ବିନା ଟେଣ୍ଡରରେ ମିଳିଥିଲା କଣ୍ଟ୍ରାକ୍ଟ
ଝୁଲାପୋଲ ଦୁର୍ଘଟଣାର ଚତୁର୍ଥ ଦିନ: ନୂଆ ଖୁଲାସା
ଗାନ୍ଧୀନଗର (ଏଜେନ୍ସି): ଝୁଲାପୋଲ ଦୁର୍ଘଟଣାକୁ ଇତି ମଧ୍ୟରେ ୪ ଦିନ ବିତିଯାଇଛି । ତଥାପି ମଚ୍ଛୁ ନଦୀରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନ୍ଡିଆରଏଫ୍ ଟିମ୍ ପକ୍ଷରୁ ୪ର୍ଥ ଦିନରେ ମଧ୍ୟ ମଚ୍ଛୁ ନଦୀର ତଳ ଭାଗକୁ ଥିବା କାଦୁଅ / ପଙ୍କ ମଧ୍ୟରେ କିଛି ଲୋକ ଫସିରହି ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ତେବେ ଏସମ୍ପର୍କରେ ବିସ୍ତୃତ ତଥ୍ୟ ଜଣାପଡିନାହିଁ । କିନ୍ତୁ ଏହି ଘଟଣାରେ କିଛି କିଛି ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।
ଘଟଣାର ଚତୁର୍ଥ ଦିନରେ ଜଣାପଡିଛି ଯେ, ବିନା ଟେଣ୍ଡରରେ ହିଁ ଝୁଲାପୋଲର ମରାମତି କାମ ଓରେଭା କମ୍ପାନୀକୁ ଦିଆଯାଇଥିଲା । କେବଳ ମୌଖିକ ଭାବେ କମ୍ପାନୀ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିଥିବା ବେଳେ ପ୍ରଶାସନ ପକ୍ଷରୁ ଓରେଭା କମ୍ପାନୀକୁ ଏହି କାମ ପାଇଁ ଅନୁମତି ପତ୍ର ହସ୍ତାନ୍ତର କରିଦିଆଯାଇଥିଲା । ଏଥିପାଇଁ ମୁତାବକ ଟେଣ୍ଡର ପ୍ରକ୍ରିୟା ହିଁ କରାଯାଇନଥିଲା । ସରକାରୀ ନିୟମ ଅନୁସାରେ ଏସବୁ କାର୍ଯ୍ୟ ପାଇଁ ଟେଣ୍ଡର ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବା କଥା । ଯାହାଦ୍ୱାରା ଏଥିପାଇଁ ଏକାଧିକ କମ୍ପାନୀ ନିଜ ଟେଣ୍ଡର ଫର୍ମ ଦାଖଲ କରିପାରିବେ । କିନ୍ତୁ ମଚ୍ଛୁ ନଦୀ ଉପରେ ନିର୍ମିତ ଏହି ଝୁଲାପୋଲର ମରାମତି କାମ ପାଇଁ ଏସବୁ ନିୟମର ପାଳନ କରାଯାଇନଥିଲା ଏବଂ ସମ୍ପୂର୍ଣ୍ଣ ବେଆଇନ୍ ଭାବେ ଓରେଭା କମ୍ପାନୀକୁ ମରାମତି କାମର ଦାୟିତ୍ୱ ଦେଇଦିଆଯାଇଥିଲା ।
ଏହି ଘଟଣାରେ ତଦନ୍ତ କରୁଥିବା ଗୁଜରାଟ ପୁଲିସ ପକ୍ଷରୁ ବୁଧବାର କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରୁ ଏଭଳି ଏକ ଚାଞ୍ଚଲ୍ୟକର ସୂଚନା ସାମ୍ନାକୁ ଆସିଛି । ମୋରବୀର ଆଡିସିନାଲ ପବ୍ଲିକ୍ ପ୍ରୋସିକୁ୍ୟଟର ଏଚ୍ଏସ୍ ପାଞ୍ଚାଲ ମଧ୍ୟ ସ୍ପଷ୍ଟ କରିଛନ୍ତି ବିନା ଟେଣ୍ଡରରେ ହିଁ ନଗରପାଳିକା ଝୁଲାପୋଲର ମରାମତି କାମ ଓରେଭା କମ୍ପାନୀକୁ ଦେଇଥିଲା ।
ସେହିପରି ସାଇଣ୍ଟିଫିକ୍ ଟିମ୍ ଏହି ମାମଲାରେ ଦେଇଥିବା ରିପୋର୍ଟ ଅନୁସାରେ ଓରେଭା କମ୍ପାନୀ ପକ୍ଷରୁ ଝୁଲାପୋଲରେ ଲଗାଯାଇଥିବା କାଠର ବେସ୍ କୁ ହଟାଯାଇ ସେଠାରେ ଆଲୁମିନିୟମ୍ର ୪ ଲେୟର ବିଶିଷ୍ଟ ଚାଦର ଲଗାଇଦିଆଯାଇଥିଲା । ଯାହାଦ୍ୱାରା ଝୁଲାପୋଲର ଓଜନ ବଢ଼ିଯାଇଥିଲା । ଏହା ଉପରେ ଯେତେବେଳେ ନିର୍ଦ୍ଦିଷ୍ଟ ଓଜନ ଠାରୁ ଅଧିକ ଓଜନର ପର୍ଯ୍ୟଟକ ଚଢ଼ିଲେ ସେତେବେଳେ ଏହା ଛିଡ଼ିଯାଇଥିଲା । ଆଲୁମିନିୟମର ଚାଦର ଲଗାଇବା ବ୍ୟତୀତ କମ୍ପାନୀ ଝୁଲାପୋଲରେ ଆଉ କିଛି ବି କାମ କରିନଥିଲା । ଏପରିକି ଝୁଲାପୋଲରେ ଲାଗିଥିବା ବହୁ ପୁରୁଣା କେବୁଲଗୁଡ଼ିକୁ ହଟାଇନଥିଲା । ଏସବୁ ବହୁ ପୁରୁଣା ହୋଇଯାଇଥିବାରୁ ଏଥିରେ ଜଙ୍ଗ୍ ଲାଗିଯାଇଥିଲା । ଏସବୁର ଅଏଲିଂ-ଗ୍ରିସିଂ ଆଦିର ଆବଶ୍ୟକତା ଥିବା ବେଳେ ଏସବୁ ପ୍ରତି କମ୍ପାନୀ ପକ୍ଷରୁ ଧ୍ୟାନ ଦିଆଯାଇନଥିଲା ବୋଲି ସାଇଣ୍ଟିଫିକ୍ ଟିମ୍ ଦର୍ଶାଇଛି । ଏସବୁ ମଧ୍ୟରେ ଆଉ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି । ମୋରବୀ ଝୁଲାପୋଲ ଦୁର୍ଘଟଣା ଆଦୌ ଆକସ୍ମିକ ନଥିଲା । ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ସମ୍ପର୍କରେ ୨ ବର୍ଷ ପୂର୍ବରୁ ହିଁ ବିଶେଷଜ୍ଞ ଟିମ୍ ଚେତାବନୀ ଦେଇସାରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବେପରୁଆ ଅଧିକାରୀମାନେ ଏହାକୁ ଅଣଦେଖା କରିଥିଲେ ।
ଏତଦ୍ବ୍ୟତୀତ ଓରେଭା କମ୍ପାନୀ ପକ୍ଷରୁ ଯେଉଁ ଠିକାଦାରଙ୍କୁ ଝୁଲାପୋଲର ମରାମତି କାମ ଦିଆଯାଇଥିଲା ସେମାନେ ପ୍ରଫେସନାଲ ନୁହଁନ୍ତି ବୋଲି ମଧ୍ୟ ଜଣାପଡିଛି । ସେମାନେ କେବୁଲ ବନ୍ଧାଯାଇଥିବା ଉଭୟ ପାଶ୍ୱର୍ର ଆଙ୍କର ପିନ୍ ପ୍ରତି ମଧ୍ୟ ଧ୍ୟାନ ଦେଇନଥିବା ସାଇଣ୍ଟିଫିକ୍ ଟିମ୍ ନିଜ ରିପୋର୍ଟରେ ଦର୍ଶାଇଛି । ଯେତେବେଳେ କି ଯେକୌଣସି ଝୁଲାପୋଲ ହେଉ କିମ୍ବା ରୋପ୍ ୱେ ହେଉ ଏସବୁ ପ୍ରକଳ୍ପରେ ଆଙ୍କର ପିନ୍ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ରହିଥାଏ । କାରଣ ଏହା ହିଁ ପୋଲକୁ ଉଭୟ ପାଶ୍ୱର୍ରୁ ଦୃଢ଼ ଭାବେ ବାନ୍ଧି ରଖିଥାଏ ।