ଟିମ୍ ଇଣ୍ଡିଆ ପାଇଁ ନକ୍ଆଉଟ୍ ଭଳି ମ୍ୟାଚ୍

ଟି-୨୦ ବିଶ୍ୱକପ୍ ସୁପର୍-୧୨
ଆଡିଲେଡ୍, ୧ା୧୧ (ଏଜେନ୍ସି): ଦକ୍ଷିଣ ଆଫ୍ରିକା ବିପକ୍ଷ ପୂର୍ବ ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ରେ ଏବେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପହଞ୍ଚିଛି । ଏହି କାରଣରୁ ବାଂଲାଦେଶ ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ସୁପର୍-୧୨ ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ସାଢ଼େ ଗୋଟାଏରେ ଆରମ୍ଭ ହେବ । ମ୍ୟାଚ୍ରେ ବର୍ଷା ଆଶଙ୍କା ବି ରହିଛି ।
ଭାରତୀୟ ଟିମ୍ ଏବେ ତିନି ମ୍ୟାଚ୍ରୁ ଦୁଇ ବିଜୟ ଓ ଗୋଟିଏ ପରାଜୟ ସହ ଗ୍ରୁପ୍-୨ରେ ୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ, ବାଂଲାଦେଶ ଟିମ୍ ସମାନ ସଂଖ୍ୟକ ମ୍ୟାଚ୍ରୁ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଅଛି । ଭାରତ ଉନ୍ନତ ରନ୍ରେଟ୍ ଆଧାରେ ବାଂଲାଦେଶ ଠାରୁ ଆଗରେ ରହିଛି ।
ବୁଧବାର ମ୍ୟାଚ୍ରେ ବିଜୟ ହାସଲ କଲେ, ଭାରତ ପାଇଁ ସେମିଫାଇନାଲ୍ରେ ପ୍ରବେଶ ପଥ ସୁଗମ ହୋଇଯିବ । ଅନ୍ୟପଟେ, ପରାଜୟସ୍ଥଳେ ବାଂଲାଦେଶ ପ୍ରତିଯୋଗିତାରୁ ପ୍ରାୟତଃ ବାଦ୍ ପଡ଼ିଯିବ । ଏହି ମ୍ୟାଚ୍ ପରେ ବାଂଲାଦେଶ ଶେଷ ମ୍ୟାଚ୍ ପାକିସ୍ତାନ ସହ ଓ ଭାରତ ଜିମ୍ବାୱେ ସହିତ ଖେଳିବ ।
ଭାରତୀୟ ଟିମ୍ ଯଦି ଏହି ମ୍ୟାଚ୍ ହାରିଯାଏ, ତା’ହେଲେ ତା’ର ପଥ ଦୁର୍ଗମ ହୋଇଯିବ । ଏହି ସ୍ଥିତିରେ ଶେଷ ମ୍ୟାଚ୍ରେ ଜିମ୍ବାୱେ ବିପକ୍ଷରେ ବିଜୟ ସତ୍ତ୍ୱେ ଭାରତର ପଏଣ୍ଟ ସର୍ବାଧିକ ୬ରେ ପହଞ୍ଚିବ । ଏପରିସ୍ଥଳେ ପାକିସ୍ତାନ ଯଦି ନିଜ ଶେଷ ଦୁଇ ମ୍ୟାଚ୍ ଜିତେ, ତା’ର ବି ୬ ପଏଣ୍ଟ ହୋଇଯିବ । ଏହାପରେ ଉନ୍ନତ ରନ୍ରେଟ୍ ଥିବା ଟିମ୍କୁ ଫାଇଦା ମିଳିବ ।
ଟିମ୍ ଇଣ୍ଡିଆର ପରାଜୟ ସ୍ଥିତିରେ ବାଂଲାଦେଶର ସମ୍ଭାବନା ବି ବଢ଼ିଯିବ । ଯଦି ଏହି ଟିମ୍ ଭାରତ ପରେ ପାକିସ୍ତାନକୁ ବି ହରାଏ, ତା’ହେଲେ ତା’ର ପଏଣ୍ଟ ୮ରେ ପହଞ୍ଚିବ ।
ଏଭଳି ସ୍ଥିତିସବୁକୁ ଦୃଷ୍ଟିରେ ରଖିଲେ କୁହାଯାଇପାରେ ଯେ ଭାରତ ପାଇଁ ଏହି ମ୍ୟାଚ୍ ଏକପ୍ରକାର ନକ୍ଆଉଟ୍ ଭଳି । ପରାଜୟ ସ୍ଥିତିରେ ଭାରତ ପାଇଁ ବାଟ ସୀମିତ ହୋଇଯିବ ।
