ମୃତୁ୍ୟସଂଖ୍ୟା ୧୪୩
ଗୁଜରାଟ ବ୍ରିଜ୍ ଟ୍ରାଜେଡି
ଗାନ୍ଧୀନଗର, ୩୧ା୧ଠ: ଗୁଜରାଟର ମୋରବୀ ଝୁଲା ପୋଲ ଘଟଣାରେ ମୃତକଙ୍କ ସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ୨୩ ଶିଶୁ ଓ ୩୬ ମହିଳା ଅନ୍ତର୍ଭୁକ୍ତ । ୧୭ଠ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ପ୍ରଶାସନ ସୋମବାର ସୂଚନା ଦେଇଛି । ଆହୁରି ଅନେକ ଲୋକ ନିଖୋଜ ଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ । ଏହି ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା କମ୍ପାନୀ ନାମରେ ଏକାଧିକ ସଂଗୀନ ଦଫାରେ ମାମଲା ରୁଜୁ ପରେ ମ୍ୟାନେଜର ଓ ସୁପରଭାଇଜର ସମେତ ୯ଜଣଙ୍କୁ ଗିରଫ କରାଯାଇଛି । କିଛିଦିନ ହେଲା ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜଭବନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ଓ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ସହ ବୈଠକରେ ମୋରବୀ ଦୁର୍ଘଟଣାର ସମୀକ୍ଷା କରିଛନ୍ତି । ମଙ୍ଗଳବାର ସେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବେ ।
ଝୁଲା ପୋଲ ଖୋଲିବା ପୂର୍ବରୁ ଫିଟ୍ନେସ୍ ସାର୍ଟିଫିକେଟ୍ ନିଆଯାଇନଥିଲା କିମ୍ବା ସରକାରଙ୍କ ଠାରୁ ଅନୁମତି ମିଳିନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ରବିବାର ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ସୋମବାର ସନ୍ଧ୍ୟା ପରଠାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ।
ଯେଉଁ ଓରେବା କମ୍ପାନୀ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିଲା, ତାକୁହିଁ ଦୁର୍ଘଟଣା ପାଇଁ ଦାୟୀ କରାଯାଇଛି । ଓରେବା ଗ୍ରୁପ୍କୁ ୨ଠ୨୨ ମାର୍ଚ୍ଚରୁ ୨୩୭ ମାର୍ଚ୍ଚ ପର୍ଯ୍ୟନ୍ତ ୧୫ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା । ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତୁ୍ୟ ଘଟିବା ପରେ କମ୍ପାନୀ ଠିକ୍ ରୂପେ ରକ୍ଷଣାବେକ୍ଷଣ ଦାୟିତ୍ୱ ନିର୍ବାହ କରିନଥିବା ସ୍ପଷ୍ଟ ହୋଇଛି । ଯେଉଁ ସମୟରେ ପୋଲ ନଦୀକୁ ଖସିପଡ଼ିଲା, ସେତେବେଳେ ୪ଠଠ ଲୋକ ପୋଲ ଉପରେ ଥିଲେ । ଓରେବା କମ୍ପାନୀ ୧୯୭୧ରେ ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀ ମୁଖ୍ୟତଃ ବିଦୁ୍ୟତ୍ ଉପକରଣ, କାଲ୍କୁଲେଟର୍, ଚିନା ମାଟି ଉତ୍ପାଦ, ସିଏଫ୍ଏଲ୍ ବଲ୍ ଓ ଇ-ବାଇକ୍ ନିର୍ମାଣ କରୁଛି । ପୋଲ ମରାମତି ଅଭିଜ୍ଞତା କମ୍ପାନୀର ନାହିଁ ।