ଦୁଇ ଦିନ ପରେ ଐତିହାସିକ ବାଲିଯାତ୍ରା

କଟକ (ବୁ୍ୟରୋ): ଆଉ ମାତ୍ର ୨ ଦିନ ପରେ ଐତିହାସିକ ବାଲିଯାତ୍ରା ଆୟୋଜିତ ହେବାକୁ ଯାଉଛି । ତେବେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ବୋଇତ ବନ୍ଧାଣକୁ ୱର୍ଲଡ଼ ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ଦେବା ନିମନ୍ତେ ୧୫ ମିନିଟ୍ରେ ୧୦ ହଜାର କାଗଜ ପ୍ରସ୍ତୁତ କରାଯିବ । ଏଥିପାଇଁ ଟେଣ୍ଡର ପ୍ରକିୟା ଜରିଆରେ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । ୩୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । କଟକ ସହରର ବିଭିନ୍ନ ବୟସ ବର୍ଗର ଜନସାଧାରଣ, ସ୍କୁଲ, କ୍ଲବ୍, ବିଭିନ୍ନ ସଂଗଠନ, କର୍ପୋରେଟର ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରତି ଅଂଶଗ୍ରହଣକାରୀଙ୍କୁ ସର୍ବ ନିର୍ମ ୫ଟି ଡ଼ଙ୍ଗା ତିଆରି କରିବାକୁ ହେବ । ଏହା ଭିତରୁ ୩ ଠିକ ହେଲେ ସେଗୁଡ଼ିକ ଯୋଗ୍ୟ ବିବେଚିତ ହେବେ ।
ଏହି କାର୍ଯ୍ୟକ୍ରମ ଆସନ୍ତା୧୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମରେ କରାଯିବାକୁ ଯୋଜନା କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ କଟକ ମହାନଗର ନିଗମର ସମସ୍ତ କର୍ପୋରେଟର, ସିଏମ୍ସି ଅଧିକାରୀ, ମେୟର, କମିଶନର କାଗଜ ଡ଼ଙ୍ଗା ପ୍ରଶିକ୍ଷଣ ଆଧାରରେ ନିର୍ମାଣ କରିଛନ୍ତି ବୋଲି ସିଏମ୍ସି ମେୟର ସୁବାସ ସିଂ କହିଛନ୍ତି । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବାରେ ଏହି ଡଙ୍ଗା ତିଆରିରେ ଅଭିଯାନ ସହାୟକ ହେବ ବୋଲି ମେୟର କହିଛନ୍ତି । ସେପଟେ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ଅନେକ ନୂଆ ନୂଆ ପଦକ୍ଷେପମାନ ଗ୍ରହଣ କରିଛି । ସେଥିମଧ୍ୟରୁ ଏକ ଆକର୍ଷଣ ରହିଛି ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ହେଉଥିବା ବାଲୁକା କଳା । ୬୫ ଫୁଟ ଲମ୍ବା ଏକ ୩୬ ଫୁଟ ଓସାରର ଏକ ବିଶାଳ ବାଲୁକା କଳା କରାଯିବ । ତଳପଡ଼ିଆରେ କଟକ ଇନ୍ କଟକ ପାଭିଲିୟନ ଠାରେ ନିର୍ମାଣ ହେଉଥିବା ଏହି ବାଲୁକା କଳାଟି ଲୋକଙ୍କୁ ଆକର୍ଷିତ କରିବ ଏବଂ ଏପରି ବାଳୁକା କଳାରୁ ଲୋକେ ଏକ ନୂଆ ଅନୁଭୂତି ନେବେ ବୋଲି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ଦୁଇବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *