩୫ ବଲ୍ରୁ ୩ ଲେଖାଏଁ ଚୌକା ଓ ଛକା ସହାୟତାରେ) ରନ୍ରେ ରାଜାଙ୍କ ଶିକାର ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ରିଷଭ ପନ୍ତ ମାତ୍ର ୩ ରନ୍ କରି ୱିଲିଅମ୍ସଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
୧୦୧ ରନ୍ରେ ୪ ୱିକେଟ୍ ପଡ଼ିଥିଲା । ୧୫ ଓଭର ସୁଦ୍ଧା ସ୍କୋର୍ ହୋଇଥିଲା ୧୦୭/୪ । ଏହାପରେ ସୂର୍ଯ୍ୟକୁମାର ଓ ପାଣ୍ଡ୍ୟା ମିଶି ଇନିଂସ୍କୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ସୂର୍ଯ୍ୟକୁମାର ୨୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଅନେକ ଆକର୍ଷଣୀୟ ଷ୍ଟ୍ରୋକ୍ ଖେଳି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ପାଣ୍ଡ୍ୟା ୧୮ ରନ୍ କରି ନଗରାଭାଙ୍କ ଶିକାର ହୋଇଥିଲେ । ସୂର୍ଯ୍ୟକୁମାରଙ୍କ ଇନିଂସ୍ରେ ୬ ଚୌକା ଓ ୪ ଛକା ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *