ଭୋଟ୍ ଦେବାରେ ମହିଳା ଆଗୁଆ
ଭୁବନେଶ୍ୱର, ୪ା୧୧ (ବୁ୍ୟରୋ): ଧାମନଗର ଉପନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରମାନେ ଅଧିକ ଉତ୍ସାହ ଦେଖାଇଛନ୍ତି । ମାର୍ଗଶୀର ମାସ ପ୍ରଥମ ଗୁରୁବାର (ମାଣବସା) ସତ୍ତ୍ୱେ ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ରେ ଗଣତି ହେବ । ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଥିବାବେଳେ ମୋଟ ୬୮.୯୮% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋନୀଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଧାମନଗର ନିର୍ବାଚନମଣ୍ଡଳୀରେ ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୪ହଜାର ୪୬୫ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଉଦବେଗର କଥା ହେଉଛି, ଧାମନଗର ଉପନିର୍ବାଚନରେ ଭୋଟ୍ ଦେବା ପାଇଁ ପୁରୁଷ ଭୋଟରମାନେ ଅପେକ୍ଷାକୃତ କମ୍ ଆଗ୍ରହ ଦେଖାଇଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀରେ ମୋଟ ୧ଲକ୍ଷ ୨୩ହଜାର ୩୮ଜଣ ପୁରୁଷ, ୧ଲକ୍ଷ ୧୫ହଜାର ୩୪୬ଜଣ ମହିଳା ଭୋଟର ଓ ୩୩ଜଣ କିନ୍ନର ଭୋଟର ଅଛନ୍ତି । ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟରଙ୍କ ତୁଳନାରେ ପୁରୁଷ ଭୋଟରଙ୍କ ସଂଖ୍ୟା ପ୍ରାୟ ୮ହଜାର ଅଧିକ ଥିଲେ ମଧ୍ୟ ଚଳିତ ଉପନିର୍ବାଚନରେ ଅପେକ୍ଷାକୃତ ଅଧିକ ସଂଖ୍ୟକ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ।
ସୂଚନା ଅନୁସାରେ, ଚଳିତ ଉପନିର୍ବାଚନରେ ମୋଟ ୮୫,୪୫୨ଜଣ ମହିଳା ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ଭୋଟ୍ ଦେଇଥିବା ପୁରୁଷ ଭୋଟରଙ୍କ ସଂଖ୍ୟା ମାତ୍ର ୭୯,୦୧୧ । ପୁରୁଷଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି ୩୩ଜଣରୁ ମାତ୍ର ୨ଜଣ କିନ୍ନର ମତଦାନରେ ସାମିଲ ହୋଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେପଟେ ଫଳାଫଳକୁ ନେଇ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ତିନି ନେତା ପ୍ରତିକ୍ରିୟା ରଖିଛନ୍ତି । ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ଜିତିବ ବୋଲି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି । ମହିଳା, ଯୁବକ, ଛାତ୍ରଙ୍କ ଭୋଟ ବିଜେଡି ଖାତାକୁ ଆସିଛି । ଅଧିକ ମହିଳା ଭୋଟ ଦେଇଛନ୍ତି, ସବୁ ମହିଳା ଭୋଟ ବିଜେଡି ସପକ୍ଷରେ ଯାଇଛି । ଲୋକମାନେ ଯେମିତି ପ୍ରତିଶ୍ରୁତି ଦେଇଥିଲେ ସେମିତି ଭୋଟ ଆସିଛି । ସ୍ୱାଧୀନ ପ୍ରାର୍ଥୀଙ୍କୁ କାହିଁକି ଲୋକ ଭୋଟ ଦେବେ । ରାଜୁ ଦାସ ଫ୍ୟାକ୍ଟର୍ କାମ ଦେଇନାହିଁ । କାରଣ ଲୋକେ ଜାଣନ୍ତି ସରକାରୀ ଦଳକୁ ଭୋଟ ଦେଲେ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କୁ ମିଳିବ ।
ଏଣେ ଧାମନଗର ଉପନିର୍ବାଚନରେ ଜିତିବା ନିଶ୍ଚିତ ବୋଲି ଦାବି କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ସବୁ ବ୍ଲକରେ ଦଳ ଭଲ କରିଛି । ବିଜେପି ଧାମନଗର ଜିତିବା ଶତ ପ୍ରତିଶତ ସମ୍ଭାବନା କରୁଛି । ବିଜେଡି ଔଷଧ ବିକଳରେ ତାଟିଆ କାମୁଡି ଗଣ୍ଡଗୋଳ କରୁଛି । ଗଣତନ୍ତ୍ରକୁ ହତ୍ୟା କରିବାକୁ ବିଜେଡି ପ୍ରୟାସ କରିଛି । ବିଜେଡିର ସବୁ ପ୍ରୟାସ ସତ୍ତ୍ୱେ ବି ଭଲ ବ୍ୟବଧାନରେ ଜିତି ବିଜୟ ଟିକା ପିନ୍ଧିବ ବିଜେପି । ଲମ୍ବା ସମୟର କୁଶାସନକୁ ପ୍ରତ୍ୟାଖାନ କରିବେ ଲୋକେ । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରି ଗଣତନ୍ତ୍ରକୁ ହତ୍ୟା କରିବାକୁ ପ୍ରୟାସ କରିଛି ବିଜେଡି । ଲୋକେ କିପରି ଭୋଟ ନଦେବାକୁ ଯାଇପାରିବେ ସେଥିପାଇଁ ଭୟର ବାତାବରଣ ସୃଷ୍ଟି କରିଛି । ତା ସତ୍ତ୍ୱେ ବିଜେପି ଜିତିବା ସୁନିଶ୍ଚିତ ବୋଲି ପୃଥୀରାଜ କହିଛନ୍ତି ।
ତେଣେ ଫଳାଫଳ ପୂର୍ବରୁ ହାର ମାନିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେଡି ଓ ବିଜେପିଙ୍କ ଟଙ୍କା ବଣ୍ଟା ଯୋଗୁଁ କଂଗ୍ରେସ ତୃତୀୟ ସ୍ଥାନରେ ରହିବ । ଏଠାରେ କଂଗ୍ରେସ ୨୫ ହଜାର ଭୋଟ ପାଇବ । ରାଜୁ ଦାସ ୫ ହଜାର ଭୋଟ ପାଇବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।