ଧବଳେଶ୍ୱର ଝୁଲାପୋଲ ବନ୍ଦ
ମୋରବୀ ଦୁର୍ଘଟଣା ପରେ ଚେତିଲା ପ୍ରଶାସନ
କଟକ, ୩୧ ।୧୦ (ବୁ୍ୟରୋ): ଗୁଜୁରାଟ ଝୁଲାପୋଲ ଟ୍ରାଜେଡି ପରେ ପ୍ରଶାସନ ମୁଣ୍ଡରେ ଚେତା ପଶିଛି । ଝୁଲାପୋଲ ମରାମତି ପାଇଁ ପ୍ରଶାସନ ପକ୍ଷରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରାଯାଇଛି । ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, କାର୍ତ୍ତିକ ମାସ କାରଣରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଧବଳେଶ୍ୱର ପୀଠକୁ ଏହି ପୋଲ ଦେଇ ଯିବା ଆସିବା କରୁଛନ୍ତି । ବର୍ଷ ବର୍ଷ ଧରି କ୍ଷମତାରୁ ଅଧିକ ଲୋକ ଯାତାୟାତ କରୁଥିବାରୁ ଝୁଲାପୋଲରେ ଲାଗିଥିବା ଲୁହା କଡ଼ିଗୁଡ଼ିକ ଦୁର୍ବଳ ହୋଇଯାଇଛି । ତେଣୁ ଏହାକୁ ମରାମତି କରାଯିବା ନିମନ୍ତେ କଟକଣା ଜାରି କରାଯାଇଥିବା ନେଇ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି, ଆଗକୁ ବଡ଼ ଓଷା ଆସୁଛି । ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷାରେ ପ୍ରବଳ ଭିଡ଼ ହୋଇଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପାଇଁ ଆସିଥାନ୍ତି । ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ଼ ଜମିବାର ସମ୍ଭାବନା ରହିଛି । ତେଣୁ ଏତେ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କୁ ଡଙ୍ଗାରେ ପାରି କରାଇବା ସମ୍ଭବ ନଥିବାରୁ ଏହି ନିଦେ୍ର୍ଦଶକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି କରାଯାଇଛି । ତେଣୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ପୀଠକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଗୁଜୁରାଟରେ ଝୁଲାପୋଲ ଭୁଶୁଡ଼ି ୧୪୧ରୁ ଊଦ୍ଧ୍ୱର୍ ଲୋକ ପ୍ରାଣ ହରାଇବା ପରେ ପ୍ରଶାସନ ପକ୍ଷରୁ ଧବଳେଶ୍ୱର ପୀଠରେ ଝୁଲାପୋଲରେ ଯାତ୍ରୀମାନଙ୍କ ପାଇଁ କଟକଣା ଜାରି କରାଯାଇଥିଲା । ଆଜି ସକାଳେ କଲିକତାରୁ ଏକ ବିଶେଷଜ୍ଞ ଟିମ୍ ସହ ଗ୍ରାମ ଉନ୍ନୟନ ବିଭାଗର ଅଧିକାରୀମାନେ ଧବଳେଶ୍ୱର ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ସମୟରେ କ୍ଷମତାରୁ ଅଧିକ ଶ୍ରଦ୍ଧାଳୁଙ୍କ ଯାତାୟାତ ଯୋଗୁଁ ଏହାର ବିଭିନ୍ନ ଅଂଶ ଦୁର୍ବଳ ହୋଇଆସିଥିବା ଦେଖିବାକୁ ମିଳିଥିଲା । ଯାତାୟାତ କ୍ଷମତା ହ୍ରାସ କରିବାକୁ ପୂର୍ବରୁ ବାରମ୍ବାର ଚେତାବନୀ ଦିଆଯାଇଥିବା ବେଳେ ଆଜି ଏନେଇ ଠୋସ୍ ପଦକ୍ଷେପ ନେବାପାଇଁ ଅଧିକାରୀମାନେ ଆଲୋଚନା କରିଥିଲେ । ପରେ ଧବଳେଶ୍ୱରରେ ଥିବା ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଛି । ପୋଲକୁ ଷ୍ଟେ’ ଦିଆଯାଇଥିବା ୧୨ଟି ଟଣକାରେ ମଧ୍ୟ ଫାଟ ହୋଇଛି । ଏହାର ମରାମତି କରାଯିବ ବୋଲି ଟିମ୍ ପକ୍ଷରୁ ସୂଚନା ଦିଆଯାଇଥିଲା । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଲମ୍ବ ୨୫୪ ମିଟର ଥିବାବେଳେ ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦କୁ ହ୍ରାସ କରାଯାଇଥିବା ବେଳେ ଆଜି ଏହାକୁ ୨୦୦କୁ କମାଇ ଦିଆଯାଇଥିଲା । ଏପରିକି ଆଜି ଗୋଟିଏ ଦିନ ପାଇଁ ଧବଳେଶ୍ୱର ପୀଠରେ କଟକଣା ଜାରି କରାଯାଇଥିଲା । ତେବେ ପରବର୍ତ୍ତି ସମୟରେ ଆଠଗଡ଼ ଉପଜିଲ୍ଲାପାଳଙ୍କ ପକ୍ଷରୁ ୧୪୪ ଧାରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି କରାଯାଇଛି ।