୧୪ ବାବୁଙ୍କ ବିରୋଧରେ ଆକ୍ସନ୍

ଦୁର୍ନୀତିଗ୍ରସ୍ତଙ୍କୁ ନବୀନ ଛାଟ
ଭୁବନେଶ୍ୱର, ୧ା୧୧ (ବୁ୍ୟରୋ): ପୁଣି ବୁଲିଛି ୫ଟି ଖଣ୍ଡା । ୧୪ ଜଣ ଅଧିକାରୀଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିବା ସହ ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ୬ ଜଣଙ୍କ ପେନସନ ସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି । ସୁପରିନଟେଣ୍ଡିଂ ଇଞ୍ଜିନିୟର, ୨ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଡିଏସପି, ସିଡିପିଓ, ଫରେଷ୍ଟ ରେଞ୍ଜ ଅଫିସର, ତହସିଲଦାର, ବିଡିଓ, ସିନିଅର ମ୍ୟାନେଜର, ଟ୍ୟାକ୍ସ କଲେକ୍ଟର, ସପ୍ଲାଇ ଇନ୍ସପେକ୍ଟର ଓ ୩ ଜଣ ଜୁନିୟର ଇଞ୍ଜିନିୟର ଅନ୍ତର୍ଭୁକ୍ତ । ୫ଟି ଓ ମୋ ସରକାର ବ୍ୟବସ୍ଥାରୁ ମିଳିଥିବା ଫିଡ଼୍ବ୍ୟାକ୍ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏପର୍ଯ୍ୟନ୍ତ ୧୮୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଏହା ପୂର୍ବରୁ ମୋଟ ୧୭୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ ଏହି ୧୪ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଟକ ପିଏଚ୍ ଡିଭିଜନର ସୁପରିନଟେଣ୍ଡିଂ ଇଞ୍ଜିନିୟର ନବକିଶୋର ସାମଲଙ୍କ ନାମରେ ଟେଣ୍ଡର ଓ ଚୁକ୍ତି ପରିଚାଳନା ପ୍ରକ୍ରିୟାରେ ଅନିୟମିତତା ଓ ନିଜ ପଦବୀର ଅପବ୍ୟବହାର ଆଦି ଗମ୍ଭୀର ଅଭିଯୋଗ ଥିଲା । ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । କୋରାପୁଟ ଲମତାପୁଟ ବ୍ଲକ୍ର ପୂର୍ବତନ ସିଡିପିଓ ସ୍ୱର୍ଣ୍ଣଭା ଦାସଙ୍କ ନାମରେ ଲାଞ୍ଚ ଗ୍ରହଣ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପୂର୍ବତନ ବିଡିଓ ଦାମୋଦର ମହାଲିକ ଏକ ଲାଞ୍ଚ ଗ୍ରହଣ ତଥା ନିଜ ପଦବୀର ଅପବ୍ୟବହାର ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ସେହିପରି ନୟାଗଡ ଖଣ୍ଡପଡା ତହସିଲର ପୂର୍ବତନ ତହସିଲଦାର ପଞ୍ଚାନନ ବାରିକ ଗୋଟିଏ ଲାଞ୍ଚ ଗ୍ରହଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ଢେଙ୍କାନାଳ ଆଇୟୁସିଏଡବ୍ଲୁ (ମହିଳା ମାନଙ୍କ ଉପରେ ଅପରାଧ ଘଟଣାର ତଦନ୍ତ କରୁଥିବା ୟୁନିଟ) ପୂର୍ବତନ ଡିଏସ୍ପି ମଳୟ କିଶୋର ନାୟକଙ୍କ ନାମରେ ଲାଞ୍ଚ ଗ୍ରହଣର ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ତାଙ୍କ ନାମର ଦୁଇଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଗଜପତି ଜିଲ୍ଲା ମୋହନା ବ୍ଲକ୍ର ପୂର୍ବତନ ସପ୍ଲାଇ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ପାତ୍ର ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ପୂର୍ବତନ ଜୁନିୟର ଇଞ୍ଜିନିୟର ତଥା ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଜୁନିୟର ଇଞ୍ଜିନିୟର ମନୋଜ କୁମାର ବେଉରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ଓ ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ସୁନ୍ଦରଗଡ ମୁ୍ୟନିସିପାଲଟିର ଆସିଷ୍ଟାଣ୍ଟ ଇଞ୍ଜିନିୟର ଜୟନ୍ତ ନାରାୟଣ ପଣ୍ଡାଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ।
ଢେଙ୍କାନାଳ ଆର୍ଡବ୍ଲୁଏସ୍ଏସ୍ ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ପ୍ରସନ୍ନ କୁମାର ପାଣି । ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନ୍ସନ ଓ ଗ୍ରାଚୁ୍ୟଇଟିକୁ ସ୍ଥଗିତ ରଖାଯାଇଛି । କୋରାପୁଟ ନନ୍ଦପୁର ବ୍ଲକର ଦାୟିତ୍ୱରେ ଥିବା ପୂର୍ବତନ ଜୁନିୟର ଇଞ୍ଜିନିୟର ଦୁଷ୍ମନ୍ତ କୁମାର ନାୟକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ସେହିପରି ଭୁବନେଶ୍ୱର ଓବିସିସିର ପୂର୍ବତନ ସିନିଅର ମ୍ୟାନେଜର (ଟେଣ୍ଡର) ସୋମନାଥ ପଣ୍ଡା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି ।
ଆଇଆରସି ଭିଲେଜ ମେଣ୍ଟେନାନ୍ସ ସେକ୍ସନର ପୂର୍ବତନ ଜୁନିୟର ଇଞ୍ଜିନିୟର କୁଞ୍ଜବିହାରୀ ମହାପାତ୍ରଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗରେ ଗୋଟିଏ ଦୁର୍ନୀତି ମାମଲା ଥିଲା । ସେଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା କାରଣରୁ ତାଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ ରଖାଯାଇଛି । ତାଳଚେର ମୁ୍ୟନିସପାଲ୍ଟିର ପୂର୍ବତନ ଟ୍ୟାକ୍ସ କଲେକ୍ଟର କ୍ଷୀରୋଧ ଚନ୍ଦ୍ର ରାଉତଙ୍କୁ ଅପାରଗତା କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ବୌଦ୍ଧ ଫରେଷ୍ଟ ଡିଭିଜନର ପୂର୍ବତନ ରେଞ୍ଜ ଅଫିସର ତଥା ବର୍ତ୍ତମାନ ସୁନ୍ଦରଗଡ ବଡଗାଁ ରେଞ୍ଜରେ ଅବସ୍ଥାପିତ ଫରେଷ୍ଟ ରେଞ୍ଜର ଦିଲ୍ଲିପ କୁମାର ଦିଗଲ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅସାଧୁତା ତଥା ଅପାରଗତା କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୮୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି କିମ୍ବା ପେନସନକୁ ସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *