ଧାମନଗର: ଗାଁମୁହାଁ ନେତା-କର୍ମୀ
ଭୁବନେଶ୍ୱର/ଧାମନଗର, ୩୦ା୧୦ (ବୁ୍ୟରୋ): ପାଖେଇ ଆସୁଛି ଧାମନଗର ଉପନିର୍ବାଚନ । ଆଉ ଦିନ କେଇଟା ପରେ ପଡିବ ଭୋଟ । ଦିନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ପ୍ରଚାର । ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାରକୁ ଜୋରଦାର କରିଥିବାବେଳେ ରବିବାରଠାରୁ ନେତା-କର୍ମୀ ଗାଁ ମୁହାଁ ହୋଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବିଜେଡି ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବାକୁ ଥିବାବେଳେ ସଙ୍ଗଠନ ମଝବୁତ୍ କରିବାକୁ ନେତା-ମନ୍ତ୍ରୀ-କର୍ମୀ ଗାଁ ମୁହାଁ ହୋଇଛନ୍ତି ।
ଏହି ସ୍ଥିତିରେ ବିଜେଡି ଓ ବିଜେପି ଉପନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ଇଆଇସି ଓ ସିଓଙ୍କ ନିକଟରେ ଫେରାଦ ହୋଇଛନ୍ତି । ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ମିଥ୍ୟା ପ୍ରତିଶ୍ରୁତିକୁ ନେଇ ବିଜେଡି ଅଭିଯୋଗ କରିଛି । ଏଭଳି ପ୍ରତିଶ୍ରୁତି ଅବୈଧ ପ୍ରତିଶ୍ରୁତି ବୋଲି ବିଜେଡି କହିଛି । ଏହାସହ ବିଜେପି ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରିଆସୁଥିବା ଦଳ ଅଭିଯୋଗ କରିଛି । ଧାମନଗର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ବିଜେଡି ଦାବି କରିଛି । ଏହାସହ ପ୍ରତି ପଞ୍ଚାୟତରେ କଡା ନଜର ରଖିବା ସାଙ୍ଗକୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି । ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଦଳ ଇଆଇସିଙ୍କ ନିକଟରେ ଫେରାଦ ହୋଇଥିବାବେଳେ ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଭେଟି ଅଭିଯୋଗ କରିଛି । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଏକାଧିକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ମହିଳା ତାଲିକା ଦେଖି, ଗୋଟିଗୋଟି କରି ନାଁ ପଢ଼ି, କହୁଛନ୍ତି ୩ ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ ।ଧାମନଗର ବ୍ଲକ୍ ଚେୟାରମ୍ୟାନ ଏହି ଟଙ୍କା ପଠାଇଥିବା ମହିଳା ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି । ଆଉ ଏକ ଭିଡିଓରେ ତିହିଡି ବ୍ଲକର ପାଳିଆବିନ୍ଧା ଗ୍ରାମର ରାମାନୁଜ ଏସ୍ଏଚ୍ଜି ଗ୍ରୁପର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ସାହୁ ଟଙ୍କା ବାଣ୍ଟୁଥିବା ଭିଡିଓରେ ଦେଖାଯାଇଛି । ଶାସକ ଦଳ କ୍ରମାଗତ ଭାବେ ଟଙ୍କା ବାଣ୍ଟୁଥିବାବେଳେ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି । ସେପଟେ ଉପ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ହୋଇଛି । ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିହିଡ଼ି ବ୍ଳକର କୁବେରା ପଞ୍ଚାୟତରେ ଗାଁ ଗାଁ ବୁଲି ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରାଯାଇଛି । ପରେ ଶତାଧିକ ମହିଳାଙ୍କୁ ନେଇ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ଧୂଳିପଦାଠାରୁ ଆରମ୍ଭ କରି ମନ୍ଦାରମାଳ, କଷଟି, ବାରିକପୁର, ଇଟାଇଟି, ବିଳସାହି, ଦୀପବାଡ଼ି, ଗୋସ୍ୱାମୀ ପାଟଣା ଆଦି ଗ୍ରାମରେ ପ୍ରଚାର କରାଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ବ୍ୟୋମକେଶ ରାୟ ଏବଂ ଦଳୀୟ ନେତା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କର ବହୁମୁଖୀ ଯୋଜନା ସହ ନାରୀ ସଶକ୍ତିକରଣ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି । ନାରୀଙ୍କୁ ଆଗକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।
ସେହିପରି କଂଗ୍ରେସ ଦଳୀୟ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ସହ ରାଜ୍ୟ ନେତା ସନ୍ତୋଷ ସିଂ ସାଲୁଜା, ବିଧାୟକ ଚିରଞ୍ଜିବୀ ବିଶ୍ୱାଳ, ରୁଦ୍ର ରାଜୁ, ବିଧାୟକ ସନ୍ତୋଷ ନନ୍ଦ, ଦେବାଶିଷ ନାୟକ, ଦଶରଥ ଗମାଙ୍ଗ ପ୍ରମୁଖ ଦୋବଲ ଜୋନ୍ର ବିଭିନ୍ନ ପଞ୍ଚୟତରେ ରୋଡ ଶୋ’ରେ ଯାଇ ଭୋଟରଙ୍କୁ କଂଗ୍ରେସ ସପକ୍ଷରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।