ଲକ୍ଷ୍ମୀନାରାୟଣ ବେଶ ଦେଖିଲେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ପଞ୍ଚକ ବ୍ରତ
ପୁରୀ (ବୁ୍ୟରୋ): ପଞ୍ଚଙ୍କର ପ୍ରଥମ ଦିନରେ ଲୋକାରଣ୍ୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଫଳରେ ସିଂହଦ୍ୱାର ପାଲଟିଯାଇଛି ଏକ ଭକ୍ତମେୟ ପରିବେଶ । ଶ୍ରଦ୍ଧାଳୁମାନେ ଓ ହିବଷ୍ୟାଳୀମାନେ ବିଭିନ୍ନ ଢଙ୍ଗରେ ଶ୍ରୀମନ୍ଦିରର ସିଂହଦ୍ୱାରରେ ମହାପ୍ରଭୁଙ୍କ ନାମକୁ ଜପୁଛନ୍ତି । ସମସ୍ତଙ୍କ ମୁହଁରେ ଥିଲା ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ପଞ୍ଚକୁର ପ୍ରଥମ ଦିନରେ ଲକ୍ଷାଧିକ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିକୁ ଲକ୍ଷ୍ମୀନାରାୟଣ ବା ଠିଆକିଆ ବେଶରେ ଦର୍ଶନ କରିଛନ୍ତି । ଏହାକୁ ଲକ୍ଷ୍ୟ କରି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପରେ ଭକ୍ତମାନେ ନାଟମଣ୍ଡପକୁ ଯାଇ ଭିତରକାଠ ନିକଟରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦିନ ତମାମ ଓ ବିଳମ୍ବିତ ରାତ୍ରପର୍ଯ୍ୟନ୍ତ ଭକ୍ତମାନେ ଧାଡ଼ିରେ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିଲେ । ଆଜିର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ କଲେ ବହୁ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ଶ୍ରୀମନ୍ଦିରକୁ । ପରମ୍ପରା ଅନୁସାରେ ଯେଉଁମାନେ ପବିତ୍ର କାର୍ତ୍ତିକ ମାସରେ ହବିଷ କରିପାରିନାହାନ୍ତି ସେମାନେ ଏହି ପାଞ୍ଚଦିନ ହବିଷ ବ୍ରତ ପାଳନ କଲେ ସେତିକି ପୁଣ୍ୟ ମିଳେ ବୋଲି କଥା ରହିଛି । ତତ୍ସହିତ ଏହି ପାଞ୍ଚଦିନରେ ଶ୍ରୀଜିଉଙ୍କ ବିଭିନ୍ନ ବେଶରେ ଦର୍ଶନ କରିବାର ସୁଯୋଗ ମିଳିଥାଏ । କାରଣ ଶ୍ରୀଜିଉମାନଙ୍କୁ କାର୍ତ୍ତିକ ମାସର ପାଞ୍ଚଦିନରେ ପାଞ୍ଚପ୍ରକାର ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ବର୍ଷକରେ ଥରେ ହୋଇଥାଏ । ଭକ୍ତମାନେ ମହାପ୍ରଭୁଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବାର ସୁଯୋଗକୁ ହାତଛଡ଼ା କରିନଥିଲେ । ଏହି ପାଞ୍ଚଦିନରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହିତ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *