ସେମିରେ ନୁ୍ୟଜିଲାଣ୍ଡ

ଟି-୨୦ ବିଶ୍ୱକପ୍ ୨୦୨୨
୩୫ ରନ୍ରେ ହାରିଲା ଆୟରଲାଣ୍ଡ ୱିଲିଅମ୍ସନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍
ଆଡିଲେଡ୍, ୪ା୧୧ (ଏଜେନ୍ସି): ଟି-୨୦ ବିଶ୍ୱକପ୍ରେ ପ୍ରଥମ ଟିମ୍ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି ନୁ୍ୟଜିଲାଣ୍ଡ । ଟୁର୍ଣ୍ଣାମେଣ୍ଟ ଇତିହାସରେ କିୱି ଟିମ୍ ତୃତୀୟ ଥର ଅନ୍ତିମ-୪ରେ ସ୍ଥାନ ପାଇଛି । ଶୁକ୍ରବାର ନିଜ ଶେଷ ସୁପର୍-୧୨ ମ୍ୟାଚ୍ରେ କେନ୍ ୱିଲିଅମ୍ସନ୍ଙ୍କ ଟିମ୍ ୩୫ ରନ୍ରେ ଆୟରଲାଣ୍ଡକୁ ପରାସ୍ତ କରିଛି । ୱିଲିଅମ୍ସନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଗ୍ରୁପ୍-୧ରେ କିୱି ଟିମ୍ ୭ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ସମାନ ସଂଖ୍ୟକ ମ୍ୟାଚ୍ରୁ ୩ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଥିବା ଆୟରଲାଣ୍ଡ ପ୍ରତିଯୋଗିତାରୁ ବିଦାୟ ନେଇଛି ।
୧୮୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଆୟରଲାଣ୍ଡ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୫୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଦୁଇ ଓପନର୍ – ପଲ୍ ଷ୍ଟର୍ଲିଂ (୩୭) ଓ ଅଧିନାୟକ ଆଣ୍ଡି ବଲବିର୍ନି (୩୦)ଙ୍କୁ ଛାଡ଼ିଦେଲେ ଅନ୍ୟ କାହା ପ୍ରଦର୍ଶନ ଆଶାଜନକ ନ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଜର୍ଜ ଡଲ୍ରେଲ୍ ୨୩, ଲୋର୍କାନ୍ ଟକର୍ ୧୩ ରନ୍ କରିଥିଲେ । ବିପକ୍ଷ ବୋଲର୍ ଲୋକୀ ଫର୍ଗୁସନ୍ ୩, ଟିମ୍ ସାଉଦୀ, ମିଚେଲ୍ ସାଣ୍ଟନର୍ ଓ ଇଶ୍ ସୋଧି ୨ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନୁ୍ୟଜିଲାଣ୍ଡ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୮୫ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଅଧିନାୟକ ୱିଲିଅମ୍ସନ୍ ୩୫ ବଲ୍ରୁ ସର୍ବାଧିକ ୬୧ ରନ୍ର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୫ ଚୌକା ଓ ୩ ଛକା ରହିଥିଲା । ଅନ୍ୟମାନଙ୍କ ମଧ୍ୟରେ ଓପନର୍ ଫିନ୍ ଆଲେନ୍ ୧୮ ବଲ୍ରୁ ୩୨, ଡାରିଲ୍ ମିଚେଲ୍ ୨୧ ବଲ୍ରୁ ଅପରାଜିତ ୩୧, ଓପନର୍ ଡେଭନ୍ କନୱେ ୨୮, ଗ୍ଲେନ୍ ଫିଲିପ୍ସ ୧୭ ରନ୍ କରିଥିଲେ ।
ୱିଲିଅମ୍ସନ୍ ଓ ମିଚେଲ୍ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୬୦ ରନ୍ ଯୋଗ କରିଥିଲେ । ବିପକ୍ଷ ବୋଲର୍ ଜୋଶ୍ ଲିଟଲ୍ ୩, ଗାରେଥ୍ ଡେଲାନୀ ୨ ଓ ମାର୍କ ଅଦୈର ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *