ଭାରତ ହେବ ପ୍ରମୁଖ ଉତ୍ପାଦକ
ବଡ଼ୋଦରାରେ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର
ବଡ଼ୋଦରା (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ବଡ଼ଦୋରା ଠାରେ ସି-୨୯୫ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ୍ ଉତ୍ପାଦନ ପ୍ଲାଣ୍ଟର ମୂଳଦୁଆ ସ୍ଥାପନ କରିଛନ୍ତି । ନିଜ ଭାଷଣରେ ମୋଦି କହିଛନ୍ତି, ଆଗାମୀ ଦିନରେ ଭାରତ ପରିବହନ ବିମାନର ଏକ ପ୍ରମୁଖ ଉତ୍ପାଦକ ସାବ୍ୟସ୍ତ ହେବ । ଭାରତ ମଧ୍ୟ ସବୁଠୁ ବଡ଼ ଟ୍ରାନ୍ସପୋର୍ଟ ଏବଂ ପାସେଞ୍ଜର ଏୟାରକ୍ରାଫ୍ଟ ନିର୍ମାଣ କରିବ ଏବଂ ସମଗ୍ର ବିଶ୍ୱ ଭାରତ ଠାରୁ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସେ ଆଶାବାଦୀ ରହିଛନ୍ତି । ଭାରତ ଏବେ ମେକ୍ ଇନ୍ ଇଣ୍ଡିଆ ସହ ମେକ୍ ଫର ଗ୍ଲୋବାଲ୍ ମନ୍ତ୍ର ଉପରେ ଆଗକୁ ବଢ଼ୁଛି ବୋଲି ମୋଦି କହିଛନ୍ତି । ମୋଦିଙ୍କ କହିବାନୁସାରେ ଆଜି ଆମେ ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଉତ୍ପାଦନ କେନ୍ଦ୍ର ଭାବେ ପରିଣତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଉଛୁ । ଆଜି ଭାରତ ନିଜର ଯୁଦ୍ଧ ବିମାନ, ଟ୍ୟାଙ୍କ, ବୁଡ଼ାଜାହାଜ ଆଦି ନିଜସ୍ୱ ଜ୍ଞାନକୌଶଳରେ ତିଆରି କରୁଛି । ଭାରତ ଏବେ ଅନ୍ୟ ଦେଶକୁ ନିଜ ଉତ୍ପାଦିତ ସାମରିକ ସରଞ୍ଜାମ ବିକ୍ରି କରିବା ଦିଗରେ ମଧ୍ୟ ବେଶ୍ ଆଗକୁ ବଢ଼ିଛି । ଭାରତ ଠାରୁ ସାମରିକ ସରଞ୍ଜାମ କିଣିବା ପାଇଁ ଅନେକ ଦେଶ ଏବେ ଆଗ୍ରହ ଦେଖାଉଛନ୍ତି । କେବଳ ଏତିକି ନୁହେଁ, ଭାରତରେ ନିର୍ମିତ ଔଷଧ ଏବଂ ଟିକା ମଧ୍ୟ ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇ ସମସ୍ତଙ୍କ ପାଇଁ ବିଶ୍ୱାସଯୋଗ୍ୟ ହୋଇପାରିଛି । ପ୍ରକାଶ, ଏହି ପ୍ଲାଣ୍ଟରୁ ହିଁ ଭାରତ ସି-୨୯୫ କାର୍ଗୋ ବିମାନ ବା ପରିବହନ ପାଇଁ ଉଦ୍ଦିଷ୍ଟ ବିମାନର ନିର୍ମାଣ କରିବ । ଦେଶର ଏୟାରଲାଇନ୍ସ କମ୍ପାନୀ ଟାଟା ଏବଂ ୟୁରୋପୀୟ କମ୍ପାନୀ ଏୟାରବସ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଅନୁସାରେ ଉଭୟ କମ୍ପାନୀ ମିଳିତ ଭାବେ ଏଠାରେ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ନିର୍ମାଣ କରିବେ । ପ୍ରତିରକ୍ଷା ସଚିବ ଅରମାନ ଗିରିଧରଙ୍କ ଅନୁଯାୟୀ, ଏହି ପ୍ଲାଣ୍ଟରୁ ପ୍ରାୟ ୪ଠଟି ଏୟାରକ୍ରାଫ୍ଟ ବିମାନ ଉତ୍ପାଦନ କରାଯିବାର ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ଏତଦ୍ବ୍ୟତୀତ ଏହି ପ୍ଲାଣ୍ଟରୁ ଭାରତୀୟ ବାୟୁସେନା ପାଇଁ ମଧ୍ୟ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ବିମାନ ଉତ୍ପାଦନ କରାଯିବ । ଏତଦ୍ବ୍ୟତୀତ ମେକ୍ ଇନ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଏହି ପ୍ଲାଣ୍ଟରେ କିଛି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ପ୍ରସ୍ତୁତ କରାଯିବ ଯାହାକି ଅନ୍ୟ ଦେଶକୁ ଭାରତ ବିକ୍ରି କରିପାରିବ । ଟାଟା ଏବଂ ଏୟାରବସ୍ ମଧ୍ୟରେ ଏପ୍ରକାର ପ୍ରାୟ ୪ଠଟି ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ କରାଯିବା ନେଇ ୨ଠ୨୧ରେ ହିଁ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଥିଲା । ଏହି ପ୍ରକଳ୍ପ ପାଇଁ ମୋଟ୍ ୨୧,୯୩୫ କୋଟି ଟଙ୍କା ବ୍ୟୟବରାଦିତ କରାଯାଇଛି । ପ୍ରକଳ୍ପ ଅନ୍ତର୍ଗତ ଏୟାରବସ୍ ଠାରୁ ଭାରତ ୫୬ଟି ସି-୨୯୫ ଏୟାରକ୍ରାଫ୍ଟ କିଣିବ ଏବଂ ବାକି ୪ଠଟି ଏୟାରକ୍ରାଫ୍ଟ ଗୁଜରାଟର ଏହି ପ୍ଲାଣ୍ଟରେ ନିର୍ମାଣ କରାଯିବ । ୨ଠ୨୫ ସୁଦ୍ଧା ଭାରତକୁ ପ୍ରାୟ ୧୬ଟି ସି-୨୯୫ ଏୟାର କ୍ରାଫ୍ଟ ହସ୍ତାନ୍ତର କରିବ ବୋଲି ଏୟାରବସ୍ ପ୍ରତିଶ୍ରୁତି ଦେଇଛି ।