ଚିକିତ୍ସାଧୀନ ଦନ୍ତା ଏବେ ମୟୂରଭଞ୍ଜରେ
ବୈଶିଙ୍ଗା (ଆପ୍ର) : ବେତନଟୀ ରେଞ୍ଜ ଅଧୀନ ଅଞ୍ଚଳରେ ଗତ କିଛି ଦିନ ଧରି ଏକ ଅସୁସ୍ଥ ଦନ୍ତା ହାତୀ ବିଚରଣ କରୁଥିବା ବେତନଟୀ ବନବିଭାଗ ଦେଖିବାକୁ ପାଇଛି । ଗୋଡ଼ରେ ଆଘାତପ୍ରାପ୍ତ ହୋଇ ପଶ୍ଚିମବଙ୍ଗ ବନବିଭାଗ ଦ୍ୱାରା ଚିକିତ୍ସିତ ହେଉଥିବା ବିରାଟ ଦନ୍ତା ଗତକାଲି ଓଡିଶା ସୀମା ଅତିକ୍ରମ କରି ବେତନଟୀ ରେଞ୍ଜରେ ପ୍ରବେଶ କରିଥିବା ବନ ବିଭାଗ ଦେଖିବାକୁ ପାଇଛି । ଅସୁସ୍ଥ ଦନ୍ତାର ଆବଶ୍ୟକ ଚିକିତ୍ସା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡାକ୍ତର ପିୟୂଷ ସୋରେନ ଏବଂ ଏସିଏଫ ରବିନାରାୟଣ ମହାନ୍ତି ହାତୀର ଗତିବିଧି ଯାଞ୍ଚ କରୁଛନ୍ତି । ତା’ର ପଛପଟ ଡାହାଣ ଗୋଡ଼ରେ କଣ ସମସ୍ୟା ରହିଛି ତାହାର ଅନୁଧ୍ୟାନ ଜାରି ରହିଛି ।
ଦନ୍ତାଟି ବେତନଟୀ ରେଞ୍ଜ ଅଧୀନ ବଡାମପୁର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହୁଥିବା ବେଳେ ଅସୁସ୍ଥତା କାରଣରୁ ଚଳପ୍ରଚଳ କରିପାରୁନାହିଁ । ଏନେଇ ଡାକ୍ତରୀଟିମ୍ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଦନ୍ତାର ଚିକିତ୍ସା କରୁଥିବା ଫଶ୍ଚିମବଙ୍ଗ ଡାକ୍ତରୀଟିମ୍ ସହିତ ମୟୂରଭଞ୍ଜ ବନବିଭାଗ ସମ୍ପର୍କ ସ୍ଥାପନ କରିଛି । ପଶ୍ଚିମବଙ୍ଗରେ ଚାଲିଥିବା ଚିକିତ୍ସା ପଦ୍ଧତି ମୁତାବକ ଏଠାରେ ମଧ୍ୟ ଚିକିତ୍ସା କରାଯିବ ବୋଲି ଏସିଏଫ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ତେବେ ହାତୀର ଚିକିତ୍ସା ପାଇଁ ଏହାକୁ ଟ୍ରଙ୍କୁଲାଇଜ କରାଯିବାର ଆବଶ୍ୟକତା ନଥିବା ବେଳେ ଖାଦ୍ୟରେ ଔଷଧ ମିଶାଇ ଚିକିତ୍ସା କରାଯାଉଛି । ତେବେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ୨୪ଘଣ୍ଟା ଧରି ଅସୁସ୍ଥ ଦନ୍ତାର ଗତିବିଧି ଏବଂ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖୁଥିବା ଏସିଏଫ ରବିନାରାୟଣ ମହାନ୍ତି ସୂଚନା ଦେଇଛନ୍ତି ।
ବତାମପୁର ସଂରକ୍ଷିତ ଜଙ୍ଗଲର ପାଣିଶୋଳ, କ୍ଷେତ୍ରପାଟଣା, ମହୁଲପାଣି, ବେତନାସିଆ ଅଞ୍ଚଳରେ ଶିମିଳିପାଳ ହାତୀପଲ ବିଚରଣ କରୁଥିବା ବେଳେ ଜଙ୍ଗଲର ଫାଳଝରୀ, ବେଣାଶୋଳ, କାପୋଇ ଅଞ୍ଚଳରେ ଅସୁସ୍ଥ ଦନ୍ତା ବିଚରଣ କରୁଛି । ଗୋଟିଏ ଜଙ୍ଗଲର ଭିନ୍ନ ପାର୍ଶ୍ୱରେ ଶିମିଳିପାଳ ହାତୀପଲ ଏବଂ ଅସୁସ୍ଥ ଦନ୍ତା ରହୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି ।