ଇମ୍ରାନ୍ଙ୍କୁ ଗୁଳିମାଡ଼

ଲାହୋର, ୩ା୧୧: ପାକିସ୍ତାନରେ କିଛି ଦିନ ହେଲା ରାଜନୈତିକ ଅସ୍ଥିରତା ଲାଗି ରହିଥିବାବେଳେ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଉପରେ ହୋଇଛି ପ୍ରାଣଘାତୀ ଆକ୍ରମଣ । ଲାହୋରରୁ ଇସ୍ଲାମାବାଦ୍ ଅଭିମୁଖେ ଲଙ୍ଗ୍ ମାର୍ଚ୍ଚରେ ଯାଉଥିବାବେଳେ ପଞ୍ଜାବ ପ୍ରଦେଶର ଗୁଜରାଁୱାଲାଠାରେ ଜଣେ ଲୋକ ପିସ୍ତଲରୁ ଗୁଳି ବର୍ଷଣ କରିଥିଲା । ଇମ୍ରାନ୍ଙ୍କ ଡାହାଣ ଗୋଡରେ ୩ଟି ଗୁଳି ବାଜିଛି । ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଇମ୍ରାନ୍ଙ୍କ ଦଳ ପିଟିଆଇର ସାଂସଦ ଫୈସଲ୍ ଜାଭେଦ୍ ସମେତ ୯ଜଣ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସାରାରେ ଆକ୍ରମଣ ହୋଇଛି ବୋଲି ଇମ୍ରାନଙ୍କ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।
ଇମ୍ରାନ୍ଙ୍କୁ ବୁଲେଟ୍ପ୍ରୁଫ୍ ଗାଡିରେ ଲାହୋର ସ୍ଥାନାନ୍ତର କରାଯାଇଛି । ପ୍ରଭୂତ ରକ୍ତସ୍ରାବ ସତ୍ତ୍ୱେ ସେ ଏବେ ବିପଦମୁକ୍ତ । ତେବେ ୩ ସପ୍ତାହ ପର୍ଯ୍ୟନ୍ତ ଚାଲବୁଲ କରିପାରିବେ ନାହିଁ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ ।
ପୁଲିସ୍ ଆକ୍ରମଣକାରୀକୁ ଗିରଫ କରିଛି । ଫୈସଲ ଭଟ୍ଟ ନାମକ ଏହି ବ୍ୟକ୍ତି ଏକ ନୁ୍ୟଜ୍ ଚ୍ୟାଲେନ୍ର ପ୍ରତିନିଧିଙ୍କୁ କହିଛି, ଇମ୍ରାନ୍ ଖାନ୍ ପାକିସ୍ତାନବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ସେ ତାଙ୍କ ର୍ୟାଲିରେ ଖାଲି ହୋ-ହଲ୍ଲା କରୁଛନ୍ତି । ଅଜାନ୍ ଚାଲିଥିôବାବେଳେ ବି ତାଙ୍କ ସମର୍ଥକମାନେ ଡେକ୍ ବଜାଇ ରୋଳ କରୁଛନ୍ତି । ଏଥିପାଇଁ ମୁଁ ତାଙ୍କୁ ମାରିବାକୁ ଚେଷ୍ଟା କଲି । କେବଳ ଇମ୍ରାନ୍ଙ୍କୁ ହତ୍ୟା କରିବା ମୋର ଲକ୍ଷ୍ୟ । ମତେ କେହି ପଠାଇ ନାହାନ୍ତି ।
ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ ପଞ୍ଜାବ ପୁଲିସ୍ ଉପସ୍ଥିତିରେ ଗୁଳିକାଣ୍ଡ ହୋଇଛି । ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଇମ୍ରାନ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଇମ୍ରାନଙ୍କୁ ଟାର୍ଗେଟ୍ କରି ଆକ୍ରମଣକାରୀ ଗୁଳି ଚଳାଇବା ବେଳେ ଉକ୍ତ ଯୁବକ ତାକୁ ପଛପଟୁ ମାଡିବସିଥିଲେ ।
୭୦ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ପରଠାରୁ ପାକିସ୍ତାନରେ ଉତ୍ତେଜନା ଚରମସ୍ତରରେ ପହଞ୍ଚôଛି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିବାର ଖବର ମିଳିଛି । ସିୟାକୋଟ୍ଠାରେ ଇମ୍ରାନ୍ଙ୍କ ସମର୍ଥକମାନେ ଜାତୀୟ ରାଜପଥ ଜାମ୍ କରିଛନ୍ତି ।
ଗୁଳିକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ଙ୍କ ବୟାନ ସାମ୍ନାକୁ ଆସିଛି । ସେ କଡ଼ା ଭାଷାରେ ନିନ୍ଦା କରିବା ସହ ଆକ୍ରମଣ ସମ୍ପର୍କରେ ଆଇଜି ପୁଲିସ ଓ ପଞ୍ଜାବର ମୁଖ୍ୟ ସଚିବଙ୍କଠାରୁ ତତ୍କାଳ ରିପୋର୍ଟ ମାଗିବା ପାଇଁ ଗୃହ ବିଭାଗ ମନ୍ତ୍ରୀ ରାଣା ସନାଉଲ୍ଲାହଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *