ଜୟୀ ରାଜଗୁରୁ ଥିଲେ ପ୍ରଥମ ସହିଦ
ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ଭୁବନେଶ୍ୱର (ବୁ୍ୟରୋ): ବିପ୍ଳବୀ ଜୟୀ ରାଜଗୁରୁ ଥିଲେ ସ୍ୱାଧୀନତା ଆନେ୍ଦାଳନର ପ୍ରଥମ ସହିଦ । ମାଟି ମାଆର ସମ୍ମାନ ରକ୍ଷା ପାଇଁ ସେ ଜୀବନ ଉତ୍ସର୍ଗ କରିଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ବୁଧବାର ଜୟଦେବ ଭବନ ଠାରେ ଆୟୋଜିତ ମହାନ ବିପ୍ଳବୀ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଅତିଥିମାନେ ମତପ୍ରକାଶ କରିଛନ୍ତି ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ ଯେ, ବହୁବିଧ ବିଦ୍ୟାର ଅଧିକାରୀ କାଳଜୟୀ ପୁରୁଷ ଜୟୀ ରାଜଗୁରୁ ସମାଜର ହିତ ପାଇଁ ନିଷ୍ଠାପର ଭାବେ ଲଢ଼ି ପ୍ରାଣବଳି ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ ଯେ, ବିପ୍ଳବୀ ଜୟୀ ରାଜଗୁରୁଙ୍କ ଅକ୍ଳାନ୍ତ ଶ୍ରମ ଓ ସାଂଗଠନିକ ଦକ୍ଷତା ଯୋଗୁ ଓଡ଼ିଶାର ମାଟି ମାଆକୁ ଭଲ ପାଉଥିବା ବହୁ ବୀରସନ୍ତାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଉଜ୍ଜୀବିତ ହେବା ସହ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇଥିଲା । ତାଙ୍କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ଦିଆଯିବା ଆବଶ୍ୟକ ।
ସମ୍ମାନିତ ଅତିଥି ଭାବେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି ରାଜଗୁରୁଙ୍କୁ ପ୍ରଥମ ମୁକ୍ତି ସଂଗ୍ରାମର ଯୋଦ୍ଧା ଭାବେ ଅଭିହିତ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ପ୍ରଫେସର ବିନୋଦିନୀ ଦାସ ବିପ୍ଳବୀ ଜୟୀ ରାଜଗୁରୁଙ୍କ ଜୀବନୀ ସମ୍ପର୍କରେ ବହୁ ତଥ୍ୟ ଉପସ୍ଥାପନ କରି ତାଙ୍କୁ ଜଣେ ଉଚ୍ଚକୋଟୀର ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି ତଥା ନିଷ୍ଠାପର କର୍ମବୀର ଏବଂ ପରାକ୍ରମୀ ଯୋଦ୍ଧା ଭାବେ ବର୍ଣ୍ଣନା କରିଥିଲେ ।
ଉତ୍ସବରେ ପୌରୋହିତ୍ୟ କରିଥିଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିଦେ୍ର୍ଦଶକ ଇନ୍ଦ୍ରମଣି ତି୍ରପାଠୀ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରକାଶିତ ଜୟୀ ରାଜଗୁରୁଙ୍କ ଜୀବନୀ ଓ ଅବଦାନ ଉପରେ ଆଧାରିତ ଏକ ଗବେଷଣାତ୍ମକ ସଂକଳନ ଲୋକାର୍ପିତ ହୋଇଥିଲା । ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ସଚ୍ଚଦାନନ୍ଦ ବେହେରା ସଂଚାଳକ କରିଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ନିଦେ୍ର୍ଦଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।