ମୋରବୀରେ ମୋଦି
ଝୁଲାପୋଲ ଦୁର୍ଘଟଣାର ତୃତୀୟ ଦିନ
ଗାନ୍ଧୀନଗର (ଏଜେନ୍ସି): ଝୁଲାପୋଲ ଦୁର୍ଘଟଣାର ୩ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୁଜରାଟର ମୋରବୀ ଅଞ୍ଚଳକୁ ଗସ୍ତ କରିଛନ୍ତି । ଏଠାରେ ପହଞ୍ଚôବା ପରେ ମୋଦି, ଦୁର୍ଘଟଣାସ୍ଥଳ ବୁଲି ଦେଖିବା ସହ ସିଭିଲ୍ ହସ୍ପିଟାଲ ଯାଇ ଚିକିତ୍ସାଧୀନ ପୀଡ଼ିତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିଛନ୍ତି । ସେହିପରି ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟ ଗସ୍ତ କରିବା ପୂର୍ବକ ସେଠାରେ ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ଅଘଟଣ ପାଇଁ ଶୋକବ୍ୟକ୍ତ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସାଂଘଭୀ, ମୋଦିଙ୍କୁ ଘଟଣା ତଥା ସାମ୍ପ୍ରତିକି ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ବିଭାଗୀୟ ମନ୍ତ୍ରୀ ଏବଂ ସରକାରୀ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପରେ ପରେ ମୋଦି ରାଜ୍ୟ ତଥା ପୁଲିସ୍ ପ୍ରଶାସନ ସହ ଏକକାଳୀନ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଗୃହମନ୍ତ୍ରୀଙ୍କ ସମେତ ରାଜ୍ୟର ପୁଲିସ ମହାନିଦେ୍ର୍ଦଶକ, ମୋରବୀ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ମୋଦିଙ୍କ ମୋରବୀ ଗସ୍ତ କାଳରେ କେତେକ ଘଟଣା ଦେଖିବାକୁ ମିଳିଛି । ଏସବୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମତଃ ମୋଦି ଏଠାରେ ପହଞ୍ଚôବା ପୂର୍ବରୁ ଏଠାରେ ଲାଗିଥିବା ଓରେଭା କମ୍ପାନୀର ହୋର୍ଡିଂକୁ ଲୁଚାଇଦିଆଯାଇଥିଲା । ସେହିପରି ଯେଉଁ ହସ୍ପିଟାଲକୁ ମୋଦି ଯାଇ ଆହତଙ୍କୁ ଭେଟିବାର ଥିଲା, ରାତାରାତି ହସ୍ପିଟାଲର ନବୀକରଣ କରିଦିଆଗଲା । ଯେଉଁଠି ଆଜି ପର୍ଯ୍ୟନ୍ତ ପାଣି ସୁବିଧା ନଥିଲା ସେଠାରେ ରାତାରାତି ଆକ୍ୱାଗାର୍ଡ ଲଗାଇଦିଆଗଲା, ଚୂନ ପ୍ଲାଷ୍ଟର ତଥା ମରାମତି କାମକୁ ମଧ୍ୟ ତରବରିଆ ଭାବେ କରିଦିଆଗଲା । ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ମଧ୍ୟ ବିଜେପି ସରକାରକୁ ତୀବ୍ର ସମାଲୋଚନା କରାଯାଇଛି । ଆଗକୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) କହିଛି, କେବଳ ମୋଦିଙ୍କ ଫଟୋ ସୁଟ୍ ପାଇଁ ରାତାରାତି ଏସବୁ କରାଯାଇଛି ।
ମଛୁୂ ନଦୀ ଉପରେ ନିର୍ମିତ ଏହି ଝୁଲାପୋଲଟି ୧୪ଠ ବର୍ଷ ପୁରୁଣା ହୋଇଥିବା ବେଳେ ପ୍ରତିବର୍ଷ ଗୁଜରାଟ ନବବର୍ଷ ପାଳନ ପୂର୍ବରୁ ଏହାକୁ ମରାମତି କରାଯାଇଥାଏ । ତେବେ ଏହି ଝୁଲାପୋଲର ମରାମତି, ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ୱ ଅଜନ୍ତା-ଓରେଭା ନାମକ ଏକ ଘଣ୍ଟା ନିର୍ମାଣକାରୀ କମ୍ପାନୀ ଉପରେ ନ୍ୟସ୍ତ କରାଯାଇଥିଲା । ଏବେ ଏହାକୁ ନେଇ ପ୍ରଶ୍ନ ଜୋର ଧରିଛି । ଅନ୍ୟପକ୍ଷେ ଦୁର୍ଘଟଣାରେ ୧୩୫ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ଏଥିପାଇଁ କେବଳ କିଛି ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଦାୟିତ୍ୱରେ ଥିବା କମ୍ପାନୀ କିମ୍ବା କମ୍ପାନୀର କୌଣସି ବଡ଼ ପଦାଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ସେମାନଙ୍କୁ ଜେରା ମଧ୍ୟ କରାଯାଉନାହିଁ ।
ଦୁର୍ଘଟଣାର ତୃତୀୟ ଦିନ ଅର୍ଥାତ୍ ମଙ୍ଗଳବାର ମଧ୍ୟ ମଚ୍ଛୁ ନଦୀରେ ଏନ୍ଡିଆରଏଫ୍ ଟିମ୍ ପକ୍ଷରୁ ଛାନବିନ୍ କରାଯାଇଛି । ନଦୀ ମଧ୍ୟରେ ଆଉ କିଛି ଶିଶୁ ଏବଂ ମହିଳାଙ୍କ ମୃତଦେହ ଥିବା ଏନ୍ଡିଆରଏଫ୍ ଯବାନ ଆଶଙ୍କା କରୁଛନ୍ତି । ଏସବୁ ମଧ୍ୟରେ ଆସନ୍ତାକାଲି ବୁଧବାର ରାଜ୍ୟବ୍ୟାପୀ ରାଜକୀୟ ଶୋକ ପାଳନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ୍ ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟରେ ଜାତୀୟପତାକା ଅର୍ଦ୍ଧନମିତ ରହିବ ଓ କୌଣସି ସରକାରୀ ସମାରୋହ ଅନୁଷ୍ଠିତ ହେବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ସୂଚନାଯୋଗ୍ୟ ଝୁଲାପୋଲ ଭାଙ୍ଗିବା ଏବଂ ୧୩୪ ଲୋକଙ୍କ ମୃତୁ୍ୟ ଘଟଣାରେ କମ୍ପାନୀ ଓରେଭା ବିରୋଧରେ ମାମଲା ରୁଜୁ ହୋଇଛି । ସେହିପରି ଏହି ମାମଲା ଏବେ ଜନସ୍ୱାର୍ଥ ମାମଲା ରୂପ ନେଇ ସୁପ୍ରିମକୋର୍ଟରେ ପହଞ୍ଚôଛି । ଜଣେ ଆଇନଜୀବୀ ଏହି ଘଟଣାରେ ପିଆଇଏଲ୍ ଦାଖଲ କରିଛନ୍ତି । ମାମଲାର ଶୁଣାଣି ନଭେମ୍ବର ୧୪ରେ କରାଯିବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କମ୍ପାନୀର କେତେକ କର୍ମଚାରୀଙ୍କୁ ମିଶାଇ ୯ଜଣଙ୍କୁ ଗିରଫ କରାଯାଇଛି । ଏସବୁ ମଧ୍ୟରେ କମ୍ପାନୀ ଓରେଭା ପକ୍ଷରୁ ଝୁଲାପୋଲର ମରାମତି କାମରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କରେ ସୂଚନା ଆସିବାରେ ଲାଗିଛି ।