ଦୟାକରି ଦେଶର ଗଣତନ୍ତ୍ରକୁ ବଞ୍ଚାନ୍ତୁ
କୋଲକତା (ଏଜେନ୍ସି): ‘ସାର୍ ପ୍ଲିଜ୍ ସେଭ୍ ଡେମୋକ୍ରାସି’ ଅର୍ଥାତ୍ ଦୟାକରି ଦେଶର ଗଣତନ୍ତ୍ରକୁ ବଞ୍ଚାନ୍ତୁ । ଏହା ଏବେ ଘୋର ବିପଦ ଦେଇ ଗତି କରୁଛି’ । ଯଦି ଏହି ପ୍ରକ୍ରିୟା ଆହୁରି କିଛି ସମୟ ଧରି ଜାରି ରୁହେ ତେବେ ଦେଶରେ ରାଷ୍ଟ୍ରପତି ଶାସନ ଜାରି ଭଳି ପରିସ୍ଥିତି ଉତ୍ପନ୍ନ ହୋଇଯିବ ।’ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ଦେଶର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ଏପ୍ରକାର ଏକ ବଡ଼ ଅନୁରୋଧ କରିଛନ୍ତି । କୋଲକତା ସ୍ଥିତ ନ୍ୟାସନାଲ ୟୁନିଭରସିଟି ସାଇନ୍ସେସ୍ (ଏନ୍ୟୁଜେଏସ୍)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ମମତା, ସିଜେଆଇଙ୍କୁ ଏହି ଅନୁରୋଧ କରିଛନ୍ତି । ସମାବର୍ତ୍ତନ କାର୍ଯ୍ୟକ୍ରମରେ ସିଜେଆଇ ଜଷ୍ଟିସ୍ ଲଳିତ ମଧ୍ୟ ଯୋଗଦେଇଥିଲେ । ପ୍ରକାଶ, ସିଜେଆଇ ଲଳିତ ସମ୍ପ୍ରତି ଏନ୍ୟୁଜେଏସ୍ର କୂୂଳପତି ରହିଛନ୍ତି ।
ମମତା, ନିୟମିତ ଭାବେ ଦେଶରେ ଲୋକତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ଡରାଇ ଧମକାଇ ଦବାଇଦେବାକୁ ବା ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଆସୁଛନ୍ତି । ଏବେ ଯେତେବେଳେ ଏନ୍ୟୁଜେଏସ୍ର ସମାବର୍ତ୍ତନ ସମାରୋହ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବାର ସୁଯୋଗ ମିଳିଛି, ସେତେବେଳେ ମମତା ପୁନର୍ବାର ଏହି ପ୍ରସଙ୍ଗକୁ ଉଠାଇବା ସହ ଚିନ୍ତାବ୍ୟକ୍ତ କରିଛନ୍ତି । ମମତା, ସିଜେଆଇଙ୍କ ଆଳରେ ଦେଶର ନ୍ୟାୟପାଳିକା ବ୍ୟବସ୍ଥାକୁ ଦେଶର ଲୋକତନ୍ତ୍ର ଏବଂ ସଂଘୀୟ ଢ଼ାଞ୍ଚାର ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ନ୍ୟାୟପାଳିକା ନିଜ ଆଡୁ ଆଗ୍ରହ ଦେଖାଉ ବୋଲି ଅପିଲ୍ କରିଛନ୍ତି । ଏପରି ନହେଲେ ନ୍ୟାୟପାଳିକା ଉପରୁ ଦେଶବାସୀଙ୍କ ବିଶ୍ୱାସ ତୁଟିଯିବ । ଦେଶବାସୀଙ୍କୁ ଅନ୍ୟାୟ, ଅନୀତିରୁ ବଞ୍ଚାଇବା ଦିଗରେ ନ୍ୟାୟପାଳିକାକୁ ହିଁ ଆଗକୁ ଆସିବାକୁ ହେବ । ଘରର ଚାରି କାନ୍ଥ ମଧ୍ୟରେ ବସି ଅହରହ କାନ୍ଦୁଥିବା ଦେଶବାସୀଙ୍କ ମର୍ମଭେଦୀ କାନ୍ଦଣା ତଥା ସ୍ୱରକୁ ନ୍ୟାୟପାଳିକାକୁ ହିଁ ଶୁଣିବାକୁ ହେବ ।
ସିଜେଆଇଙ୍କୁ ଅବଗତ କରାଇବା ଉଦେ୍ଦଶ୍ୟରେ ମମତା କହିଛନ୍ତି, ବର୍ତ୍ତମାନ ସମୟରେ ଆଇନ୍ କାନୁନ୍ ବ୍ୟବସ୍ଥାକୁ ଗୌଣ କରିଦିଆଯାଉଛି । ଆଇନ୍ କାନୁନ୍କୁ ଏକ ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିବିଶେଷ ନିଜର ପୈତୃକ ସମ୍ପତ୍ତି ଭାବେ ବ୍ୟବହାର କରୁଛନ୍ତି । କୋର୍ଟରେ ମାମଲାର ଶୁଣାଣି ହେବା ପୂର୍ବରୁ ହିଁ ବହୁତ୍ କିଛି ଘଟିଯାଉଛି । ଯେକୌଣସି ବ୍ୟକ୍ତିକୁ ହାରାସ୍ମେଣ୍ଟ କରାଯାଉଛି, ମିଥ୍ୟା ଅଭିଯୋଗ ଲଗାଇଦିଆଯାଉଛି । ଏପରିକି ଦଣ୍ଡିତ ମଧ୍ୟ କରାଯାଉଛି । ସେମାନେ କ’ଣ ଯାହାକୁ ନାହିଁ ତା’କୁ ଏପ୍ରକାର ଅଭିଯୁକ୍ତ ଦର୍ଶାଇପାରିବେ? ଆମ ସମ୍ମାନ ଆମ ପାଇଁ ସବୁଠୁ ଇଜ୍ଜତ । ଥରେ ଇଜ୍ଜତ ଲୁଟିନେଲେ ଆମ ପାଖରେ ଆଉ କିଛି ବି ବଞ୍ଚôବ ନାହିଁ । ସବୁକିଛି ଶେଷ ହୋଇଯିବ । ଯଦି ସେ କିଛି ଭୁଲ୍ କହୁଛନ୍ତି ତେବେ ସେ ଏଥିପାଇଁ କ୍ଷମାପ୍ରାର୍ଥନା କରୁଛନ୍ତି ବୋଲି ମଧ୍ୟ ମମତା ସିଜେଆଇଙ୍କୁ କହିଛନ୍ତି ।