ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର, ୪ା୧୧ (ବୁ୍ୟରୋ): ବହୁ ଦିନ ଧରି ଚାଲିଛି ଓଡ଼ିଶାରେ ସୀମା ବିବାଦ । ତଥାପି ବାହାରୁନି ସମାଧାନର ବାଟ । କୋରାପୁଟର କୋଟିଆ ଓ ଗଜପତି ଜିଲ୍ଲାର ସୀମା ବିବାଦ ସମସ୍ୟା ଅଣାୟତ ପରିସ୍ଥିତି ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଅବ୍ୟହତ ଥିବାବେଳେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସାମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆ ଏବଂ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣାରେ ସୀମା ବିବାଦ ଦେଖାଦେଇଛି ।
କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୀମା ବିବାଦର ସାମାଧାନ ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଉ । ଏହି ବୈଠକରେ ସୀମା ବିବାଦ ପାଇଁ ଗଠନ କରାଯାଇଥିବା ଅନ୍ତଃରାଜ୍ୟ କମିଟିର ଅଗ୍ରଗତି କାର୍ଯ୍ୟ ଉପରେ ସମୀକ୍ଷା କରାଯାଉ । ଏହାସହ ସୀମାବର୍ତ୍ତୀ ଗାଁ ଗୁଡିକରେ ନିଆଯାଇଥିବା ବିକାଶମୂଳକ କାର୍ଯ୍ୟ ଗୁଡ଼ିକର ତଥ୍ୟ ବୈଠକରେ ଉପସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ଆନ୍ଧ୍ର ସରକାରଙ୍କ ବେଆଇନ କାର୍ଯ୍ୟ ଅଗ୍ରଗତି ହେବାରେ ଲାଗିଛି । ଯଥା ସୀମାବର୍ତ୍ତୀ ଗ୍ରାମ ଗୁଡ଼ିକରେ ପ୍ରଶାସନିକ ହସ୍ତକ୍ଷେପ । ତେବେ କେବଳ ଏହା କୋଟିଆରେ ସୀମିତ ହୋଇ ରହିନାହିଁ ବରଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଗ୍ରାମକୁ ବ୍ୟାପିବାରେ ଲାଗିଛି । ଏହି ଗ୍ରାମ ଗୁଡ଼ିକର ନାମ ମଧ୍ୟ ବଦଳାଇ ଦିଆଯାଇ ଆନ୍ଧ୍ର ନାମ କରଣ କରାଯାଇଛି । ଆନ୍ଧ୍ର ସରକାର ସକ୍ରିୟ ଭାବେ ଏହି ସବୁ ଗ୍ରାମରେ ବିଭିନ୍ନ ଯୋଜନା ଓ ଉନ୍ନୟନ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ସହ ଅଞ୍ଚଳର ଅଧିବାସୀଙ୍କୁ ନିଜ ଆଡକୁ ଟାଣି ନେବାର ପ୍ରଲୋଭନ ଦେଖାଉଛନ୍ତି । ଏହିସବୁ ସମାଧାନ ଏବଂ ଆନ୍ଧ୍ର ସରକାରଙ୍କ ବେଆଇନ ଯୁକ୍ତ କାର୍ଯ୍ୟକୁ ଅଟକାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ର୍ରୀ ପ୍ରଧାନ ।
ସୀମା ବିବାଦ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଚିଠି ପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ପଡ଼ିଲେ ନିଷ୍ପତ୍ତି ନେବେ । ସୀମାବର୍ତ୍ତୀ ଅଞ୍ଚଳରେ ଯାହା କାର୍ଯ୍ୟକ୍ରମ କରିବା କଥା ମୁଖ୍ୟମନ୍ତ୍ରୀ କରିଛନ୍ତି । ପଡ଼ୋଶୀ ରାଜ୍ୟ ପ୍ରଲୋଭିତ କରୁଛନ୍ତି, କିନ୍ତୁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଉଛନ୍ତି । ଉଲ୍ଲେଖଯୋଗ୍ୟ, ସର୍ବଦଳୀୟ ବୈଠକ ଡକାଇ ବୈଠକରେ ସୀମାବର୍ତ୍ତୀ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି । ଶାନ୍ତିପୂର୍ଣ୍ଣ ଭାବରେ ୨ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରି ସୀମା ବିବାଦର ସମାଧାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ୨୦୨୦ ଓ ୨୦୨୧ରେ ଚିଠି ଲେଖିଥିଲେ ଶୁକ୍ରବାର ପୁଣିଥରେ ଚିଠି ଲେଖିଛନ୍ତି ।