ପୁଲିସ୍-ବିଜେପି ଖଣ୍ଡଯୁଦ୍ଧ
ଭୁବନେଶ୍ୱର (ବୁ୍ୟରୋ): ଅର୍ଚ୍ଚନା ନାଗ ମାମଲା ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ପ୍ରତିବାଦ କରି ବିଜେପିର ବିରାଟ ଶୋଭାଯାତ୍ରା କରିଛି । ନବୀନ ନିବାସ ଅଭିମୁଖେ ବାହାରିଥିବାବେଳେ ପୁଲିସ୍ ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ନଜରକୁ ଆସିଛି । ବିଜେପି କର୍ମୀ ଓ ପୁଲିସ ଶିଶୁଭବନ ଛକରେ ଧସ୍ତା ଧସ୍ତି ହୋଇଥିବାବେଳେ ଶତାଧିକ କର୍ମୀଙ୍କୁ ପୁଲିସ୍ ଉଠାଇ ନେଇଛି ।
ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ବିରୋଧ କରି ବିଜେପି ନବୀନ ନିବାସ ଘେରାଉ କରିବା ପାଇଁ ଶୋଭାଯାତ୍ରାରେ ବାହାରିଥିଲା । ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଅର୍ଚ୍ଚନା ନାଗ ଓ ବିଜେଡ଼ି ନେତାଙ୍କ ସମ୍ପର୍କ ଉପରେ ଝାଡୁ ପାହର ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ଆୟୋଜନ ହୋଇଥିଲା । ଅର୍ଚ୍ଚନା ନାଗ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ପ୍ରତିବାଦ କରିବା ସହ ଶୋଭାଯାତ୍ରାରେ ନବୀନ ସରକାରକୁ ଜାଗ୍ରତ କରିବାକୁ ଘଣ୍ଟ ବାଡେଇ ନବୀନ ନିବାସ ଅଭିମୁଖେ ବିଜେପି କର୍ମୀ ବାହାରିଥିଲେ ।
ନବୀନ ନିବାସ ପହଞ୍ଚିବା ପୂର୍ବରୁ ଶିଶୁଭବନରେ ପୁଲିସ ବିକ୍ଷୋଭକାରୀଙ୍କୁ ଅଟାଇବାବେଳେ ସେମାନେ ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ଫଳରେ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ପୁଲିସ୍ ଉଠାଇ ନେଇଥିଲା । ପରେ ବିଜେପି କର୍ମୀ ଉତ୍ତ୍ୟକ୍ତ ହୋଇ ପିସିଆର୍ ଭ୍ୟାନ୍ ଉପରକୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଶେଷରେ ବିଜେପିର ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।
ସୂଚନାଯୋଂଗ୍ୟ, ଧର୍ମେନ୍ଦ୍ର ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମଧ୍ୟ ପ୍ରଭାବଶାଳୀ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିଜେପି ଏହି ବିକ୍ଷୋଭ କରିଥିଲା । ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ, ଅନ୍ୟ ତୁଙ୍ଗ ନେତା ମାନେ ଉପସ୍ଥିତ ଥିଲେ । ଏଥିସହ ଶତାଧିକ ବିଜେପି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଜେପିର ବିକ୍ଷୋଭ ପ୍ରଦର୍ଶନ ନେଇ ୪ ମନ୍ତ୍ରୀଙ୍କ ଘର ସାମ୍ନାରେ ଆଲର୍ଟ କରାଯାଇଥିଲା । ଗଣଶିକ୍ଷା ମନ୍ତ୍ରୀ ସହ ଆଇନ ମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସହ ଗୃହ ସଚିବଙ୍କ ଘର ସାମ୍ନାରେ ମଧ୍ୟ ପୁଲିସ ଆଲର୍ଟରେ ଥିଲା ।