ଆତ୍ମସମର୍ପଣ କଲେ ୪ଠଠ ମାଓ ମିଲିସିଆ
ମାଲକାନଗିର (ଆପ୍ର): ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତାପାଇରେ ଶନିବାର ପୁଲିସ ନିକଟରେ ୪୦୦ରୁ ଊର୍ଦ୍ଧ୍ୱ ଆନ୍ଧ୍ର ଏବଂ ଓଡ଼ିଶାର ମାଓ ମିଲିସିଆ ଆତ୍ସମର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ, ଏସ୍ପି ନିତୀଶ ୱାଧୱାନୀ, ବିଏସ୍ଏଫ୍ ଡିଆଇଜି ଏସକେ ସିଂହ, ଏସ୍ଡିପିଓ ଶୁଭେନ୍ଦୁ ପାତ୍ର, ବିଏସ୍ଏଫ୍ କମାଣ୍ଡାଣ୍ଟ, ଚିତ୍ରକୋଣ୍ଡା ଏସଡିପିଓ ଏସ୍କେ ପୋଟ୍ଟାଙ୍କ ସମେତ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।
ସ୍ୱାଭିମାନ ଅଞ୍ଚଳର ପେପରମେଟଲା ପଞ୍ଚାୟତ, ଧୂଳିପୁଟ ପଞ୍ଚାୟତ ଏବଂ ଆନ୍ଧ୍ର ପ୍ରଦେଶର ଇରେ ପଞ୍ଚାୟତ, ଜାମୁଗୁଡା ପଞ୍ଚାୟତ, ବୈଟାଲ ପଞ୍ଚାୟତରୁ ଆସିଥିବା ମିଲିସିଆମାନେ ଆତ୍ମସମର୍ପଣ କରିଥିଲେ । ଏହି ମିଲିସିଆମାନେ ପୁଲିସ ଏବଂ ନିରୀହ ଲୋକଙ୍କୁ ହତ୍ୟା କରିବାକୁ ନିୟୋଜିତ ହୋଇଥିଲେ । ଆତ୍ମସମର୍ପଣ ପରେ ସେମାନେ ମାଓବାଦୀଙ୍କ ସମସ୍ତ ଜିନିଷ ପୋଡି ଦେବା ସହ ନକ୍ସଲଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏଥିସହ ନକ୍ସଲ ବିରୋଧୀ ସ୍ଲୋଗାନ ଦେଇଥିଲେ । ମିଲିସିଆମାନେ ଅଞ୍ଚଳର ବିକାଶରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଥିବା ସୁବିଧା ମଧ୍ୟ ମିଲିସିଆମାନଙ୍କୁ ଯୋଗାଇ ଦିଆଯିବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ ପଣ୍ଡିତ କହିଛନ୍ତି । ପୁଲିସ ତରଫରୁ ସେମାନଙ୍କୁ ଶାଢି, ଲୁଙ୍ଗି ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା ।
ଜୁନ ୨ ତାରିଖରେ ୫୦ରୁ ଊର୍ଦ୍ଧ୍ୱ ମିଲିସିଆ ଆତ୍ମସମର୍ପଣ କରିଥିଲେ । ଜୁନ ୧୧ ତାରିଖରେ ୩୪୭ ଜଣ ହାର୍ଡକୋର ମିଲିସିଆ ମଧ୍ୟ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।
