ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ମିଳିବ ନାଗରିକତା
ଗୁଜରାଟ ନିର୍ବାଚନ ଲକ୍ଷ୍ୟରେ ବଡ଼ ଗେମ୍ ଖେଳିଲା କେନ୍ଦ୍ର
ନୂଆଦିଲ୍ଲୀ (ଏଜେନ୍ସି): ପଡୋଶୀ ଦେଶରୁ ଚାଲି ଆସିଥିବା ଅଳ୍ପସଂଖ୍ୟକଙ୍କୁ ଭାରତୀୟ ନାଗରିକତା ଦେବା ଦିଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶ ଭଳି ଦେଶରୁ ଚାଲିଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ଭାରତୀୟ ନାଗରିକତା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାବେଳେ ଭାରତ ସରକାର ଏପ୍ରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସୁତରାଂ ଏହାକୁ ବିଜେପିର ଏକ ନିର୍ବାଚନୀ ଷ୍ଟ୍ରାଟେଜୀ ଭାବେ ବିବେଚନା କରୁଛନ୍ତି ନିର୍ବାଚନୀ ବିଶେଷଜ୍ଞ । ଅନ୍ୟପକ୍ଷେ ବିରୋଧୀ ଦଳ କିନ୍ତୁ ବିଜେପିର ଏହି ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ।
ପ୍ରକାଶ, ନାଗରିକତା ଆଇନ-୧୯୫୫ ଅନ୍ତର୍ଗତ ଭାରତ ସରକାର ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୯୯୫ ନାଗରିକତା ଆଇନ୍ ଅନୁଯାୟୀ ପଡୋଶୀ ରାଷ୍ଟ୍ରରୁ ଚାଲିଆସିଥିବା ସଂଖ୍ୟାଲଘୁ ଯଥା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କୁ ଭାରତୀୟ ନାଗରିକତା ଦିଆଯିବାର ପ୍ରାବଧାନ ରହିଛି । ଦେଶରେ ଏପର୍ଯ୍ୟନ୍ତ ସିଏଏ (୨ଠ୧୯ ନାଗରିକତା ଆଇନ୍) ଲାଗୁ ହୋଇନଥିବା ବେଳେ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ଆଗନ୍ତୁକ ନାଗରିକଙ୍କୁ ଭାରତରେ ରହଣୀ କାଳ ଭିତ୍ତିନରେ ନାଗରିକତା ପ୍ରଦାନ କରାଯାଉଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୁଜରାଟର ୨ ଜିଲ୍ଲା ଆଣନ୍ଦ ଏବଂ ମେହସଣାରେ ରହୁଥିବା ଏହି ସଂଖ୍ୟା ଲଘୁଙ୍କୁ ଭାରତର ନାଗରିକତା ପାଇଁ ନାମାଙ୍କନ କରିବାକୁ ଅନୁମତି ପ୍ରଦାନ କରାଯିବ । ସେମାନଙ୍କୁ ଦେଶର ନାଗରିକ ପ୍ରମାଣପତ୍ର ପ୍ରଦାନ କରାଯିବ ।