ଇସ୍ରାଏଲ୍ ଉପରେ ରକେଟ୍ ମାଡ଼
ଜେରୁଜେଲମ(ଏଜେନ୍ସି): ଇସ୍ରାଏଲରେ ସାଧାରଣ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଲିକୁଡ୍ ପାର୍ଟି ବିଜୟୀ ହେବା ସହିତ ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ଶାସନ ଭାର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ଘୋଷଣା ହେବାର କିଛି ଘଣ୍ଟା ପରେ ପରେ ଇସ୍ରାଏଲ୍ ଉପରେ ହୋଇଛି ଆଖିବୁଜା ରକେଟ୍ ମାଡ଼ । ଗାଜାଷ୍ଟ୍ରିପ୍ ପକ୍ଷରୁ ରକେଟ୍ ମାଡ଼ କରାଯାଇଛି । ଗୁରୁବାର ରାତିରେ ରକେଟ୍ ମାଡ଼ ହେବାରୁ ସାଇରନ୍ ବାଜିଥିଲା । ଗାଜା ସୀମା ନିକଟ ଇସ୍ରାଏଲ୍ର କିସୁଫିମ୍, ଏନ୍ହାସଲୋଶା ଓ ନରିମ୍ ସହରକୁ ସତର୍କ କରାଯାଇଥିଲା । ସେନା ପକ୍ଷରୁ କୁହାଯାଇଛି, ରାତି ପ୍ରାୟ ୧୦ଟାରେ ଦକ୍ଷିଣ ଇସ୍ରାଏଲର ଗାଜାରୁ ଏହି ରକେଟ୍ ମାଡ କରାଯାଇଥିଲା । କିନ୍ତୁ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ଗାଜାଷ୍ଟ୍ରିପ୍ରେ ରକେଟ୍ ପଡ଼ିଥିଲା । ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନେତ୍ୟାନେହୁ ଓ ତାଙ୍କ ସହଯୋଗୀମାନେ ଇସ୍ରାଏଲ ସଂସଦରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଟତା ହାଲସ କରିବା ପରେ ଆକ୍ରମଣ ହୋଇଛି । ଇସ୍ରାଏଲ୍ରେ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ପାର୍ଟିକୁ ନେତନ୍ୟାହୁ ପରାଜିତ କରିଛନ୍ତି । ଲାପିଡ୍ ପରାଜୟକୁ ସ୍ୱୀକାର କରିବା ସହିତ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ନେତନ୍ୟାହୁଙ୍କର ୬୦% ସାଂସଦ ବିଜୟୀ ହୋଇଛନ୍ତି ।