ରାସ୍ତାରେ କୁଢ଼କୁଢ଼ ଅଳିଆ

ଅଳିଆ ପାଲଟିଛି ବିଏମ୍ସି ପାଇଁ ମୁଣ୍ଡବିନ୍ଧା
ଭୁବନେଶ୍ୱର (ବୁ୍ୟରୋ): ବିଏମସିର ମୁଣ୍ଡବିନ୍ଧା ପାଲଟିଛି ଅଳିଆ । ୨ ମାସରେ ଅଳିଆ ଗାଡ଼ି ୨ ଜୀବନ ନେଇଛି । ଭୁଆଶୁଣିରେ ଡମ୍ପି ବନ୍ଦ ହୋଇଥିବାବେଳେ ରାଜଧାନୀ ରାଜରାସ୍ତାରେ ପୁଣି ଅଳିଆ ଅବର୍ଜନା କୁଢ଼ କୁଢ଼ ହୋଇ ଗଦା ହୋଇଥିବା ନଜରକୁ ଆସିଛି । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ରାତ୍ରୀକାଳୀନ ସଫେଇକୁ କର୍ମଚାରୀ ବିରୋଧ କରିଛନ୍ତି । ମହିଳା ସଫେଇ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଥିବାବେଳେ ଅନେକ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି । ନିକଟରେ ରାଜମହଲ ଛକରେ ଦୁର୍ଘଟଣାରେ କାର୍ଯ୍ୟରତ ସାନିଟାରୀ ଇନ୍ସପେକ୍ଟରଙ୍କ ମୃତୁ୍ୟ ହୋଇଛି । ଏଣୁ ତୁରନ୍ତ ରାତିରେ ସଫେଇ କାମକୁ ବନ୍ଦ କରିବାକୁ ଭୁବନେଶ୍ୱର ସଫେଇ କର୍ମଚାରୀ ମଜଦୁର ସଂଘ ଦାବି କରିଛି । କାର୍ଯ୍ୟବନ୍ଦ ଡାକରା ସହ କର୍ମଚାରୀ ବିଏମସି କାର୍ଯ୍ୟାଳୟ ଘେରିଛନ୍ତି ।
ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ପ୍ରତିକାର ଓ ଭିତ୍ତିଭୂମିର ବିକାଶ ପାଇଁ ବିଏମ୍ସିକୁ ୯ ମାସର ମହଲତ ମିଳିଛି । ଇତି ମଧ୍ୟରେ ୨ ମାସ ବିତିଗଲାଣି । ଏହି ସମୟରେ ଅଳିଆ ଗାଡି ଧକ୍କାରେ ଦୁଇ ଜୀବନ ଗଲାଣି । ଡମ୍ପିଂୟାର୍ଡ ରାସ୍ତାରେ ବିଦୁ୍ୟତ ଅଭାବ ଓ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ବଢୁଛି । ଯାହାକୁ ନେଇ ଗତ ରବିବାରଠୁ ଡମ୍ପିଂୟାର୍ଡକୁ ଦାରୁଠେଙ୍ଗ ପଞ୍ଚାୟତବାସୀ ବନ୍ଦ ରଖିଛନ୍ତି । ଫଳରେ ରାଜରାସ୍ତାରେ କୁଢକୁଢ ଅଳିଆ ଗଦା ହୋଇଛି । ଗାଡକଣ ଟିଟିଏସରେ ଅଳିଆ ପାହାଡ ସୃଷ୍ଟି ହୋଇଥିବାବେଳେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଉଥିବା ବିଏମସି କମିଶନର କହିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ଭିତ୍ତିଭୂମିର ବିକାଶ ଶେଷ ହେବ । ଏହା ଏକ ସାମୁହିକ କାର୍ଯ୍ୟ, ଏଥିପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି କମିଶନର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *