ଭାରତ ସେମିଫାଇନାଲ୍ର ନିକଟତର

ଟି-୨ଠ ବିଶ୍ୱକପ୍ ସୁପର୍-୧୨
ଆଡିଲେଡ୍, ୨ା୧୧ (ଏଜେନ୍ସି): ଉପ-ଅଧିନାୟକ ଲୋକେଶ ରାହୁଲଙ୍କ ଠିକଣା ସମୟରେ ଫର୍ମକୁ ପ୍ରତ୍ୟାବର୍ତ୍ତନ ଓ ବିରାଟ କୋହଲିଙ୍କ ଆଉ ଏକ ଦାୟିତ୍ୱବାନ୍ ଇନିଂସ୍ ସହାୟତାରେ ଟିମ୍ ଇଣ୍ଡିଆ ବୁଧବାର ଟି-୨୦ ବିଶ୍ୱକପ୍ର ସୁପର୍-୧୨ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଅଥଚ ବର୍ଷା-ବାଧାପ୍ରାପ୍ତ ମୁକାବିଲାରେ ବାଂଲାଦେଶକୁ ୫ ରନ୍ରେ ପରାସ୍ତ କରିଛି । ଏହି ରୋମାଞ୍ଚକ ବିଜୟ ସହ ରୋହିତ ସେନା ସେମିଫାଇନାଲ୍ର ନିକଟତର ହୋଇଛି । ବିରାଟ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ବିରାଟ (୪୪ ବଲ୍ରୁ ୬୪ ରନ୍) ଓ ରାହୁଲ (୩୨ ବଲ୍ରୁ ୫୦)ଙ୍କ ସୌଜନ୍ୟରୁ ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିଲା । ବାଂଲାଦେଶ ଓପନର୍ ଲିଟନ୍ ଦାସ (୨୭ ବଲ୍ରୁ ୬୦) ଭାରତର ବିଜୟ ପଥରେ ପ୍ରଧାନ ଅନ୍ତରାୟ ହୋଇଥିଲେ । ବର୍ଷା ଛାଡ଼ିବା ପରେ ଡି/ଏଲ୍ ପଦ୍ଧତି ଅନୁଯାୟୀ ବାଂଲାଦେଶକୁ ୧୬ ଓଭର୍ରେ ୧୫୧ ରନ୍ର ବିଜୟଲକ୍ଷ୍ୟ ମିିଳିଥିଲା । ତେବେ ଟିମ୍ ଧାର୍ଯ୍ୟ ଓଭର୍ ସୁଦ୍ଧା ୬ ୱିକେଟ୍ ହରାଇ ୧୪୫ ରନ୍ କରିବାକୁ ସମର୍ଥ ହୋଇଥିଲା ।
ଭାରତ ଏବେ ଚାରି ମ୍ୟାଚ୍ରୁ ଛଅ ପଏଣ୍ଟ ପାଇ ଗ୍ରୁପ୍-୨ ଶୀର୍ଷରେ ପହଞ୍ଚିଛି । ସେମିଫାଇନାଲ୍ରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆକୁ ଶେଷ ମ୍ୟାଚ୍ରେ ଜିମ୍ବାୱେକୁ ହରାଇବାକୁ ହେବ । ରବିବାର ଏହି ମ୍ୟାଚ୍ ଖେଳାଯିବ ।
୧୮୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶୀ ଟିମ୍ ଦମ୍ଦାର ଢଙ୍ଗରେ ବ୍ୟାଟିଂ କରି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ୭ ଓଭର୍ରେ କୌଣସି ୱିକେଟ୍ ନ ହରାଇ ୬୬ ରନ୍ ସଂଗ୍ରହ କରିଥିଲା । ବିଶେଷକରି ଲିଟନ୍ ଦାସ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଲିଟନ୍ ୫୯ ଓ ନଜମୁଲ ହୋସେନ୍ ଶାଣ୍ଟୋ ୭ ରନ୍ କରି ଅପରାଜିତ ଥିଲେ ।
ବର୍ଷା ଛାଡ଼ିବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । ବାଂଲାଦେଶକୁ ସଂଶୋଧିତ ବିଜୟ ଲକ୍ଷ୍ୟରେ ୫୪ ବଲ୍ରୁ ଆଉ ୮୫ ରନ୍ ଆବଶ୍ୟକ ଥିଲା । ଏହି ବର୍ଷା-ବିରତି ଓପନିଂ ଯୋଡ଼ିର ଲୟକୁ ପ୍ରଭାବିତ କରିଥିଲା । ରାହୁଲ ଡିପ୍ ମିଡ୍-ୱିକେଟ୍ରୁ ସିଧା ଥ୍ରୋ’ କରି ଲିଟନ୍ଙ୍କୁ ପାଭିଲିଅନ୍ ପଠାଇଥିଲେ । ମ୍ୟାଚ୍ ପୁଣି ଆରମ୍ଭ ହେବାର ଦ୍ୱିତୀୟ ବଲ୍ରେହିଁ ଏହି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା ଟିମ୍ ।
୬୦ ରନ୍ର ଧୂଆଁଦାର ଇନିଂସ୍ ଖେଳି ଲିଟନ୍ ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୭ ଚୌକା ଓ ୩ ଛକା ରହିଥିଲା । ପ୍ରତିଭାଶାଳୀ ଲିଟନ୍ଙ୍କ ପାଇଁ ଭାରତୀୟ ଟିମ୍ କୌଣସି ପୂର୍ବ-ପ୍ରସ୍ତୁତି କରିବା ଭଳି ଜଣାପଡ଼ୁ ନ ଥିଲା । ବର୍ଷା ପୂର୍ବରୁ ସେ ଭୁବନେଶ୍ୱର କୁମାର ଓ ଅର୍ଶଦୀପଙ୍କ ଭଳି ବୋଲର୍ଙ୍କୁ ସେ ଦୃଢ଼ତାର ସହ ସାମ୍ନା କରିଥିଲେ ।
