ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ

ସିଏମ୍ସି, ଓଏଚ୍ପିସି, ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ଇ-ଅଫିସ୍ ଆରମ୍ଭ
ଭୁବନେଶ୍ୱର (ବୁ୍ୟରୋ): ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ପୌର ନିଗମ (ସିଏମ୍ସି), ଓଏଚ୍ପିସି ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନିମନ୍ତେ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରୁ ତିନିଟି ସଂସ୍ଥାର କାର୍ଯ୍ୟଧାରା ଅନୁଯାୟୀ ପ୍ରସ୍ତୁତ ଭିନ୍ନ ଭିନ୍ନ ସଫ୍ଟ ଓୟାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ କହିଥିଲେ, ଓସ୍ୱାସ୍ ଏବଂ ଇ-ଅଫିସ୍ ସରକାରୀ ପ୍ରଶାସନ ଓ ସେବା ଯୋଗାଣରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗର ଦୁଇଟି ଜ୍ୱଳନ୍ତ ଉଦାହରଣ । ଏହା ଅଫିସ କାର୍ଯ୍ୟଧାରାକୁ ସରଳ ଓ ସ୍ୱୟଂକ୍ରିୟ କରିବା ସହ ନିଷ୍ପତ୍ତି ଗ୍ରହଣ ଓ ସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।
ଅଫିସ ବରଣ୍ଡାରେ ଗଦା ଗଦା ଫାଇଲ୍ ବୋହିବା, ମାସ ମାସ ଧରି ଫାଇଲ୍ ଗୋଟିଏ ଟେବୁଲରେ ପଡି ରହିବା, ଫାଇଲ୍ ଲୁଚାଇ ଦେବା, ଫାଇଲ୍ ହଜିବା ଏବଂ ଫାଇଲ୍ରେ ହେରଫେର କରିବା ଆଦି ଅତୀତର କଥା ହୋଇଯାଇଛି । ଇ-ଅଫିସ୍ ମଧ୍ୟ ଅନ୍ଲାଇନରେ ବିଭିନ୍ନ ପ୍ରକାର ସେବା ପ୍ରମାଣପତ୍ର ଅନୁମତି, କ୍ଷମତାପତ୍ର ପ୍ରଦାନରେ ବଡ ସହାୟକ ହୋଇଛି । ଇ-ଅଫିସ୍ ବ୍ୟବସ୍ଥା ସରକାରୀ କାର୍ଯ୍ୟାଳୟକୁ ବର୍ତ୍ତମାନ ଓ ଭବିଷ୍ୟତ ଆହ୍ୱାନ ପାଇଁ ଦକ୍ଷ କରିଛି । ସୂଚନାଯୋଗ୍ୟ, ଯେଉଁ କାର୍ଯ୍ୟାଳୟଗୁଡିକ ଓସ୍ୱାସ୍ ଦ୍ୱାରା ସଂଯୋଗ ହୋଇ ନ ପାରିଛି ସେସବୁରେ ଇ-ଅଫିସ ଶିଘ୍ର ଆରମ୍ଭ କରିବା ନିମନ୍ତେ ଏକ ସମୟାନୁ ବନ୍ଧିତ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ମହାପାତ୍ର ସିଏମ୍ଜିଆଇ ଏବଂ ଏନ୍ଆଇସିଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
ଏହି ଅବସରରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ସିଏମ୍ଜିଆଇର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ଼ଃ ସତ୍ୟପ୍ରିୟ ରଥ, ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଓଏଚ୍ପିସିର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ପ୍ରଫେସର ରବିନ୍ଦ୍ର କୁମାର ପଣ୍ଡା, କଟକ ପୌର ନିଗମ କମିଶନର ନିଖିଲ ପବନ କଲ୍ୟାଣ, ଏନ୍ଆଇସି ଉପ ମହାନିଦେ୍ର୍ଦଶକ କବିତା ରାୟ ଦାଶ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଦେବବ୍ରତ ମଳ୍ଲିକ, ସିଏମ୍ଜିଆଇ ପ୍ରକଳ୍ପ ସଂଯୋଜକ ପିନାକୀ ମହାନ୍ତିଙ୍କ ସମେତ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *