ଶେଷ ଓଭର୍ରେ ଜିତିଲା ଦକ୍ଷିଣ ଆଫ୍ରିକା
ଟି-୨ଠ ବିଶ୍ୱକପ୍ ସୁପର୍-୧୨
ପର୍ଥ, ୩୦ା୧୦ (ଏଜେନ୍ସି): ସ୍ୱଳ୍ପ ଅବଧିର ଆନ୍ତର୍ଜାତିକ କ୍ୟାରିଅରରେ ସୂର୍ଯ୍ୟକୁମାର ଯାଦବ ଆଉ ଏକ ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା । ଟି-୨୦ ବିଶ୍ୱକପ୍ର ସୁପର୍-୧୨ ପର୍ଯ୍ୟାୟରେ ରବିବାର ପେସ୍ ଓ ବାଉନ୍ସିଂ ପିଚ୍ରେ ଟିମ୍ ଇଣ୍ଡିଆ ବିପକ୍ଷ ଲୋ-ସ୍କୋରିଂ ଥ୍ରୀଲର୍ଙ୍କୁ ଦକ୍ଷିଣ ଆଫ୍ରିକା ୫ ୱିକେଟ୍ ବିନିମୟରେ ଜିତିଛି । ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଥିବା ଲୁଙ୍ଗି ଏନ୍ଗିଡ଼ି (୨୯/୪) ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ପ୍ରତିକୂଳ ପରିସ୍ଥିତିରେ ସୂର୍ଯ୍ୟକୁମାର ୪୦ ବଲ୍ରୁ ୬୮ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଅଧିକାଂଶ ବ୍ୟାଟର୍ଙ୍କ ବିଫଳତା ଯୋଗୁଁ ଭାରତୀୟ ଟିମ୍ ୧୩୪ ରନ୍ର ସହଜ ବିଜୟ ଲକ୍ଷ୍ୟ ଦେଇଥିଲା । ଏତେ କମ୍ ବିଜୟ ଲକ୍ଷ୍ୟକୁ ବଞ୍ଚାଇବା ଟିମ୍ ପାଇଁ ଆହ୍ୱାନ ଥିଲା । ମ୍ୟାଚ୍ ଶେଷ ଓଭର୍ ଯାଏଁ ଯାଇଥିଲା ଏବଂ ଦୁଇଟି ବଲ୍ ବାକି ଥାଇ ଦକ୍ଷିଣ ଆଫ୍ରିକା ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା । ରୋହିତ ସେନାର ଏହା ପ୍ରଥମ ପରାଜୟ ଥିଲା ।
ବାମହାତି ପେସର୍ ଅର୍ଶଦୀପ ସିଂହ ଆଉ ଏକ ସ୍ୱପ୍ନିଳ ପ୍ରଥମ ସ୍ପେଲ୍ ପକାଇଥିଲେ । କିନ୍ତୁ ଏଡେନ୍ ମାର୍କ୍ରମ (୪୧ ବଲ୍ରୁ ୫୨) ଓ ଡେଭିଡ୍ ମିଲର୍ (୪୬ ବଲ୍ରୁ ଅପରାଜିତ ୫୯) ଟିମ୍କୁ ସଙ୍କଟଜନକ ସ୍ଥିତିରୁ ଉଦ୍ଧାର କରି ଲକ୍ଷ୍ୟସ୍ଥଳ ଆଡ଼କୁ ନେଇଯାଇଥିଲେ । ଟି-୨୦ ବିଶ୍ୱକପ୍ ଇତିହାସରେ ୨୦୦୯ ପରେ ପ୍ରଥମ ଥର ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ହରାଇଥିଲା । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ତିନି ମ୍ୟାଚ୍ରୁ ପାଞ୍ଚ ପଏଣ୍ଟ ସହ ଗ୍ରୁପ୍-୨ରେ ଶୀର୍ଷରେ ପହଞ୍ଚିଥିବା ବେଳେ ଭାରତ ସମାନ ସଂଖ୍ୟକ ମ୍ୟାଚ୍ରୁ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ସେମି-ଫାଇନାଲ୍ରେ ପହଞ୍ଚିବା ଲାଗି ଭାରତକୁ ନିଜ ପରବର୍ତ୍ତୀ ଦୁଇ ମ୍ୟାଚ୍ – ନଭେମ୍ବର ୨ରେ ବାଂଲାଦେଶ ଓ ୬ରେ ଜିମ୍ବାୱେ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ହେବ । ମାତ୍ର ୩ ରନ୍ ମଧ୍ୟରେ ଦକ୍ଷିଣ ଆଫ୍ର୍ରିକା ଟିମ୍ ୨ ୱିକେଟ୍ ହରାଇଥିଲା । କ୍ୱିଣ୍ଟନ୍ ଡି’ କକ୍ (୧) ଓ ରିଲୀ ରୋସୋ (୦)ଙ୍କୁ ଅର୍ଶଦୀପ ନିଜ ପ୍ରଥମ ଓଭର୍ରେ ପାଭିଲିଅନ୍ ପଠାଇଥିଲେ । ଅଧିନାୟକ ଟେମ୍ବା ବାଭୁମା (୧୦) ମଧ୍ୟ ବେଶୀ ବାଟ ଯାଇପାରି ନ ଥିଲେ । ତାଙ୍କ ୱିକେଟ୍ ମହମ୍ମଦ ଶାମୀଙ୍କ ଖାତାକୁ ଯାଇଥିଲା । ୨୪ ରନ୍ରେ ୩ ୱିକେଟ୍ ପଡ଼ିଥିଲା । ଏହାପରେ ମାର୍କ୍ରମ ଓ ମିଲର୍ ଇନିଂସ୍କୁ ଆଗେଇ ନେଇଥିଲେ । ୧୦ ଓଭର୍ରେ ସ୍କୋର୍ ୪୦/୩ ଥିଲା । ଏହାପରେ ଉଭୟ ରନ୍ରେଟ୍ ବଢ଼ାଇଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ରେ ୭୬ ରନ୍ର ଭାଗୀଦାରୀ ହୋଇଥିଲା । ମାର୍କ୍ରମଙ୍କୁ କ୍ୟାଚ୍ ଆଉଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ଏହି ଯୋଡ଼ି ଭାଙ୍ଗିଥିଲେ । ଟ୍ରିଷ୍ଟାନ୍ ଷ୍ଟବ୍ସ (୬)ଙ୍କୁ ରବିଚନ୍ଦ୍ରନ୍ ଅଶି୍ୱନ ଏଲ୍ବିଡବ୍ଲୁ୍ୟ ଆଉଟ୍ କରିଥିଲେ । ଏହାପରେ ମିଲର୍ ନୂଆ ବ୍ୟାଟର୍ ୱେନ୍ ପର୍ନେଲ୍ (୨)ଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଦକ୍ଷିଣ ଆଫ୍ରିକୀୟ ଟିମ୍ ୧୯.୪ ଓଭର୍ରେ ୫ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲା । ମାର୍କ୍ରମ ୩୮ ବଲ୍ରୁ ଓ ମିଲର୍ ୪୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ମାର୍କ୍ରମଙ୍କ ଇନିଂସ୍ରେ ୬ ଚୌକା ଓ ୧ ଛକା ଏବଂ ମିଲର୍ଙ୍କ ଇନିଂସ୍ରେ ୪ ଚୌକା ଓ ୩ ଛକା ରହିଥିଲା । ଭାରତୀୟ ଫିଲ୍ଡର୍ ରନ୍ଆଉଟ୍ର ତିନି ସୁଯୋଗ ହାତଛଡ଼ା କରିଥିବା ବେଳେ ବିରାଟ କୋହଲି, ମାର୍କ୍ରମଙ୍କ ଏକ ସହଜ କ୍ୟାଚ୍ ଛାଡ଼ି ଦେଇଥିଲେ ।
ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ଅକ୍ଷର ପଟେଲ୍ଙ୍କ ସ୍ଥାନରେ ଦୀପକ ହୁଡ଼ାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଆଯାଇଥିଲା । ଦୁଇ ଓପନର୍ ଅଧିନାୟକ ରୋହିତ ଶର୍ମା (୧୫) ଓ ଲୋକେଶ ରାହୁଲ (୯) ବିଫଳ ହୋଇଥିଲେ । ଉଭୟଙ୍କୁ ଲୁଙ୍ଗି ଏନ୍ଗିଡ଼ି ପାଭିଲିଅନ୍ ପଠାଇଥିଲେ । ପୂର୍ବ ଦୁଇ ମ୍ୟାଚ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କୋହଲି (୧୨) ବି ନିରାଶ କରିଥିଲେ । ସେ ବି ଏନ୍ଗିଡ଼ିଙ୍କ ଶିକାର ହୋଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଏକାକୀ ଲଢ଼େଇ କରିଥିଲେ । ଇତ୍ୟବସରେ ହୁଡ଼ା ଖାତା ଖୋଲି ନ ପାରି ଆନ୍ରିଚ୍ ନୋର୍ତଜେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପାଣ୍ଡ୍ୟା (୨) ଏନ୍ଗିଡ଼ିଙ୍କ ଚତୁର୍ଥ ଶିକାର ହୋଇଥିଲେ । ୪୯ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଏହାପରେ ସୂର୍ଯ୍ୟକୁମାର ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୫୨ ରନ୍ର ଭାଗୀଦାରୀ ହୋଇଥିଲା । ଏହା ସହ ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ତେବେ ଏଥିରେ ସୂର୍ଯ୍ୟକୁମାରଙ୍କ ବେଶୀ ଅବଦାନ ଥିଲା । ସେ ଧୂଆଁଦାର ବ୍ୟାଟିଂ କରୁଥିଲେ । କାର୍ତ୍ତିକ ମାତ୍ର ୬ ରନ୍ର ଇନିଂସ୍ ଖେଳି ପର୍ନେଲ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅଶ୍ୱିନ (୭) ମଧ୍ୟ ପର୍ନେଲ୍ଙ୍କ ଆକ୍ରମଣରୁ ବର୍ତ୍ତି ନ ଥିଲେ । ସୂର୍ଯ୍ୟକୁମାର ୪୦ ବଲ୍ରୁ ୬୮ ରନ୍ କରି ପର୍ନେଲ୍ଙ୍କ ଆଉ ଏକ ଶିକାର ହୋଇଥିଲେ । ଶେଷ ଓଭର୍ରେ ଶାମୀ କୌଣସି ସ୍କୋର୍ ନ କରି ରନ୍ଆଉଟ୍ ହୋଇଯାଇଥିବା ବେଳେ ଭୁବନେଶ୍ୱର କୁମାର ୪ ଓ ଅର୍ଶଦୀପ ୨ ରନ୍ କରି ଅପରାଜିତ ଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୯ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା ।