କେନ୍ଦ୍ର, ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
କଏଦୀଙ୍କୁ ମତଦାନ ଅଧିକାର
ନୂଆଦିଲ୍ଲୀ (ଏଜେନ୍ସି): ୨ଠ୧୯ରେ ଦାଖଲ ଏକ ଜନସ୍ୱାର୍ଥ ମାମଲା ଉପରେ ସୋମବାର ଶୁୂଣାଣି କରିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ୟୁୟୁ ଲଳିତ, ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଏବଂ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏଥିସହ ଏହି ମାମଲାରେ ଖଣ୍ଡପୀଠ, କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଜବାବ ଦାଖଲ କରିବାକୁ ମଧ୍ୟ ନିଦେ୍ର୍ଦଶ ଦେଇଛନ୍ତି ।
ଦେଶର ବିଭିନ୍ନ ରାଜ୍ୟର ଜେଲ୍ଗୁଡ଼ିକରେ ବନ୍ଦୀ ଜୀବନ ଅତିବାହିତ କରୁଥିବା କଏଦୀମାନଙ୍କୁ ମଧ୍ୟ ମତଦାନ ଅଧିକାର ଦିଆଯିବା ପରିପ୍ରେକ୍ଷୀରେ ୨ଠ୧୯ରେ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ସେତେବେଳେ ନ୍ୟାସନାଲ ଲ’ ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବା ଆଦିତ୍ୟ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଏହି ପିଟିସନ୍ ଦାୟର କରିଥିଲେ । ସେ ନିଜ ପିଟିସନ୍ରେ ଭାରତୀୟ ସମ୍ବିଧାନର ଧାରା ୬୨(୫) ଅର୍ଥାତ୍ ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ ଆକ୍ଟ ବା ଜନ ପ୍ରତିନିଧି ଆଇନ୍ ଅନ୍ତର୍ଗତ ଜେଲ୍ରେ ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କୁ ଭୋଟଦାନରୁ ବିରତ ରଖୁଥିବା ନିୟମକୁ ଚ୍ୟାଲେଞ୍ଜ୍ କରିଥିଲେ । ଏପରି କରିବା ଦ୍ୱାରା ଜେଲ୍ କଏଦୀଙ୍କ ମୌଳିକ ସାମ୍ବିଧାନିକ ଅଧିକାରକୁ ବଳପୂର୍ବକ ହନନ କରାଯାଉଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଅର୍ଥାତ୍ ଯିଏ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଜୀବନ କାଟୁଛି ନା ଯିଏ ବିଚାରାଧୀନ ମାମଲାରେ ଜେଲ୍ରେ ରହିଛି ନା ଯିଏ ଜାମିନରେ ଆସିଛି-ଏମାନଙ୍କ ମଧ୍ୟରୁ କେଉଁମାନେ ଭୋଟ ଦେଇପାରିବେନି? ସମ୍ପର୍କରେ ସ୍ପଷ୍ଟ କରାଯିବା ଉଚିତ୍ ବୋଲି ଆବେଦନକାରୀ ନିଜ ପିଆଇଏଲ୍ରେ ଦର୍ଶାଇଛନ୍ତି ।
ତେବେ ଏହା ଉପରେ ଏବେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଏବଂ ନିର୍ବାଚନ ଆୟୋଗଙ୍କ ମତାମତ ଜାଣିବାକୁ ଚାହିଁଛନ୍ତି । ଏତଦ୍ବ୍ୟତୀତ ଆସନ୍ତା ଡିସେମ୍ବର ମାସ ୨୯ତାରିଖରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି କରାଯିବା ନେଇ ତାରିଖ ନିର୍ଘଣ୍ଟ କରିଛନ୍ତି । ଏହି ସମୟ ସୁଦ୍ଧା ଉଭୟ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ପୃଥକ୍ ପୃଥକ୍ ଭାବେ ସେମାନଙ୍କ ଉତ୍ତର ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ନିକଟରେ ଦାଖଲ କରିବାକୁ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଛନ୍ତି । ଗୃହ ମନ୍ତ୍ରଣାଳୟ ଏବଂ ନିର୍ବାଚନ ଆୟୋଗକୁ ଏନେଇ ନୋଟିସ୍ ଜାରି କରାଯାଇଛି ।
ପ୍ରକାଶ, ଜନପ୍ରତିନିଧି ଆଇନର ଏହି ଧାରା ଅନୁସାରେ ଜେଲରେ ବନ୍ଦୀ ଥିବା କୌଣସି ବ୍ୟକ୍ତି ମତଦାନ କରିପାରିବେ ନାହିଁ । ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ମିଳିଥାଉ, ଟ୍ରାଞ୍ଜିଟ ରିମାଣ୍ଡରେ ରୁହନ୍ତୁ କିମ୍ବା ପୋଲିସ ହେପାଜତରେ ରହୁନ୍ତୁ, ସେ ମତଦାନ ପାଇଁ ଯୋଗ୍ୟ ହେବେ ନାହିଁ ।