ଆରପାରିରେ ବାଲିକୁଦା ଗାନ୍ଧୀ
୧ଠ୬ ବର୍ଷ ବୟସରେ ଦେହାନ୍ତ
ଜଗତସିଂହପୁର, ୧ା୧୧(ଆପ୍ର): ଜଗତସିଂହପୁର ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବାଲିକୁଦା ଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ବିଶ୍ୱନାଥ ଦାସ (୧୦୬)ଙ୍କ ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିକ ଅସୁସ୍ଥତା ପାଇଁ ସେ କିଛିଦିନ ତଳେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା । ସୋମବାର ମଧ୍ୟରାତ୍ରିରେ ତାଙ୍କର ଦେହାନ୍ତ ଘଟିଛି । ମଙ୍ଗଳବାର ତାଙ୍କ ପାର୍ଥିବ ଶରୀରକୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଭଗବାନସିଂଧୋଳ ଗାଁକୁ ଅଣାଯିବା ପରେ ଗ୍ରାମ ପରିକ୍ରମା କରାଯାଇଥିଲା । ନିଜ ଗାଁରେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
ସ୍ୱର୍ଗତ ଦାସ ୧୯୧୭, ଜୁନ୍ ୧୭ରେ ଜନ୍ମଗ୍ରହଣ କରିଥିଲେ । ଛାତ୍ର ଜୀବନରେ ୧୬ ବର୍ଷ ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଦୁଇଥର ଜେଲ ଯାଇଥିଲେ । ଏହି ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ୨୦୨୦, ଅଗଷ୍ଟ ୯ରେ କ୍ରାନ୍ତି ଦିବସରେ ତକ୍ରାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ସମୟରେ ରାଜ୍ୟପାଳଙ୍କ ଦ୍ୱାରା ୭ରୁ ଅଧିକ ଥର ସେ ସମ୍ବର୍ଦ୍ଧିତ ହୋଇଛନ୍ତି । ବ୍ରିଟିଶ ଶାସନରେ ହୋଇଥିବା ଏରସମା ଥାନା ପୋଡ଼ି ଘଟଣାରେ ସ୍ୱର୍ଗତ ଦାସ କାରାବରଣ ଭୋଗିଥିଲେ । ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ହରାଇ ଜିଲ୍ଲାବାସୀ, ରାଜ୍ୟବାସୀ ତଥା ତାଙ୍କ ପରିବାର ଗଭୀର ମର୍ମାହତ ।