ଏନ୍ଏସି ଅଫିସ୍ ଘେରିଲେ ଖାଉଟି
ରାସନ ଯୋଗାଣରେ ଅନିୟମିତତା
କୋଦଳା (ଆପ୍ର): କୋଦଳା ଏନ୍ଏସିରେ ରାସନ ଯୋଗାଣରେ ଅନିୟମିତତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମଙ୍ଗଳବାର ଶତାଧିକ ଖାଉଟି ଏନ୍ଏସି କାର୍ଯ୍ୟାଳୟ ଘେରାଉ କରି ପ୍ରତି ୱାର୍ଡରେ ସମାନ ରାସନ ଯୋଗାଇବା ଦାବି କରିଛନ୍ତି ।
କୋଦଳା ଏନ୍ଏସିର ଅନ୍ତର୍ଗତ ୧୩ ୱାର୍ଡକୁ ମାତ୍ର ଦୁଇ ଡିଲରଙ୍କ ଦ୍ୱାରା ରାସନ ସାମଗ୍ରୀ ଯୋଗାଣ କରାଯାଉଛି । ସଂପୃକ୍ତ ଡିଲରଙ୍କ ବିରୋଧରେ ରାସନ ପ୍ରଦାନରେ ଅନିୟମିତତା ଅଭିଯୋଗ କରି ହିତାଧିକାରୀ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟିକା ଓ ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ହିତାଧିକାରୀମାନେ ସମସ୍ତ ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । ଯଦ୍ଦ୍ୱାରା ଗତ କିଛି ଦିନ ପୂର୍ବେ ଜଣଙ୍କର ଡିଲର୍ସିପ୍ କଟିଯାଇଛି । ଡିଲର କଟିଯିବା ନିଶ୍ଚିତ ଜାଣିବା ପରେ ଉକ୍ତ ଡିଲର କିଛି ଦଲାଲଙ୍କୁ ଲଗାଇ ଖାଲି କାଗଜରେ ହିତାଧିକାରୀଙ୍କ ଦସ୍ତଖତ ସଂଗ୍ରହ କରୁଥିବା ବେଳେ ଲୋକେ ଅଟକାଇ ପୁଲିସକୁ ହସ୍ତାନ୍ତର କରିଥିଲେ । ଅନ୍ୟ ଜଣେ ଗାଁ ଶେଷରେ ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି । ଅନେକ ୱାର୍ଡ ରାସନ କେନ୍ଦ୍ରଠାରୁ ବହୁ ଦୂରରେ ଥିବାରୁ ହିତାଧିକାରୀଙ୍କୁ ରାସନ ନେବାରେ ଅନେକ ଅସୁବିଧା ହେଉଛି । ଏ ନେଇ ମଙ୍ଗଳବାର ୫ଶହରୁ ଉଦ୍ଧ୍ୱର୍ ମହିଳା ନୂତନ ଡିଲର ନିଯୁକ୍ତି ପର୍ଯ୍ୟନ୍ତ କୋଦଳା ମଧ୍ୟ ଭାଗରେ ଥିବା ଏନ୍ଏସି କଲ୍ୟାଣ ମଣ୍ଡପରେ ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ଦାବି କରିଛନ୍ତି । ଦୁର୍ନୀତିଗ୍ରସ୍ତ ଡିଲରଙ୍କୁ ବିତାଡ଼ିତ କରି ପ୍ରତି ୱାର୍ଡରେ ମହିଳା ସଂଘ ଦ୍ୱାରା ରାସନ ସାମଗ୍ରୀ ବଣ୍ଟନ କରିବା ପାଇଁ ଦାବି କରି ଖାଉଟିମାନେ ଦସ୍ତଖତ ସମ୍ବଳିତ ଦାବିପତ୍ର ନିର୍ବାହୀ ଅଧିକାରୀଙ୍କ ଉଦେ୍ଦଶ୍ୟରେ ଏନ୍ଏସି ସହାୟକ ଯନ୍ତ୍ରୀ ସୁଧାକର ଦାଶଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରକୁ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯିବ ଏବଂ ନିର୍ବାହୀ ଅଧିକାରୀ ହିଁ ଏହାର ନିଷ୍ପତ୍ତି ନେବେ ବୋଲି ସହାୟକ ଯନ୍ତ୍ରୀ କହିଛନ୍ତି । ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସସ୍ମିତା ଶତପଥୀଙ୍କୁ ପଚାରିବାରୁ, ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ, ହିତାଧିକାରୀଙ୍କ ଦାବିକୁ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।