ଭାରତ ମହାସାଗରରେ ଚୀନ୍ ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ (ଏଜେନ୍ସି): ଭାରତର ସାମରିକ ଶକ୍ତି ବୃଦ୍ଧି ନେଇ ଚୀନ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି । ଏଥିସହିତ ଭାରତର ସାମରିକ କାର୍ଯ୍ୟକଳାପ ନିରୀକ୍ଷଣ ଓ ତଥ୍ୟ ସଂଗ୍ରହ ନିମିତ୍ତ ବିଭିନ୍ନ ସମୟରେ ପ୍ରୟାସ କରି ଆସିଛନ୍ତି । ଭାରତ ପକ୍ଷରୁ କ୍ଷେପଣାସ୍ତ୍ର ପରୀକ୍ଷଣର କିଛି ଦିନ ପୂର୍ବରୁ ଚୀନ୍ ଭାରତ ମହାସାଗରର ଜଳସୀମାକୁ ପୁନର୍ବାର ଏକ ଗୁପ୍ତଚର ଜାହାଜ ପଠାଇଛି । ତିନି ମାସ ପୂର୍ବେ ଭାରତୀୟ ସାମରିକ କାର୍ଯ୍ୟକଳାପ ସଂପର୍କରେ ତଥ୍ୟ ସଂଗ୍ରହ ଲାଗି ଚୀନ ଅନୁରୂପ ଧରଣର ଗୁପ୍ତଚର ଜାହାଜ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ମୁତୟନ କରିଥିଲା ।
ପ୍ରତିରକ୍ଷା ବାହିନୀର ସୂଚନା ଅନୁଯାୟୀ, କିଛିଦିନ ହେଲା ଅନ୍ୟ ଏକ ଗୁପ୍ତଚର ଜାହାଜ ୟୁଆନ୍ ୱାଙ୍ଗ୍ (ଷଷ୍ଠ) ଭାରତ ମହାସାଗରରେ ପ୍ରବେଶ କରିଛି । ନୌସେନା ଦ୍ୱାରା ଏହାର ଗତିବିଧି ନିରୀକ୍ଷଣ କରାଯାଉଛି ।ୟୁଆନ୍ ୱାଙ୍ଗ୍ ନଙ୍ଗର ପକାଇ ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଉପଗ୍ରହ ଗତିବିଧି ଅନୁଧ୍ୟାନ କରୁଛି । ଅନଲାଇନ୍ ମେରାଇନ୍ ଟ୍ରାକିଂ ସେବା ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ, ଏହି ଜାହାଜଟି ଏବେ ବାଲି ଉପକୂଳରେ ଯାତ୍ରା କରୁଛି । ଚୀନ୍ ନୌସେନାର ଏହି ଗୁପ୍ତଚର ଜାହାଜ ଏପରି ଏକ ସମୟରେ ଭାରତ ମହାସାଗରରେ ପ୍ରବେଶ କରିଛି, ଯେତେବେଳେ ଭାରତ ଏକ ନିର୍ଦ୍ଦିଷ୍ଟ ତାରିଖ ଏବଂ ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଘୋଷଣା କରି ନୋଟାମ୍ ବା ନୋଟିସ୍ ଟୁ ଏୟାରମ୍ୟାନ୍ ଜାରି କରିଛି ।
ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ ଏକ୍ସପର୍ଟ ଡାମିଏନ୍ ସିମୋନ କହିଛନ୍ତି, ଭାରତର ଏହି ଯୋଜନାବଦ୍ଧ ପରୀକ୍ଷଣ ନଭେମ୍ବର ୧୦-୧୧ ମଧ୍ୟରେ ଓଡ଼ିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ କରାଯାଇପାରେ । ପରୀକ୍ଷଣ ହେବାକୁ ଥିବା ଉକ୍ତ ମିଜାଇଲ୍ର ଲକ୍ଷଞଭେଦୀ କ୍ଷମତା ୨,୨୦୦ କିଲୋମିଟର । ତଦନୁଯାୟୀ, ଶ୍ରୀଲଙ୍କାରୁ ପଶ୍ଚିମ ଏବଂ ଇଣ୍ଡୋନେସିଆରୁ ପୂର୍ବ ମଧ୍ୟରେ ଥିବା ଏକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବରେ ଅବରୋଧ କରାଯାଇଛି । ଏହି ଅଞ୍ଚଳ ଉପରେ ପରୀକ୍ଷଣ ହେବ ।
ଅନ୍ୟପକ୍ଷରେ ଚୀନ୍ ନୌସେନାର ଗୁପ୍ତଚର ଜାହାଜ ଭାରତ ମହାସାଗରକୁ ପ୍ରବେଶ କରିବା ଓ ପରୀକ୍ଷଣ ନିରୀକ୍ଷଣ କରିବା ଖବର ପ୍ରକାଶ ପାଇବା ପରେ ଭାରତୀୟ ପ୍ରତିରକ୍ଷା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଛନ୍ତି । ୟୁଆନ୍ ୱାଙ୍ଗ୍ ମାଧ୍ୟମରେ ଚୀନ୍ ମିଜାଇଲ୍ ପରୀକ୍ଷଣର ଗତିପଥ, ଗତି ଓ ସାମର୍ଥ୍ୟ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇବା ସହ ଏହାକୁ ଟ୍ରାକ୍ କରିବାକୁ ଉଦ୍ୟମ କରିପାରେ । ପୂର୍ବରୁ ବାରମ୍ବାର ହ୍ୱିଲର୍ ଦ୍ୱୀପରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରୁଥିଲା । ଚଳିତ ବର୍ଷ ଅଗଷ୍ଟରେ ଚୀନ ୟୁଆନ୍ ୱାଙ୍ଗ୍-୫ ଜାହାଜ ଶ୍ରୀଲଙ୍କର ହାମ୍ବାନଟୋଟା ବନ୍ଦରରେ ମୁତୟନ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *