କିଙ୍ଗପିନ୍ ସହ ୧୨ ଗିରଫ
ଛଦ୍ମବେଶରେ ସେକ୍ସ ରାକେଟ୍ ଠାବ କଲେ ଏସ୍ପି
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ପୁଲିସ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ଦୀର୍ଘଦିନଧରି ଚାଲିଥିବା ଏକ ସେକ୍ସ ରାକେଟ୍କୁ ଠାବ କରିଛନ୍ତି ବ୍ରହ୍ମପୁର ଏସ୍ପି ଡ.ଶ୍ରବଣା ବିବେକ ଏମ୍ । ଏସ୍ପି ସୋମବାର ରାତ ୧୧ଟା ବେଳେ ବୈଦ୍ୟନାଥପୁର ଥାନା ଅଧୀନ ଟାଟାବେଞ୍ଜ ଛକସ୍ଥିତ ହୋଣ୍ଡା ମୋଟର ସାଇକେଲ୍ ଶୋରୁମ୍ ଉପର ମହଲାରେ ଥିବା ତୁଳସୀ ଗେଷ୍ଟ ହାଉସ୍ରେ ଚଢ଼ଉ କରି ୩ ମହିଳା ଓ ୬ ଯୁବକଙ୍କୁ କାବୁ କରିଥିଲେ । ସେକ୍ସ ରାକେଟ୍ରେ ସମ୍ପୃକ୍ତ ୩ ଦେହଜୀବୀକୁ ପଚରା ଉଚୁରା ବେଳେ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବାବେଳେ ୬ ଯୁବକ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି । ୬ ଯୁବକଙ୍କ ସମେତ ସେକ୍ସ ରାକେଟ୍ ଚଳାଉଥିବା କିଙ୍ଗପିନ୍ ଓ ତାର ସହଯୋଗୀକୁ ମଧ୍ୟ ପୁଲିସ୍ ଗିରଫ କରିଛି । କିଙ୍ଗପିନ୍ ଆସିକା ବଜାର ସାହିର ଗୋପୀ ବେହେରା ଓରଫ୍ ରଜନୀକାନ୍ତ(୩୮), ଭାବିନୀପୁର ଅଞ୍ଚଳରେ ରହୁଥିବା ସୋରଡା ବଡ଼ଗଡ଼ ଗ୍ରାମର ରାଜେଶ କୁମାର ବିଷୋୟୀ(୩୦), କେ.ନୂଆଗାଁ ଥାନା ସାରୁସନ୍ଦିଗାଁର ସୁମନ ସାହୁ(୧୮), ନୂଆପଡାର ପ୍ରଫୁଲ୍ଲ କୁମାର ସାହୁ(୧୮), ସୁନ୍ଦରଡାର ରାଜା ପ୍ରଧାନ(୧୮), କେ.ନୂଆଗାଁର ଚନ୍ଦନ କୁମାର ସାହୁ(୧୯), ଗୋଳାନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର କେ.ଦିବାକର ରେଡ୍ଡି(୨୨), ନିତେଶ ସାହୁ(୧୮), ଏସ୍.କିରଣ ରେଡ୍ଡି(୧୮), ସୋରଳ ଗ୍ରାମର ଏସ୍.ଭାଗୀରଥି ରେଡ୍ଡି(୨୨), ସଦର ଥାନା ବାଲିପଡା ଗ୍ରାମର ରବି କୁମାର ସାହୁ(୨୬), ରାମନଗର ଭଣ୍ଡାରୀ ସାହିର କେ.ଶଙ୍କର ଆଚାର୍ଯ୍ୟ(୪୮)ଙ୍କୁ ପୁଲିସ୍ ଗିରଫ କରିଛି । ସେମାନଙ୍କ ନିକଟରୁ କଣ୍ଡମ୍ ସହ ଖାଲି ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍, ୧୨ ମୋବାଇଲ ଫୋନ୍, ନଗଦ ୩୧ହଜାର ୯୫୦ଟଙ୍କା ଜବତ କରି ପୁଲିସ କୋର୍ଟଚାଲାଣ କରିଛି ।
ଆସିକାର ଗୋପୀ କଲିକତାରୁ ଦେହଜୀବୀଙ୍କୁ ଆଣି ତୁଳସୀ ଗେଷ୍ଟ ହାଉସ୍ରେ ରାଜେଶ କୁମାର ବିଷୋୟୀଙ୍କ ସହ ମିଶି ବ୍ୟବସାୟ ଚଲାଉଥିବା ଖବର ପାଇ ଏସ୍ପି ଏକ ଟିମ୍ ଗଠନକରି ଗେଷ୍ଟ ହାଉସ ସାମ୍ନାରେ ସାଧା ପୋଷାକରେ ମୁତୟନ କରିଥିଲେ । ଦେହଜୀବୀ ଓ ଗ୍ରାହକମାନେ ହୋଟେଲକୁ ଯିବା ଜାଣି ଏସ୍ପି ସେଠାରେ ଚଢ଼ଉ କରିବା ସହ ବୈଦ୍ୟନାଥପୁର ଓ ଗୋଷାଣୀନୂଆଗାଁ ଥାନାକୁ ଖବର ଦେଇଥିଲେ । ଉଭୟ ଥାନାର ଥାନାଧିକାରୀ ଚଢ଼ଉ କରି ଗ୍ରାହକ ଓ ଦେହଜୀବୀଙ୍କୁ କାବୁ କରିଥିଲେ । ସେମାନଙ୍କୁ ପଚରା ଉଚୁରା ବେଳେ ଗୋପୀ ଓ ରାଜେଶ ମିଶି ଏଜେଣ୍ଟ ଗିରଫ ସୁମନ, ପ୍ରଫୁଲ୍ଲ, ରାଜୁ ଓ ଚନ୍ଦନଙ୍କୁ ସହର ତଥା ସହର ଅଞ୍ଚଳରୁ ଗ୍ରାହକଙ୍କୁ ଏଠାକୁ ପଠାଉଥିବା କହିଥିଲେ । ୱାଟସପ୍ ଓ ଫେସ୍ବୁକ୍ ଜରିଆରେ ଗ୍ରାହକଙ୍କ ନିକଟକୁ ଦେହଜୀବୀଙ୍କ ଫଟୋ ପଠାଇ ସେମାନଙ୍କୁ ଆକୃଷ୍ଟ କରୁଥିଲେ । ଘଟଣାସ୍ଥଳରୁ କେ.ଦିବାକର ରେଡ୍ଡି, ନିତେଶ ସାହୁ, ଏସ୍.କିରଣ ରେଡ୍ଡି, ଏସ୍.ଭାଗୀରଥି ରେଡ୍ଡି, ରବି କୁମାର ସାହୁ ଓ କେ.ଶଙ୍କରଙ୍କୁ ଦେହଜୀବୀଙ୍କ ସହ କାବୁ କରାଯାଇଥିଲା । ୩ ଦେହଜୀବୀଙ୍କୁ ସୁଧାର ଗୃହରେ ରଖାଯାଇଛି । ଚଢ଼ଉ ପରେ ସହରର ହୋଟେଲ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟ କେଉଁ ସ୍ଥାନରେ ଏଭଳି ଚାଲିଛି ତାହାର ତଦନ୍ତ ଚାଲିଥିବା ଏସ୍ପି ସୂଚନା ଦେଇଛନ୍ତି ।