ମ୍ୟାଚ୍ରେ ୩୦ରୁ ୬୦ ପ୍ରତିଶତ ବର୍ଷା ଆଶଙ୍କା
ଆକୁ୍ୟୱେଦର ଅନୁଯାୟୀ ଭାରତ-ବାଂଲାଦେଶ ମ୍ୟାଚ୍ ସମୟରେ ୩୦ରୁ ୬୦ ପ୍ରତିଶତ ଯାଏଁ ବର୍ଷା ଆଶଙ୍କା ରହିଛି । ତେବେ ଅଷ୍ଟ୍ରେଲିଆରେ ପାଣିପାଗ ଦ୍ରୁତ ଗତିରେ ବଦଳୁଛି । ଏଥିପାଇଁ ବର୍ଷା ଆଶଙ୍କା ବଢ଼ିପାରେ, କମିପାରେ ମଧ୍ୟ ।
ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ୍ ହେଲେ, ଉଭୟ ଟିମ୍ ୧ ପଏଣ୍ଟ ଲେଖାଏଁ ପାଇବେ । ଏହାଦ୍ୱାରା ମଧ୍ୟ ସମୀକରଣ ବଦଳିବ ।
ବ୍ୟାଟିଂ ଅନୁକୂଳ ହୋଇପାରେ ପିଚ୍
ଏହି ବିଶ୍ୱକପ୍ରେ ଏ ଯାବତ୍ ଆଡିଲେଡ୍ରେ କୌଣସି ମ୍ୟାଚ୍ ହୋଇ ନାହିଁ । ଯଦି ଅଷ୍ଟ୍ରେଲୀୟ ଟି-୨୦ ଲିଗ୍ ବିଗ୍ ବ୍ୟାଶ୍କୁ ଆଧାର ବିବେଚନା କରାଯିବ, ତାହା ହେଲେ ଏହାକୁ ଏହାକୁ ଏକ ହାଇସ୍କୋରିଂ ଗ୍ରାଉଣ୍ଡ୍ କୁହାଯାଇପାରିବ । ଏଠାରେ ରାତିରେ ହେଉଥିବା ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ର ଆଭରେଜ୍ ସ୍କୋର୍ ୧୭୦ ରନ୍ ।
ଟିମ୍ ଇଣ୍ଡିଆ ପାଇଁ ଏକ ଭଲ କଥା ହେଉଛି ଯେ ଟିମ୍ ଏଠାରେ ଖେଳିଥିବା ଏକମାତ୍ର ଟି-୨୦ ମ୍ୟାଚ୍ରେ ବିଜୟ ହାସଲ କରିଥିଲା । ଭାରତ ୨୦୧୬ରେ ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆକୁ ୩୭ ରନ୍ରେ ମାତ୍ ଦେଇଥିଲା ।
ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଲୋକେଶ ରାହୁଲ୍ ଖେଳିବେ ବୋଲି କୋଚ୍ ରାହୁଲ ଦ୍ରାବିଡ଼ ସ୍ପଷ୍ଟ କରିଦେଇଛନ୍ତି । ତେବେ ପୂର୍ବ ମ୍ୟାଚ୍ରେ ଖାତା ଖୋଲି ନ ପାରି ଦୀପକ ହୁଡ଼ାଙ୍କୁ ବାଦ୍ ଦିଆଯାଇ ପୁନର୍ବାର ଅକ୍ଷର ପଟେଲ୍ଙ୍କୁ ଅଣାଯାଇପାରେ । ଦିନେଶ କାର୍ତ୍ତିକଙ୍କ କେତେଦୂର ଫିଟ୍, ତାହା ସ୍ପଷ୍ଟ ହୋଇ ନାହିଁ । ଯଦି ସେ ନ ଖେଳନ୍ତି, ତାଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ଟିମ୍ରେ ନିଆଯାଇପାରେ ।
ସମ୍ଭାବ୍ୟ ଭାରତୀୟ ଏକାଦଶ
ବ୍ୟାଟର୍ – ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ; ଅଲ୍ରାଉଣ୍ଡର୍ – ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍; ବୋଲର୍ – ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *