ସୁପାରୀ ଦେଇ ହତ୍ୟା କଲେ ମା’ ବାପା
ମଦ ପିଇ ମାରୁଥିଲା ପୁଅ,
ହାଇଦ୍ରାବାଦ୍ (ଏଜେନ୍ସି): ହାଇଦ୍ରାବାଦ୍ରେ ନିଜ ୨୬ବର୍ଷୟା ମଦୁଆ ପୁଅକୁ ହତ୍ୟା କରିବା ପାଇଁ ଏକ ଦମ୍ପତି ସୁପାରୀ କିଲରଙ୍କୁ ୮ ଲକ୍ଷର ସୁପାରୀ ଦେବା ଭଳି ଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁସାରେ ଦମ୍ପତିଙ୍କ ପୁଅ ସାଇନାଥ, ସାଇନାଥ, ମା’ ରାଣୀ ବାଈ ଓ ବାପା କ୍ଷତ୍ରୀୟ ରାମ ସିଂହଙ୍କ ସହ ତେଲେଙ୍ଗାନା ଖମାମ ଜିଲ୍ଲାର ତିରୁମଲଗିରିରେ ରୁହନ୍ତି । ସାଇନାଥ ନିଜ ମା’ ବାପାଙ୍କର ଏକମାତ୍ର ସନ୍ତାନ ଥିବାରୁ ପିଲାଟି ଦିନରୁ ବେଶ୍ ଅଲିଅଳରେ ବଢ଼ିଥିଲା । ଏହି କାରଣରୁ ସେ ବଡ଼ ହେବା ପରେ ଖରାପ ସଙ୍ଗତରେ ପଡିଯାଇଥିଲା । ନିଶାସେବନରେ ସେ ଅଭ୍ୟସ୍ତ ହୋଇପଡ଼ିଥିଲା ।
ପାଠପଢ଼ାରେ ଡୋରି ବନ୍ଧାହେବା ପରେ ସେ ନିୟମିତ ଭାବେ ମଦ ପିଇବା ଆରମ୍ଭ କରିଦେଇଥିଲା । ମଦ ପିଇବା ପାଇଁ ଟଙ୍କା ମାଗୁଥିଲା ଏବଂ ବରାବର ଘରେ ପାଟିତୁଣ୍ଡ କରୁଥିଲା । ନଦେଲେ ସେ ନିଜ ମା’ ବାପାଙ୍କୁ ହାତ ଉଠାଇ ମାଡ଼ ମଧ୍ୟ ମାରୁଥିଲା । ସାଇନାଥଙ୍କ ବାପା କ୍ଷତ୍ରୀୟ ରାମ ସିଂହ ଏକ ସରକାରୀ ସ୍କୁଲରେ ପ୍ରିନ୍ସପାଲ ଥିବାରୁ ପୁଅର ଏପ୍ରକାର ଆଚରଣ ତାଙ୍କୁ ଅନ୍ୟଙ୍କ ପାଖରେ ସମ୍ମାନ ବଦଳରେ ଉପହାସର ପାତ୍ର ସଜାଇ ଦେଉଥିଲା । ପୁଅର ଏପ୍ରକାର ବ୍ୟବହାର ତଥା ଆଚରଣରେ ଅତିଷ୍ଠ ହୋଇ ରାମ ସିଂହ ଏବଂ ମା’ ରାଣୀ ବାଈ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ । ଏଥିପାଇଁ ସେମାନେ ଏକ ସୁପାରି କିଲର ଟିମ୍ଙ୍କୁ ୮ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ସୁପାରୀ କିଲରମାନେ ମଧ୍ୟ ଟଙ୍କା ନେଇ ସାଇନାଥକୁ ହତ୍ୟା କରିବାରେ ସଫଳ ହୋଇଥିଲେ । ଯୋଜନା ମୁତାବକ, ଅକ୍ଟୋବର ୧୮ ତାରିଖରେ ସୁପାରୀ କିଲର ସାଇନାଥଙ୍କୁ ନିଜ ସହ ନେଇଯାଇ ପ୍ରଥମେ ପ୍ରଚୁର ମଦ ପିଆଇଥିଲେ ଏବଂ ସେ ଅଚେତ୍ ହୋଇପଡିବା ପରେ ତା’ର ଗଳା ଚିପି ତା’କୁ ହତ୍ୟା କରିଥିଲେ ଏବଂ ତା’ ମୃତଦେହକୁ ପାଖ ନଦୀରେ ଫିଙ୍ଗି ଦେଇଥିଲେ । କିନ୍ତୁ ସାମାନ୍ୟ ତ୍ରୁଟି କାରଣରୁ ଏମାନେ ପୁଲିସ୍ ହାତରେ ଧରାପଡିଯାଇଛନ୍ତି ।
ନଦୀରେ ସାଇନାଥର ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ । ଏହାପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ତେଲେଙ୍ଗାନାରେ ଘଟିଥିବା ଏହି ଅଘଟଣରେ ପୁଲିସ ମୃତ ଯୁବକର ମା’ ବାପା, କକା ଏବଂ ମାମୁଙ୍କ ସହ ୪ ସୁପାରୀ କିଲରଙ୍କୁ ମିଶାଇ ମୋଟ୍ ୭ ଜଣଙ୍କୁ ଗିରଫ କରିଛି । ପଚରାଉଚରା ପରେ ମା’ ରାଣୀ ବାଇ ଓ ବାପା ରାମ ସିଂହ ନିଜ ଦୋଷ ସ୍ୱୀକାର କରିଛନ୍ତି ।