ଆସୁଛି ଲଘୁଚାପ!

୯ ଯାଏ ଶୁଖିଲା, ବାତ୍ୟା ପାଇଁ ପାଗ ଅନୁକୂଳ
ଭୁବନେଶ୍ୱର, ୪ା୧୧ (ବୁ୍ୟରୋ): ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ଝଡ଼ । ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ନେଇ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ୱିଣ୍ଡି ପୂର୍ବାନୁମାନ କରିଥିବାବେଳେ ଆମେରିକାନ୍ ଜିଏଫ୍ଏସ୍ ମଡେଲ୍ ସମ୍ଭାବ୍ୟ ଲଘୁଚାପ ସାମୁଦ୍ରିକ ଝଡ଼ ତଥା ଏକ ଲଘୁ ବାତ୍ୟା ରୂପ ନେବା ଆକଳନ କରିଛି । ସେପଟେ ଆମେରିକା ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ କହିଛନ୍ତି, ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏଥିପାଇଁ ପାଗ ଅନୁକୂଳ ରହିଛି । ଦକ୍ଷିଣ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । କିନ୍ତୁ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରର ଟ୍ରାକ୍ ଓ ତୀବ୍ରତା ବାବଦରେ କୌଣସି ପୂର୍ବାନୁମାନ କରି ହୋଇନାହିଁ । ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏନେଇ ପରବର୍ତ୍ତୀ ଆକଳନ କରାଯିବ ବୋଲି ନିକୋଲସ୍ କହିଛନ୍ତି । ଅନ୍ୟପଟେ ସମ୍ଭାବ୍ୟ ଲଘୁଚାପ କି ସାମୁଦ୍ରିକ ଝଡ଼ ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାମନୁମାନ କରିନି ।
ସେପଟେ ଆସନ୍ତା ୯ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବା ସହ ପାରଦ ତଳମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଶୁକ୍ରବାର ସନ୍ଧ୍ୟରାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ରେ ଏନେଇ ସୂଚନା ଦିଆଯାଇଛି । ଶୁକ୍ରବାର ୧୪.୫ ଡିଗ୍ରୀ ସହ ସୋନପୁର ରାଜ୍ୟର ଥଣ୍ଡା ସହର ପାଲଟିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାୟଗଡ଼ାରେ ୧୦୧ ମିମି, କୋରାପୁଟରେ ୯୭.୬ ମିମି, ଗଜପତିରେ ୨୯ ମିମି, କନ୍ଧମାଳରେ ୪.୬ ମିମି ଓ ଗଞ୍ଜାମରେ ୧.୪ ମିମି ବର୍ଷା ହୋଇଛି । ଏହାବାଦ୍ ଦକ୍ଷିଣ ଓଡ଼ିଶାର ଏକାଧିକ ଜିଲ୍ଲାରେ ଘନକୁହୁଡ଼ି ନଜରକୁ ଆସିଛି । ଫୁଲବାଣୀରେ ଦୃଶ୍ୟମାନ କ୍ଷମତା ୧୦୦ ମିଟର ଥିବାବେଳେ କୋରାପୁଟ ଓ ଟିଟଲାଗଡ଼ରେ ୨୦୦ ମିଟର, ଭବନୀପରଟଣାରେ ୭୫୦ ମିଟର ଓ ପାଳାଖେମୁଣ୍ଡିରେ ୮୦୦ ମିଟର ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *