ଚିହ୍ନଟ ହେବ ୨ ଓ ୪ ଚକିଆ ପାର୍କିଂ ସ୍ଥଳ

ଟ୍ରାଫିକ୍ ସମସ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ
ବ୍ରହ୍ମପୁର (ବୁ୍ୟରୋ): ସହରରେ ଟ୍ରାଫିକ୍ ସମସ୍ୟାକୁ ନେଇ ବ୍ରହ୍ମପୁର ଏସ୍ପି ଡ.ଶ୍ରବଣା ବିବେକ ଏମ୍ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଟ୍ରାଫିକ୍ ସମସ୍ୟା ସୁଧାରିବା ଦିଗରେ ବିଭିନ୍ନ ପାର୍କିଂ ସ୍ଥାନ ଚିହ୍ନଟ ଓ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବାକୁ ମହାନଗର ନିଗମ ଓ ରାଜସ୍ୱ ବିଭାଗର ଅଧିକାରୀ ଓ ପୁଲିସ୍ ଅଧିକାରୀଙ୍କୁ ନେଇ ଏକ ମିଳିତ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବ୍ରହ୍ମପୁର ସହରରେ ଦିନକୁ ଦିନ ଯାନବାହନ ସଂଖ୍ୟା ବଢ଼ୁଥିବାରୁ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି । ଲୋକେ ମନଇଛା ଯାନବାହନ ପାର୍କିଂ କରି ଚାଲିଯାଉଥିବାରୁ ସମସ୍ୟା ଉପୁଜୁଛି । ଏହି ସମସ୍ୟା ଦୂର କରିବାକୁ ସହରରେ ୨ ଚକିଆ ଓ ୪ଚକିଆ ଯାନ ପାର୍କିଂ ପାଇଁ ନୂତନ ସ୍ଥାନ ଚିହ୍ନଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ରାସ୍ତା ଜବରଦଖଲ ଯୋଗୁ ଯେଉଁ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି ଚିହ୍ନଟ କରାଯିବା ପରେ ସେଠାରୁ ଦୋକାନୀ ତଥା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବ ।
ସହର ଭିତରେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ, ଜୁନିୟର କଲେଜ, ଶଶିଭୂଷଣ ରଥ, ସେଣ୍ଟ ଜାଭିୟର ସ୍କୁଲ, କେସି ପବ୍ଲିକ୍ ସ୍କୁଲ ଭଳି ଅନେକ ସ୍କୁଲ ଓ କଲେଜ ଜାତୀୟ ରାଜପଥ ଉପରେ ରହିଛି । ଯେଉଁଥିପାଇଁ ଏହି ସ୍କୁଲ ଓ କଲେଜକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଯିବା ଆସିବା ବେଳେ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ସେହି ସବୁ ସ୍କୁଲ ଓ କଲେଜ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଯେପରି ନ ଉପୁଜିବ ସେ ଦିଗରେ ନୂତନ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା । ଟ୍ରାଫିକ୍ ସମସ୍ୟା ସୁଧାରିବାକୁ ରାସ୍ତା ସମ୍ପ୍ରସାରଣ କରିବାକୁ ପଡେ ତେବେ ସେ ଦିଗରେ ମଧ୍ୟ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯିବ । ସହରର ବିଭିନ୍ନ ଟ୍ରାଫିକ୍ ଛକରେ ଲାଗିଥିବା ସିଗ୍ନାଲ ଓ ବ୍ୟାରିକେଡ୍ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ନିୟମିତ ବ୍ୟବଧାନରେ ଉଚ୍ଚସ୍ତରୀୟ ବୈଠକ ବସି ସହରର ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ମହାନଗର ନିଗମ ଅଧ୍ୟକ୍ଷ ଜେ.ସୋନାଲଙ୍କ ସମେତ ଅତିରିକ୍ତ ଏସ୍ପି ଅସୀମ ପଣ୍ଡା, ଟାଉନ୍ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ନିଗମର ଏନ୍ଫୋର୍ସମେଣ୍ଟ ଅଧିକାରୀ ତରୁଣକାନ୍ତ, ସମସ୍ତ ଡିଏସ୍ପି, ଟ୍ରାଫିକ୍ ଥାନାଧିକାରୀ ସହ ଅନ୍ୟାନ୍ୟ ଥାନାଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *