ବେଲାରୁଷରେ ମହାବିଧ୍ୱଂସୀ କିଂଝଲ
ମସ୍କୋ/ଲଣ୍ଡନ, ୨ା୧୧: ୟୁକ୍ରେନକୁ ଅମାପ ଅସ୍ତ୍ର ଯୋଗାଉଥିବା ପାଶ୍ଚାତ୍ୟ ଦେଶମାନଙ୍କୁ ଖୋଲା ଚେତାବନୀ ଦେବାକୁ ଯାଇ ରୁଷ୍ ତା’ର ଅତ୍ୟାଧୁନିକ ବ୍ରହ୍ମାସ୍ତ୍ର କୁହାଯାଉଥିଲା କିଂଝଲ ହାଇପରସୋନିକ୍ ପରମାଣୁ କ୍ଷେପଣାସ୍ତ୍ର ମୁତୟନ କରିଛି । ପଡ଼ୋଶୀ ଦେଶ ବେଲାରୁଷ୍ରେ ଏସବୁକୁ ରଖାଯାଇଥିବା ସାଟେଲାଇଟ୍ ଫଟୋରୁ ଜଣାପଡ଼ିଛି । ବ୍ରିଟେନ୍ର ଗୁଇନ୍ଦା ଏଜେନ୍ସି ଏକଥା ପ୍ରଘଟ କରିବା ପରେ ସମଗ୍ର ଦେଶରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
ବେଲାରୁଷ୍ରେ ପରମାଣୁ ବୋମା ବହନକ୍ଷମ କିଂଝଲ କ୍ଷେପଣାସ୍ତ୍ର ମୁତୟନ କରାଯାଇଥିବାରୁ ଏଣିକି ରୁଷ୍ ଯେକୌଣସି ସମୟରେ ଲଣ୍ଡନ ନଗରୀକୁ ଧ୍ୱସ୍ତ କରିଦେଇ ପାରିବ । କିଂଝଲ କ୍ଷେପଣାସ୍ତ୍ରକୁ ନାଟୋ ଦେଶମାନେ କିଲଜୟ ଓ ରୁଷୀ ଡେଗର ନାମରେ ଜାଣନ୍ତି । ଏହି କ୍ଷେପଣାସ୍ତ୍ରକୁ ୨ଠ୧୮ରୁ ରୁଷ୍ ସେନାରେ ସାମିଲ କରାଯାଇଛି । ଧ୍ୱନିଠାରୁ ୧୨ ଗୁଣ ବେଗରେ ଏବେ ଗତି କରିପାରୁଥିବା କିଂଝଲ ୨ଠଠଠ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ । ବେଲାରୁଷ୍ରୁ ଲଣ୍ଡନର ଦୂରତା ମାତ୍ର ୧୮ଠଠ କିଲୋମିଟର । ଏହି ମହାବିନାଶକ କ୍ଷେପଣାସ୍ତ୍ରରେ ୧ଠଠଠ ପାଉଣ୍ଡ ଓଜନର ବିସ୍ଫୋଟକ ବା ଗୋଟିଏ ପରମାଣୁ ବୋମା ଖଂଜାଯାଇଛି ।