ଅନ୍ୟତମ ଓପନର୍ ଶାଣ୍ଟୋ (୨୫ ବଲ୍ରୁ ୨୧)ଙ୍କୁ ମହମ୍ମଦ ଶାମୀ ପାଭିଲିଅନ୍ ପଠାଇଥିଲେ । ୧୨ତମ ଓଭର୍ରେ ଅର୍ଶଦୀପ ପ୍ରଥମେ ଅଫିଫ୍ ହୋସେନ୍ (୩) ଓ ଏହାପରେ ଶାକିବ ଅଲ୍ ହସନ୍ (୧୩)ଙ୍କୁ ଆଉଟ୍ କରି ବାଂଲାଦେଶ ମଧ୍ୟକ୍ରମର ଅଣ୍ଟା ଭାଙ୍ଗି ଦେଇଥିଲେ । ୧୩ତମ ଓଭର୍ରେ ହାର୍ଦ୍ଦିକ ପାଣ୍ଡ୍ୟା ପରବର୍ତ୍ତୀ ବ୍ୟାଟର୍ ୟାସିର୍ ଅଲୀ (୧) ଓ ମୋସାଦେକ ହୋସେନ୍ (୬)ଙ୍କୁ ଆଉଟ୍ କରି ବାଂଲାଦେଶକୁ ବ୍ୟାକ୍ଫୁଟ୍କୁ ନେଇ ଆସିଥିଲେ ।
ଶେଷ ଓଭର୍ରେ ଜିତିବା ପାଇଁ ବାଂଲାଦେଶକୁ ୨୦ ରନ୍ ଆବଶ୍ୟକ ଥିଲା । କିନ୍ତୁ ଟିମ୍ ୧୪ ରନ୍ କରିଥିଲା । ନୁରୁଲ ହସନ୍ ୨୫ ଓ ତସ୍କିନ୍ ଅହମଦ ୧୨ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ଟିମ୍ର ଚୂଡ଼ାନ୍ତ ଏକାଦଶକୁ ଅକ୍ଷର ପଟେଲ୍ ପ୍ରତ୍ୟାବର୍ତ୍ତନ କରିଥିଲେ । ଦୁଇ ଓପନର୍ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଯୋଡ଼ି ମାତ୍ର ୧୧ ରନ୍ରେ ଭାଙ୍ଗିଥିଲା । ରୋହିତ ୨ ରନ୍ କରି ହସନ୍ ମହମୁଦଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ରାହୁଲ ଓ ନୂଆ ବ୍ୟାଟର୍ ବିରାଟ କୋହଲି ମିଶି ଇନିଂସ୍ ସମ୍ଭାଳିଥିଲେ ।
ରାହୁଲ ଫର୍ମକୁ ଫେରିଥିଲେ ଏବଂ ଦୃଢ଼ତାର ସହ ଖେଳି ୩୧ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ସେ ଆଉ ବେଶୀ ସମୟ ତିଷ୍ଠି ନ ଥିଲେ ଏବଂ ବ୍ୟକ୍ତିଗତ ୫୦ (୩୨ ବଲ୍ରୁ ୩ ଚୌକା ଓ ୪ ଛକା ସହାୟତାରେ) ଶାକିବ୍ଙ୍କ ଶିକାର ହୋଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୬୭ ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ ବିରାଟ ଓ ସୂର୍ଯ୍ୟକୁମାର ଯାଦବ ୩୮ ରନ୍ ଯୋଗ କରିଥିଲେ । ସୂର୍ଯ୍ୟକୁମାର ୧୬ ବଲ୍ରୁ ୩୦ ରନ୍ କରି ଶାକିବ୍ଙ୍କ ଆଉ ଏକ ଶିକାର ହୋଇଥିଲେ ।
ଗୋଟିଏପଟେ, କୋହଲି ଦୃଢ଼ତାର ସହ ଖେଳୁଥିବା ବେଳେ ଅନ୍ୟପଟେ, ହାର୍ଦ୍ଦିକ (୫) ରନ୍ କରି ହସନଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଦିନେଶ କାର୍ତ୍ତିକ ୭ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ । ଅକ୍ଷର ପଟେଲ୍ (୭)ଙ୍କ ୱିକେଟ୍ ହସନ ମହମୁଦଙ୍କ ଖାତାକୁ ଯାଇଥିଲା ।
କୋହଲି ୩୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଚାରିଟି ମ୍ୟାଚ୍ରୁ ସେ ତୃତୀୟ ଅର୍ଦ୍ଧଶତକ ଲଗାଇଛନ୍ତି । ବିରାଟ ୪୪ ବଲ୍ରୁ ୮ ଚୌକା ଓ ୧ ଛକା ସହାୟତାରେ ୬୪ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ ୧୩ ରନ୍ କରି ଅପରାଜିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *