ମାପଚୁପ ଶେଷ, ଉଚ୍ଛେଦକୁ ଅପେକ୍ଷା
ସୁଭାଷ ବୋଷ ଛକଠାରୁ ପେଣ୍ଠକଟା ରାସ୍ତା ପ୍ରଶସ୍ତୀକରଣ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ଭିତ୍ତିଭୂମିର ଉନ୍ନତୀକରଣ ଜାରି ରହିଛି । ଏହାରି ମଧ୍ୟରେ ପ୍ରଥମେ ସହରକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତାକୁ ସଂପ୍ରସାରଣ କରାଯିବା ଲାଗି ପ୍ରକି୍ରୟା ଜାରି ରହିଛି । ବିଶେଷ ଭାବେ ସହରର ସୁଭାଷବୋଷ ଛକଠାରୁ ପେଣ୍ଠକଟା ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ପ୍ରଶସ୍ତୀକରଣ କରିବା ଲାଗି ଉଦ୍ୟମ ଜାରି ରହିଛି । ପ୍ରଥମେ ଉକ୍ତ ରାସ୍ତାକୁ ୪୦ ଫୁଟ୍ ଓସାର କରାଯିବ । ସେଥିଲାଗି ମାପଚୁପ ଆରମ୍ଭ ହୋଇଥିଲା । ପ୍ରଶାସନ ପକ୍ଷରୁ ପ୍ରଥମ ମାପଚୁପରେ ସ୍ଥାନୀୟ ବାସିନ୍ଦା ଓ ହୋଟେଲ ମାଲିକମାନେ ଅସନ୍ତୋଷ ହେବା ପରେ ପ୍ରଶାସନ ପକ୍ଷରୁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଫାଇନାଲ ମାପ ଚୁପ ଶେଷ ହୋଇଛି । ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତିରେ ମାପଚୁପ ହୋଇଥିଲା । ଫଳରେ ପ୍ରଶାସନର ଏହି ମାପଚୁପକୁ କେତେଜଣ ସ୍ଥାନୀୟ ବାସିନ୍ଦା ଓ ହୋଟେଲ ମାଲିକ ସନ୍ତୋଷ ଥିବା ବେଳେ ଅନ୍ୟ କେତେଜଣ ଅସନ୍ତୁଷ୍ଟ ରହିଥିବା ଜଣାପଡ଼ିଛି ।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ତହସିଲ୍ଦାର କ୍ଷୀରୋଦ କୁମାର ବେହେରାଙ୍କ ଉପସ୍ଥିତିରେ ମାପଚୁପ କାର୍ଯ୍ୟ ଶେଷ ହୋଇଥିଲା । ଏପରିକି ଯେଉଁ ସ୍ଥାନରୁ ଉଚ୍ଛେଦ କରାଯିବ ସେହି ସ୍ଥାନକୁ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଏ ସମ୍ପର୍କରେ ସ୍ଥାନୀୟ ସାନ୍ତନା ହୋଟେଲ୍ ମାଲିକ ଶ୍ରୀମନ୍ତ କୁମାର ଦାଶ କୁହନ୍ତି, ଦିନକୁ ଦିନ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଗାଡ଼ି ସଂଖ୍ୟା ମଧ୍ୟ ମାତ୍ରାଧିକ ବଢ଼ିଛି । ତତ୍ସହିତ ପେଣ୍ଠକଟାଠାରେ ନିର୍ମାଣ ହେଉଥିବା ଷ୍ଟାଡିୟମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସିଟିରୋଡ ଅଣଓସାରିଆ ହୋଇଥିବାରୁ ସବୁବେଳେ ରାସ୍ତା ଜାମ୍ ରହୁଛି । ତେଣୁ ରାସ୍ତାକୁ ପ୍ରଶାସନ ପକ୍ଷରୁ ସଂପ୍ରସାରଣ କରାଯାଉଥିବାରୁ ଏହାକୁ ଆମ୍ଭେ ସ୍ୱାଗତ କରୁଛୁ । ଏହି ରାସ୍ତା ସଂପ୍ରସାରଣ ସମୟରେ କ୍ଷତିଗ୍ରସ୍ତ ଉଠାବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଦୋକାନୀ ଓ ଜମି ମାଲିକମାନଙ୍କୁ ଉଚିତ୍ କ୍ଷତିପୂରଣ ରାଶି ପ୍ରଦାନ କରି ପ୍ରକଳ୍ପ କାର୍ଯ୍ୟ କଲେ ତାହାକୁ ସମେସ୍ତ ସ୍ୱାଗତ କରିବେ । ଏହାକୁ ପ୍ରଶାସନ ଗଭୀରତାର ସହ ଗ୍ରହଣ କରିବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି । ସୂଚନାଥାଉକି, ସୁଭାଷ ବୋଷ ଛକରୁ ଭୂଦାନ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ପାଇଁ ୧୩କୋଟି ୯୯ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି ।