୭ ଆସନ ପାଇଁ ୪୭ ପ୍ରାର୍ଥୀ

ସରିଲା ୬ ରାଜ୍ୟର ଉପନିର୍ବାଚନ, ୬ରେ ଆସିବ ଫଳାଫଳ
ନୂଆଦିଲ୍ଳୀ (ଏଜେନ୍ସି): ଗୁରୁବାର ୬ ରାଜ୍ୟର ୭ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ରିପୋର୍ଟ ଲେଖାହେବା ସୁଦ୍ଧା ଏହି ୬ ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା କୁହାଯାଉଛି । ଏସବୁ ଆସନ ମଧ୍ୟରେ ହରିଆଣାର ଆଦମପୁର, ମହରାଷ୍ଟ୍ରର ଅନେ୍ଧରୀ ଇଷ୍ଟ, ବିହାରର ଗୋପାଳଗଞ୍ଜ ଏବଂ ମୋକାମ୍ମା, ତେଲଙ୍ଗାନାର ମୁନୁଗୋଡେ, ଉତ୍ତରପ୍ରଦେଶର ଗୋଲା ଗୋକରନାଥ ଏବଂ ଓଡ଼ିଶାର ଧାମନଗର ଆସନ ସାମିଲ ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲା । ସମ୍ବେଦନଶୀଳ ବୁଥ ଗୁଡ଼ିକୁ ଚିହ୍ନଟ କରାଯାଇ ସୁରକ୍ଷାକୁ କଡାକଡି କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଥିଲା । ସବୁଠି ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ନିଜର ମତ ସାବ୍ୟସ୍ତ କରିଥିଲେ ।
ଏସବୁ ରାଜ୍ୟର ବିଧାନସଭା ନିର୍ବାଚନ କ୍ଷେତ୍ରରେ ଗୁରୁବାର ସକାଳ ୭ଟା ସମୟରୁ ହିଁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଜାରି ରହିଥିଲା । ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଏସବୁ ଅଞ୍ଚଳରୁ ଭୋଟ୍ ପ୍ରତିଶ୍ରତ ସାମ୍ନାକୁ ଆସିଛି । ସବୁଠୁ ବଡ଼ କଥା ହେଉଛି ଏସବୁ ଉପନିର୍ବାଚନରେ ବିଜେପି ଏବଂ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ବିଜେପି ତୁଳନାରେ ତେଲଙ୍ଗାନାରେ ଶାସକ ଦଳ ଭାରତ ରାଷ୍ଟ୍ରୀୟ ସମିତି (ବିଆରଏସ୍), ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍ପି), ଓଡ଼ିଶାରେ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି), ମହାରାଷ୍ଟ୍ରରେ ଶିବସେନା, ବିହାରରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଆଦି ଦଳର ପଲ୍ଲା ଭାରି ରହିଛି । ୬ ରାଜ୍ୟର ଏହି ୭ ଆସନ ପାଇଁ ମୈଦାନରେ ୪୭ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ପ୍ରକାଶ, ଆସନ୍ତା ୬ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ । ଆଗକୁ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହାପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ଉପନିର୍ବାଚନ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *