ଆଜି ଭାରତ-ଜିମ୍ବାୱେ ଟକ୍କର
ଟି-୨୦ ବିଶ୍ୱକପ୍
ମେଲ୍ବର୍ଣ୍ଣ, ୫ା୧୧ (ଏଜେନ୍ସି): ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ରେ ନିଜ ଶେଷ ସୁପର୍-୧୨ ମ୍ୟାଚ୍ରେ ରବିବାର ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଜିମ୍ବାୱେକୁ ଭେଟିବ । ଏହି ମ୍ୟାଚ୍ ଜିତି ଭାରତ ସେମିଫାଇନାଲ୍ରେ ପ୍ରବେଶ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ଯଦି ରୋହିତ ସେନା ଏହି ମ୍ୟାଚ୍ ଜିତିବ, ତା’ହେଲେ ଗ୍ରୁପ୍-୨ରେ ମୋଟ୍ ୮ ପଏଣ୍ଟ ପାଇ ଟପ୍ପର ହେବ ଏବଂ ୧୦ରେ ଆଡିଲେଡ୍ ଠାରେ ହେବାକୁ ଥିବା ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ।
ଯଦି ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ନିଜ ନିଜ ଶେଷ ମ୍ୟାଚ୍ ଜିତନ୍ତି, ଭାରତୀୟ ଟିମ୍ ଜିମ୍ବାୱେ ଠାରୁ ହାରିଯାଏ, ତା’ହେଲେ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ପ୍ରାୟତଃ ବାଦ୍ ପଡ଼ିଯିବ । ଯଦି ବର୍ଷା ଯୋଗ୍ୁଁ ଭାରତ-ଜିମ୍ବାୱେ ମ୍ୟାଚ୍ ଧୋଇ ହୋଇଯାଏ, ତା’ହେଲେ ବି ଭାରତୀୟ ଟିମ୍ ସେମିଫାଇନାଲ୍କୁ ଯିବ । ଏପରିସ୍ଥଳେ ଟିମ୍ ଇଣ୍ଡିଆର ଗ୍ରୁପ୍ରେ ସ୍ଥାନ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନର ଶେଷ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବ ।
ପାଗ ଭଲ ରହିବା ସ୍ଥଳେ ଭାରତୀୟ ଟିମ୍ ପାଇଁ ଜିମ୍ବାୱେ ବିପକ୍ଷ ମ୍ୟାଚ୍ କଷ୍ଟସାଧ୍ୟ ହେବ ବୋଲି ଆଶା କରାଯାଉ ନାହିଁ । ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ ଟିମ୍ ମ୍ୟାନେଜ୍ମେଣ୍ଟ ପାଇଁ ଚିନ୍ତାର ବିଷୟ ହୋଇଛି । ରୋହିତ ଏ ଯାବତ୍ ଖେଳିଥିବା ଚାରି ମ୍ୟାଚ୍ରୁ ମାତ୍ର ୭୪ ରନ୍ ସଂଗ୍ରହ କରିଛନ୍ତି । ସେ ନେଦରଲାଣ୍ଡ୍ସ ବିପକ୍ଷରେ ଏକ ଅର୍ଦ୍ଧଶତକ ଲଗାଇଥିଲେ । କିନ୍ତୁ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ବିଫଳ ହୋଇଥିଲେ । ଟିମ୍ ପାଇଁ ଆଗକୁ ଆହୁରି ବଡ଼ ଆହ୍ୱାନ ଅଛି । ତେଣୁ ରୋହିତଙ୍କୁ ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ ଫର୍ମକୁ ଫେରିବାକୁ ହେବ ।
ଅନ୍ୟପଟେ, ଶୀର୍ଷକ୍ରମରେ ବିରାଟ କୋହଲି ଉତ୍ତମ ଫର୍ମରେ ଅଛନ୍ତି । ଓପନର୍ ଲୋକେଶ ରାହୁଲ ପୂର୍ବ ମ୍ୟାଚ୍ ଜରିଆରେ ଫର୍ମକୁ ଫେରିଥିଲେ । ସୂର୍ଯ୍ୟକୁମାର ଯାଦବ କେତେକ ପ୍ରଭାବଶାଳୀ ଇନିଂସ୍ ଖେଳିଛନ୍ତି ।
ଶେଷ ଗ୍ରୁପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ ସାମାନ୍ୟ ପରିବର୍ତ୍ତନ କରିପାରେ । ଯୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲ୍ ଶନିବାର ନେଟ୍ରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା । ଭାରତ ଏ ଯାବତ୍ ଚାରି ମ୍ୟାଚ୍ରେ ପେସ୍ ବୋଲିଂ ଲାଇନ୍ଅପ୍ରେ ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ମହମ୍ମଦ ଶାମୀଙ୍କୁ ଖେଳାଇଥିଲା । କୌଣସି ଜଣେ ବୋଲର୍ଙ୍କ ସ୍ଥାନରେ ହର୍ଷଲ ପଟେଲ୍ଙ୍କୁ ସାମିଲ୍ କରାଯାଇପାରେ । ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ଓ ଅକ୍ଷର ପଟେଲ୍ଙ୍କ ମଧ୍ୟରୁ ଜଣଙ୍କୁ ବସାଯାଇ ଚହଲଙ୍କୁ ସୁଯୋଗ ଦିଆଯାଇପାରେ । ଏହି ଦୁଇ ସ୍ପିନର୍ ଏ ଯାବତ୍ କିଛି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି । ବ୍ୟାଟର୍ ରିଷଭ ପନ୍ତଙ୍କୁ ମଧ୍ୟ ସୁଯୋଗ ଦିଆଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । କିନ୍ତୁ ସେ କାହା ସ୍ଥାନରେ ଖେଳିବେ, ତାହା ବଡ଼ କଥା । ହୁଏତ ଦିନେଶ କାର୍ତ୍ତିକଙ୍କୁ ଏହି ମ୍ୟାଚ୍ରେ ବସାଯାଇ ପନ୍ତଙ୍କୁ ଖେଳାଯାଇପାରେ ।