ସକାଳ ୬ରୁ ଦର୍ଶନ, ପାଦ ସ୍ପର୍ଶ ମନା

ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା
ପୁରୀ/ସାକ୍ଷୀଗୋପାଳ (ବୁ୍ୟରୋ/ଆପ୍ର): ପୁରୀ ଜିଲ୍ଲାର ଦ୍ୱିତୀୟ ଗଣପର୍ବ ଭାବେ ସାକ୍ଷୀଗୋପିନାଥଙ୍କର ଅଁଳାନବମୀ ପର୍ବ ବେଶ ଜଣାଶୁଣା । ଅଁଳାନବମୀ ତିଥିରେ ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ମା’ ଶ୍ରୀରାଧା । ଏଥିପାଇଁ ସାକ୍ଷୀଗୋପାଳରେ ତିନି ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ବ୍ଲକ୍ ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ସେଥିଲାଗି ମଙ୍ଗଳବାର ରାତି ଗୋଟାଏରେ ମନ୍ଦିରର ଦ୍ୱାର ଫିଟାଯାଇ ୧ଟା ୩୦ରେ ମଙ୍ଗଳଆଳତି ନୀତି ହେବା ସହ ଅନ୍ୟାନ୍ୟ ନୀତି ବଢ଼ିବ । ଭୋର ୫ଟା ୩୦ରେ ସେବାୟତମାନେ ଓ ମନ୍ଦିର କର୍ମଚାରୀମାନେ ଦର୍ଶନ କରିବା ପରେ ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ଦର୍ଶନ ବନ୍ଦ ରହିବ । ପରେ ପାଳିଆ ସେବାୟତ ପରିବର୍ତ୍ତନ କରାଯାଇ ପୁଣି ସନ୍ଧ୍ୟା ୬ଟାରୁ ରାତି ୧୧ଟା୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଜାରି ରହିବ ବୋଲି ସେବାୟତ ସଂଘ ଓ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଫଳରେ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଅନ୍ୟପକ୍ଷରେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୁଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳାର ସମୀକ୍ଷା କରିଛନ୍ତି ଏସ୍ପି କନୱାର ବିଶାଲ ସିଂହ । ମଙ୍ଗଳବାର ସକାଳେ ସାକ୍ଷୀଗୋପାଳ ସିଂହଦ୍ୱାର ଠାରେ ପହଞ୍ଚି ସମୀକ୍ଷା ସହ ଅଧିକାରୀମାନଙ୍କ ସହ ଆଲେଚନା କରିଥିଲେ । ଭିଆଇପି ଓ ସାଧାରଣ ଭକ୍ତମାନେ କେଉଁପଟେ ଦର୍ଶନ କରିବେ ତାହା ବୁଲି ଦେଖିଥଲେ । ସତ୍ୟବାଦୀ ତହସିଲ୍ଦାର ଜୟନ୍ତ କୁମାର ଜୟସିଂହ, ବିଡିଓ ଲୋଚନ ଦାସ ଓ ଥାନାଧିକାରୀ ବିଜୟ କେତନ ବେହେରାଙ୍କ ସହ ବିଭିନ୍ନ ଅଧିକାରୀଙ୍କ ସହିତ ଆଲେଚନା କରିଥିଲେ । ଭକ୍ତମାନେ କିପରି ଠାକୁରଙ୍କୁ ସୁବିଧାରେ ଦର୍ଶନ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ୨ଜଣ ଅତିରିକ୍ତ ଆରକ୍ଷୀ ଅଧିକାରୀ, ୮ ଉପଆରକ୍ଷୀ ଅଧିକାରୀ, ୧୫ ଇନିସିପେକ୍ଟର ଓ ସବ୍-ଇନିସିପେକ୍ଟର ଓ ଏଏସ୍ଆଇ ୬୪ଜଣ, ୨୬ ଜଣ ହାବିଲ୍ଦାର, ଟ୍ରାଫିକ ପୁଲିସ ୮ଜଣ, କନେଷ୍ଟବଳ ୫୮, ହେମଗାର୍ଡ ୧୯୮ ଜଣ ଏବଂ ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ଓ ଅଗ୍ନି ନର୍ବାପକ ଗାଡ଼ି, ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪ଟି ଆମ୍ବଲାନ୍ସ ସହିତ ଅଳଗୁମ ଓ ସାକ୍ଷୀଗୋପାଳ ଡାକ୍ତରଖାନାର ସମସ୍ତ ଚିକିତ୍ସକ ଯାତ୍ରା ପାଇଁ କାର୍ଯ୍ୟାଳୟରେ ଉପସ୍ଥିତ ରହିଛନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ଗ୍ରାମ୍ୟ ପରିମଳ ବିଭାଗ ତରଫରୁ ଅସ୍ଥାୟୀ ପରିଶ୍ରାଗାର ଓ ଶୌଚାଳୟ କରାଯାଇଛି । ପ୍ରଶାସନ ପକ୍ଷରୁ ଶ୍ରୀ ରାଧା ଉତ୍ସବ ଉପଲକ୍ଷେ ବକୁଳବନ ପଡ଼ିଆରେ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଇଛି । ମନ୍ଦିର ସିଂହଦ୍ୱାରକୁ ଫୁଲ ମାଳାରେ ସଜ୍ଜିତ କରାଯିବା ସହ ରଙ୍ଗବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ବିଦୁ୍ୟତ ବିଭାଗ ପକ୍ଷରୁ ନିରିବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ଓ ରାସ୍ତା ଘାଟରେ ଉଚ୍ଚସମ୍ପନ୍ନ ଆଲୋକ ଲଗାଯାଇଛି ।
ସୂଚନାଥାଉକି, ମହାମାରୀ କରୋନା ଲାଗି ୨ବର୍ଷ ପରେ ଶ୍ରୀରାଧାଙ୍କ ପାଦ ଦର୍ଶନର ସୁଯୋଗ ମିଳିଥିବାରୁ ବୁଧବାର ସାକ୍ଷୀଗୋପାଳରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଗତ ୨୦୧୯ ମସିହା ଭଳି ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଦର୍ଶନ କରିପାରିବେ । କିନ୍ତୁ ପାଦକୁ ସ୍ପର୍ଶ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *