ବିସ୍ଥାପିତ-ପୁଲିସ୍ ଖଣ୍ଡଯୁଦ୍ଧ

ଅଧିକ କ୍ଷତିପୂରଣ ଦାବି କରିବାରୁ ଯାମକାନି କୋଇଲା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା
ସୁନ୍ଦରଗଡ଼/ ରାଉରକେଲା, ୫ା୧୧(ଆପ୍ର): ନୂଆ ନୀତି ଅନୁଯାୟୀ ଥଇଥାନ ଓ ଏକର ପ୍ରତି ୩୫ ଲକ୍ଷ ଟଙ୍କା କ୍ଷତିପୂରଣ ନିମିତ୍ତ ସୁନ୍ଦରଗଡ଼ ଜିଲ୍ଲା ଯାମକାନି କୋଇଲା ଖଣି ବିସ୍ଥାପିତମାନେ ଅଡ଼ି ବସିବାରୁ ତୁମୁଳକାଣ୍ଡ ସୃଷ୍ଟି ହୋଇଛି । ପୁଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି । ବିସ୍ଥାପିତମାନଙ୍କୁ ଘଉଡାଇବାକୁ ଯାଇ ପୁଲିସ ଲାଠିଚାର୍ଯ କରିବାରୁ ୨ ଜଣ ଆହତ ହୋଇଛନ୍ତି । ବିସ୍ଥାପିତମାନେ ମଧ୍ୟ ପୁଲିସ ବାହିନୀ ଉପରେ ଟେକାମାଡ଼ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ଓ ପରିସ୍ଥିତି ନିୟନ୍ତ୍ରଣ ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ହେମଗିରି ବ୍ଲକସ୍ଥିତ ଯାମକାନି କୋଇଲା ଖଣି ୨୦୦୬ରେ ଭୂଷଣ ହାତରେ ଥିଲା । କିନ୍ତୁ ଖନନ ନ ହେବାରୁ ଏହାକୁ ବେଦାନ୍ତ ନେଇଛି । ଭୂଷଣ ୨୦୦୬ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିଥିଲା । ଏବେ ବିସ୍ଥାପିତମାନେ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ କ୍ଷତିପୂରଣ ଲାଗି ଅଡ଼ି ବସିଛନ୍ତି । କିନ୍ତୁ ବେଦାନ୍ତ କର୍ତ୍ତୃପକ୍ଷ ରୋକ୍ଠୋକ୍ ମନା କରିବାରେୁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ବେଦାନ୍ତ ପକ୍ଷରୁ ଶନିବାର ଯାମକାନି କୋଇଲା ଖଣି କାମ ଆରମ୍ଭ ହେଉଥିବା ଖବର ପାଇ ମାତ୍ରେ ଶତାଧିକ ବିସ୍ଥାପିତ ପହଞ୍ଚି ‘୨୦୦୬ ଥଇଥାନ ଓ ପୁନର୍ବାସ ନୀତି ନୁହେଁ, ୨୦୧୩ ନୀତି ଅନୁଯାୟୀ କ୍ଷତିପୂରଣ ଦିଅ, ଏକର ପିଛା ୩୫ ଲକ୍ଷ ଦିଅ ନଚେତ ଭିଟାମାଟି ଛାଡ଼ିବୁନି’ ବୋଲି ଜିଦ୍ ଧରିଥିଲେ । ଉପସ୍ଥିତ ପୁଲିସ୍ ବାହିନୀ ଘଉଡ଼ାଇବା ଲାଗି ଉଦ୍ୟମ କରିବାରୁ ବିସ୍ଥାପିତମାନେ ବିରୋଧ କରିଥିଲେ । ଉଭୟ ପକ୍ଷ ମୁହାଁମୁହିଁ ହେବା ସହିତ ଘଟଣାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ପୁଲିସ ଲାଠି ଚାର୍ଯ କରିବାରୁ ଆନେ୍ଦାଳନକାରୀ ଟେକା ମାଡ଼ କରିଥିଲେ । ଗଣ୍ଡଗୋଳ ଯୋଗୁ ଖଣି କାମ ବ୍ୟାହତ ହୋଇଛି । ପରିସ୍ଥିତି ଅଣାୟତ୍ତ ହେବାରୁ କାର୍ଯ୍ୟସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାଳ ସହିତ ଆଉ ୨ ପ୍ଲାଟୁନ ରିଜର୍ଭ ରଖାଯାଇଛି ।
ଅନ୍ୟପକ୍ଷରେ ଖଣି କାମ ହେଉଥିବା ଅଞ୍ଚଳରେ ଜନବସତି ନ ଥିବାରୁ ପ୍ରତିବନ୍ଧକ ସୃଷ୍ଟି ନ କରିବାକୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନିବେଦନ କରାଯାଇଛି । କିନ୍ତୁ ବିସ୍ଥାପିତମାନେ ଜିଦରୁ ଓହରି ନାହାନ୍ତି ।
ସୂଚନାଯୋଗ୍ୟ, ୨୦୦୬ ଥଇଥାନ ଓ ପୁନର୍ବାସ ନୀତି ଅନୁଯାୟୀ ଭୂଷଣ ପକ୍ଷରୁ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା । ସେ ସମୟରେ ବିସ୍ଥାପିତଙ୍କୁ ଜମିର ସରକାରୀ ମୂଲ୍ୟ ସମେତ ଘର ଓ ଅନ୍ୟାନ୍ୟ ସୁବିଧା ଦିଆଯାଇଥିଲା । କିନ୍ତୁ ଭୂଷଣ ପକ୍ଷରୁ ଖଣି କାମ ହୋଇ ପାରି ନ ଥିଲା । ତାହା ବେଦାନ୍ତ ହାତକୁ ଯିବାରୁ ବିବାଦ ସୃଷ୍ଟି ହୋଇଛି । ମାତ୍ର ଥରେ କ୍ଷତିପୂରଣ ପ୍ରଦାନ କରାଯାଇଥିବାରୁ ପୁଣି ଦିଆଯିବ ନାହିଁ ବୋଲି ବେଦାନ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମନା କରି ଦିଆଗଲା । ବହୁ ଆଲୋଚନା ପରେ କମ୍ପାନୀ ଏକର ପିଛା ୬ ଲକ୍ଷ ଦେବାକୁ ରାଜି ହୋଇଥିଲା । ହେଲେ ବିସ୍ଥାପିତମାନେ ଏକର ପିଛା ୩୦ରୁ ୩୫ ଲକ୍ଷ ଦାବି କରୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *