ଆଜିଠୁ ପଞ୍ଚକ ବ୍ରତ

ପୁରୀ (ବୁ୍ୟରୋ): ଶୁକ୍ରବାରଠୁ ମହାକାର୍ତ୍ତିକର ପଞ୍ଚକ ବ୍ରତ । କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚକ ବେଶ ଅନୁଷ୍ଠିତ ହେବ । ସେହିପରି ଶ୍ରୀମନ୍ଦିରରେ ହରି ଉତ୍ଥାପନ ଏକାଦଶୀ ନୀତି ସମ୍ପନ୍ନ ହେବା ସହିତ ମହାପ୍ରଭୁଙ୍କ ଠିଆକିଆ ତଥା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ସେହିଭଳି ୫ରେ ବାଙ୍କଚୁଡ଼ା ବେଶ, ୬ରେ ଆଡ଼କିଆ ତଥା ତି୍ରବିକ୍ରମ ବେଶ, ୭ରେ ଡାଳିକିଆ ତଥା ଲକ୍ଷ୍ମୀନୃସିଂହ ବେଶ ଏବଂ ୮ରେ ସୁନାବେଶ ତଥା ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ଉକ୍ତ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦର୍ଶନ କରିବାର ସୁଯୋଗ ମିଳିବ କି ନାହିଁ ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।
• ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ
ଲଗାତାର ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପଞ୍ଚକରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ରହିଥିଲେ । ଚଳିତବର୍ଷ ଦର୍ଶନ କରିବାର ସୁଯୋଗ ମିଳିଛି । ତେଣୁ ପଞ୍ଚକରେ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ବିଶେଷ ଭାବେ ଭକ୍ତଗଣ ଶ୍ରୀମନ୍ଦିରକୁ ଯାଇ ଶୃଙ୍ଖଳିତ ଓ ସୁବିଧାରେ ଦର୍ଶନକୁ ଗୁରୁତ୍ୱ ଦେଇଛି ପ୍ରଶାସନ । ପଞ୍ଚକ ବ୍ରତକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏସ୍ପି କନୱାର ବିଶାଲ ସିଂହଙ୍କ ସୂଚନାନୁଯାୟୀ, ପଞ୍ଚକ ଲାଗି ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ । ଏମାନଙ୍କ ମଧ୍ୟରେ ୩ ଅତିରିକ୍ତ ଏସ୍ପି, ୮ ଡିଏସ୍ପି, ୨୫ ଇନିସପେକ୍ଟର, ଏସ୍ଆଇ ଓ ଏଏସ୍ଆଇ ୧୦୩, ହାବିଲଦାର୍ ୧୦, କନେଷ୍ଟବଳ ୧୧୦, ଟ୍ରାଫିକ୍ ହାବିଲ୍ଦାର ଓ କନେଷ୍ଟବଳ ୩୬ଜଣ ଏବଂ ୩୦୦ ହୋମଗାର୍ଡଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏହି ୨୬ ପ୍ଲାଟୁନ୍ ଫୋର୍ସ ଶ୍ରୀମନ୍ଦିର ଭିତରେ ଓ ବାହାରେ ମୁତୟନ କରାଯିବ ।
ସେହିପରି ଗାଡ଼ି ପାର୍କିଂକୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଜଗନ୍ନାଥ ବଲ୍ଲଭ, ଶରଧାବାଲି, ପୁରୁଣା ଜେଲ୍ ରୋଡ୍ ସମେତ ଅନ୍ୟ ସ୍ଥାନରେ ଚାରିଚକିଆ ଯାନ ପାର୍କିଂ କରିବେ । ଗ୍ରାଣ୍ଡ୍ ରୋଡ୍ରେ ଦୁଇଚକିଆ ଯାନ ପାର୍କିଂ କରିପାରିବେ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତାୟାତ ଲାଗି ମାର୍କେଟ ଛକଠାରୁ ଆଗକୁ କୌଣସି ଚାରିଚକିଆ ଯାନ ଛଡ଼ାଯିବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ସମୁଦ୍ରକୂଳ ଅଞ୍ଚଳରେ ମଧ୍ୟ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ଲାଗି ଅଧିକ ସଂଖ୍ୟାରେ ଲାଇଫ୍ଗାର୍ଡମାନଙ୍କୁ ବେଳାଭୂମିରେ ମୁତୟନ କରାଯିବ । ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସହରରେ ତି୍ରସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *