ମେକ୍ ଇନ୍ ଓଡ଼ିଶା ପାଇଁ ଭୂମି ପୂଜା

ଭୁବନେଶ୍ୱର, ୧ା୧୧ (ବୁ୍ୟରୋ): ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ଜନତା ମେଦାନରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି । ଏଥିରେ ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଫିକିର ଜେନେରାଲ୍ ମ୍ୟାନେଜର ଭୂପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ । ଆସନ୍ତା ନଭେମ୍ୱର ୩୦ରୁ ଡିସେମ୍ୱର ୪ ତାରିଖ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହେବ । ସେଥିପାଇଁ ଆଜିଠାରୁ ଜନତା ମଇଦାନରେ ଭୂମି ପୂଜନ ସହ ପାଭିଲିୟନ ନିର୍ମାଣ ଆରମ୍ଭ ହୋଇଛି । ପୁଞ୍ଜି ନିବେଶକାରୀଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଚଳିତବର୍ଷ ନୂଆ ଶିଳ୍ପନୀତି-୨୦୨୨ ଆସିବ । ଏଥିରେ ଇସ୍ପାତ ଓ ଆଲୁମିନିୟମ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଛି । ରାଜ୍ୟରେ ଗଚ୍ଛିତ କଞ୍ଚାମାଲକୁ ଅଗ୍ରାଧିକାର ଦେଇ ପୁଞ୍ଜିନିବେଶକୁ ଉତ୍ସାହିତ କରାଯାଉଛି । ଅଧିକ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରାଯିବ । ଶିଳ୍ପନୀତି-୨୦୨୨ରେ ପଶ୍ଚିମ ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଶିଳ୍ପନୀତିରେ ବିଜୁ ଇକୋନୋମିକ କରିଡରର ବ୍ୟବସ୍ଥା ହେବ । ହସ୍ତତନ୍ତ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, କୃଷି ପାଇଁ ପୁଞ୍ଜି ସବସିଡି ସହ ବିଦୁ୍ୟତ ସବସିଡି ମଧ୍ୟ ଯୋଗାଇ ଦିଆଯିବ ।
ପୂର୍ବରୁ ଦୁବାଇ, ଅହମ୍ମଦାବାଦ, ନୂଆଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ନିବେଶକାରୀଙ୍କ ସହ ଆଲୋଚନା ହୋଇଛି । ପୁଞ୍ଜିନିବେଶ ପାଇଁ ୨୩୦ ଆବେଦନ ପତ୍ର ମିଳିଛି । ୧୮୦ ଲେଟର ଅଫ ଇଣ୍ଟେଣ୍ଟ ଆସିଛି । ଏସବୁକୁ ସମୀକ୍ଷା କରାଯାଉଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ଚିତ୍ତାକର୍ଷକ ଓ ବଡ଼ ଆକାରରେ କରିବାକୁ ପ୍ରସ୍ତୁତି ଚାଲିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସହଭାଗିତା ପାଇଁ ଜାପାନ, ନରୱେ ଓ ଜର୍ମାନୀ ଆଗ୍ରହ ପ୍ରକାଶ କରିଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ।
ଆଉ ଅଧିକ ଦେଶ ବି ଆସିବେ । ଡିସେମ୍ବର ୧ ତାରିଖ ସକାଳେ ପ୍ଲେନାରି ସେସନ୍ ହେବ । ଅପରାହ୍ନରେ ବିଜିନେସ ଲିଡର ଟକ୍ । ବଡ଼ ବଡ଼ ବିଜିନେସ ଲିଡର ଭାଷଣ ଦେବେ । ପେଟ୍ରୋ କେମିକାଲସ, କେମିକଲ୍ସ୍, ମେଟ୍ରୋଲୋଜି, ମେଟଲୋଜି, ସ୍କିଲ୍ ଡେଭଲପମେ , ଫର୍ଟିଲାଇଯାର୍ସ, ଫୁଡ୍ ପ୍ରୋସେଶିଂ, ଏଗ୍ରିକଲ୍ଟରରେ କିଭଳି ରାଜ୍ୟର ବିକାଶ ହୋଇପାରିବ ଓ ବଡ଼ ବଡ଼ ଇଣ୍ଡଷ୍ଟ୍ରିଙ୍କ ଭୂମିକା କଣ ରହିବ ସେ ନେଇ ଆଲୋଚନା ହେବ । ୨ ଓ ୩ ତାରିଖରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ତାଙ୍କର ଶିଳ୍ପ ଅଭିବୃଦ୍ଧି ପାଇଁ ନୂଆ ପଲିସି ଓ ନୂଆ ସଂସ୍କରଣ ରିଲିଜ୍ କରିବେ । ୨୦ରୁ ୨୫ ହଜାର ଲୋକ ଆସିବେ । ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଶିଳ୍ପକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯିବ । ରାଜ୍ୟରେ ଉପଲବ୍ଧ ଥିବା କଞ୍ଚାମାଲକୁ ବ୍ୟବହାର କରି ଶିଳ୍ପ ପ୍ରତିଷ୍ଠା କରିବାକୁ ଗୁରୁତ୍ୱ ଦିଆଯିବ ।
ସେ ଆହୁରି କହିଛନ୍ତି, ଷ୍ଟିଲ, ଆଲୁମିନିୟମ ରାଜ୍ୟରେ ବହୁ ମାତ୍ରାରେ ମହଜୁଦ ଅଛି । ଏହାକୁ ବ୍ୟବହାର କରି କୌଣସି କମ୍ପାନି ଯଦି ଭାଲୁ୍ୟ ଆଡେଡ ପଦାର୍ଥ ପ୍ରସ୍ତୁତ କରିବେ ତାଙ୍କୁ ପ୍ରାଥମିକତା ଦିଆଯିବ । ବନ୍ଦର ପାଖରେ ଯଦି କୌଣସି କମ୍ପାନି ରପ୍ତାନି ୟୁନିଟ ଆରମ୍ଭ କରିବେ, ତେବେ ସେହି ଶିଳ୍ପ କମ୍ପାନିକୁ ଅଗ୍ରାଧିକାର ଦିଆଯିବ । ପଶ୍ଚିମ ଓଡ଼ିଶାରେ ଥିବା ବିଜୁ ଇକନମିକ କରିଡରକୁ ଶିଳ୍ପ ଅଭିବୃଦ୍ଧି ପ୍ଲାନ୍ରେ ସାମିଲ କରାଯାଇଛି । ମକା, କପା, ଧାନ, ବାଦାମକୁ ନେଇ ନୂଆ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ରପ୍ତାନିକୁ ଗୁରୁତ୍ୱ ଦିଆଯିବ । ଏସବୁ କ୍ଷେତ୍ରରେ କ୍ୟାପିଟାଲ ଇନଭେଷ୍ଟନେ ସବସିଡି, ଇଲେକ୍ଟ୍ରିସିଟି ପାଇଁ କିଛି ପରିମାଣରେ ଛାଡ଼, ଷ୍ଟାମ୍ପ ଡୁ୍ୟଟି, ସୁଲଭ ମୂଲ୍ୟରେ ଜମି ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ୫ଟି ରୋଡ ସୋ ହୋଇ ସାରିଛି । ସମୁଦାୟ ୧୦ ରୋଡ ସୋ ହୋଇଛି । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ପାନୀମାନେ ଆପ୍ଲିକେସନ୍ ଦେଇଛନ୍ତି । ସେମାନେ ଆଗ୍ରହୀ ଅଛନ୍ତି । କିଛି ନୂଆ ପୁଞ୍ଜି ନିବେଶକ ବି ଆସିବେ । ବଡ଼ ବଡ଼ ଇଣ୍ଡଷ୍ଟ୍ରି ଆସିବେ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *