ହଜାର ହଜାର ଶ୍ରଦ୍ଧାଳୁଙ୍କ ରାଧାପାଦ ଦର୍ଶନ
ପୁରୀ/ସାକ୍ଷୀଗୋପାଳ (ବୁ୍ୟରୋ): ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ଅଁଳାନବମୀ ଉପଲକ୍ଷେ ଶ୍ରୀରାଧା ପାଦ ଦର୍ଶନ ପାଇ ଆଜି ସାକ୍ଷୀଗୋପୀନାଥଙ୍କ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ବର୍ଷକରେ ଥରେ ଶ୍ରୀରାଧାଙ୍କ ପାଦଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଶ୍ରଦ୍ଧାଳୁମାନେ ଏହାକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ । ଏହି ଅବସରରେ ଶ୍ରୀରାଧା ଓଡ଼ିଆଣୀ ଓ ସାକ୍ଷୀଗୋପାଳ ଠାକୁର ନଟବର ବେଶରେ ସଜ୍ଜିତ ହୋଇଥିଲେ । ମା’ ରାଧାରାଣୀ ଓଡ଼ିଆ ଘର ବୋହୂ ବେଶରେ ପାରମ୍ପରିକ ରୀତିରେ କାଣିଆ କଛାମାରି ପାଟଶାଢ଼ୀ ପରିଧାନ କରିଥିଲେ । ଫଳରେ ବର୍ଷକୁ ଥରେ ଶ୍ରୀରାଧାଙ୍କ ପାଦଯୁଗଳ ଦର୍ଶନର ସୁଯୋଗ ମଳିଥିଲା । ଶ୍ରଦ୍ଧାଳୁମାନେ ଦୁର୍ଲ୍ଲଭ ପାଦ ଦର୍ଶନ ପରେ ବେଢ଼ା ପରିକ୍ରମା କରି ଅଁଳାବୃକ୍ଷ ପୂଜାର୍ଚ୍ଚନା ଓ ବନ୍ଦାପନା ସହିତ ମାନସିକ ପୂରଣ ଆଶାରେ ବୃକ୍ଷରେ ଶଙ୍ଖାସିନ୍ଦୁର ଓ ଡୋରି ବାନ୍ଧିଥିଲେ । ଏଥିପାଇଁ ଧାର୍ଯ୍ୟ ସମୟଠାରୁ ୩ ଘଣ୍ଟା ପୂର୍ବରୁ ଶ୍ରଦ୍ଧାଳୁଙ୍କ ଲାଗି ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ବାରିକେଡ୍ ଭିତରେ ଧାଡ଼ିରେ ଯାଇ ଶ୍ରୀରାଧାଙ୍କ ପାଦ ଦର୍ଶନ କରି ମନ୍ଦିରର ଅନ୍ୟ ଦ୍ୱାର ଦେଇ ବାହାରକୁ ବାହାରିଥିଲେ ।
ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କ ପାଦ ଦର୍ଶନ ପରେ ବେଢ଼ା ଭିତରେ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରି ବନ୍ଦାପନା କରୁଥିବା ଦେଖିବାକୁ ମିଳୁଛି । ଦିନ ଯେତେ ବଢୁଥାଏ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବାକୁ ଲାଗିଥାଏ । ଆଜିର ଦିନରେ ଶ୍ରୀରାଧାଙ୍କୁ ଓଡ଼ିଆ ବେଶରେ ରାଧାରାଣୀ ପାଟଶାଢ଼ୀ କାଣିଆକଛା ମାରି ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହି ବେଶରେ ଦର୍ଶନ କଲେ ଅନେକ ପୁଣ୍ୟ ମିଳେ ଥାଏ ବୋଲି ବିଶ୍ୱାସ ରହିଛି । ଅନ୍ୟପକ୍ଷରେ ପୂର୍ବରୁ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କ ପାଦକୁ ସ୍ପର୍ଶ କରି ଦର୍ଶନର ସୁଯୋଗ ପାଉଥିଲେ । ବିଗତ ଦୁଇବର୍ଷ ହେଲା ପ୍ରଶାସନ ପକ୍ଷରୁ ପାଦ ସ୍ପର୍ଶ ବନ୍ଦ କରାଯିବାରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁତ କମ୍ ହେଉଥିବା ଦେଖିବାକୁ ମିଳିଛି । କାର ପାର୍କିଙ୍ଗ୍ ସ୍ଥଳରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କୁ ବ୍ୟାଟେରି ଚାଳିତ ଗାଡ଼ିରେ ମନ୍ଦିର ନିକଟରେ ପହଞ୍ଚାଇବା ସୁବିଧା କରାଯାଇଥିଲା । ଟାଣଖରାରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ରହୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଅଗ୍ନିଶମ ଓ ସ୍ୱେଚ୍ଛାସେବୀମାନେ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଇ ଦେଇଥିଲେ ।
ଘଟଣାସ୍ଥଳରେ ରହି ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଏସ୍ପି କନୱାର ବିଶାଲ ସିଂହ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଲକ୍ ଚେୟାରମ୍ୟାନ ସୁନିଲ ପଣ୍ଡା, ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ବିଜୟ କେତନ ବେହେରା, ତହସିଲଦାର ଜୟନ୍ତ ଜୟସିଂ, ବିଡିଓ ଲୋଚନ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ବସନ୍ତ ପ୍ରଧାନ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ ନନ୍ଦ ଓ କର୍ମକର୍ତ୍ତା ବୃନ୍ଦ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ । ମନ୍ଦିର ରଙ୍ଗ ରେଙ୍ଗ ଆଲୋକ ଓ ଫୁଲମାଳରେ ଝଲସୁଥିଲା । ୩ ଦିନ ବ୍ୟାପୀ ଶ୍ରୀରାଧା ଉତ୍ସବ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ କରାଯାଇଥିବା ବେଳେ ପଲ୍ଲିଶ୍ରୀ ମେଳାରେ ପ୍ରଦର୍ଶନ ମଣ୍ଡପ ଖୋଲାଯାଇଛି । ଭିଡ଼ରେ ଅପରାଧ ରୋକିବା ନିମନ୍ତେ ମନ୍ଦିର ବାହାରେ ସିସିଟିଭି କ୍ୟାମେରା ଲାଗଯାଇଥିଲା । ଡ୍ରଗ୍ ସ୍କ୍ୱାଡ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ସହିତ ମନ୍ଦିର ସିଂହଦ୍ୱାରରେ ମେଟାଲ ଡିଟେକ୍ଟର ଲଗାଯାଇଥିଲା ।