ବିକାଶର ନୂଆ ସୋପାନରେ ବରଗଡ଼
ଭୁବନେଶ୍ୱର, ୨୯ା୧୦ (ବୁ୍ୟରୋ): ଓଡିଶାରେ ଆଜି ବିକାଶର ମାର୍ଗ ପ୍ରଶସ୍ତ ହୋଇଛି । ବିକାଶର ଗତି ମଧ୍ୟ କ୍ଷୀପ୍ର ହୋଇଛି । ସବୁଠାରେ ବିକାଶର ପଦଚିହ୍ନ ସୁସ୍ପଷ୍ଟ । କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ, ୫-ଟି ସ୍କୁଲ ରୂପାନ୍ତର, ସ୍ୱାସ୍ଥ୍ୟସେବା – ସବୁ କ୍ଷେତ୍ରରେ ଓଡିଶା ଆଜି ବିକାଶର ଏକ ନୂଆସ୍ତରରେ ଅଗ୍ରସର ହେଉଛି । ଏହି କ୍ରମରେ ଶନିବାର ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସମସ୍ତଙ୍କ ସହଯୋଗରେ ପଦ୍ମପୁର ଅଞ୍ଚଳ ବିକାଶର ଏକ ମଡେଲ ହୋଇପାରିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ।
ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି । ବିକାଶ ହେଉଛି ଆମ ପରିଚୟ । ଚାଷୀ, ମହିଳା, ଯୁବବର୍ଗଙ୍କୁ ସଶକ୍ତ କରି ସାରା ଓଡିଶାକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି । ପଦ୍ମପୁରର ଚାଷୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ । ତା ସହ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ କ୍ରପ ଇନ୍ସୁରାନ୍ସ ଟଙ୍କା ପାଇନାହାନ୍ତି । ଆପଣ ମାନେ ଜାଣନ୍ତି ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭରତ ସରକାରଙ୍କ ଯୋଜନା । ତେଣୁ ଭରତ ସରକାରଙ୍କ ସହ ଆପଣଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ମୁଁ ବାରମ୍ବାର ଚେଷ୍ଟା ଜାରି ରଖିଛି । ଏହାସହ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ ରାସ୍ତା କାମର ଶୁଭାରମ୍ଭ କରାଯିବା ସହ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।
ପ୍ରଭୁ ନୃସିଂହନାଥଙ୍କ ଆଶୀର୍ବାଦ ପଦ୍ମପୁର ମାଟିକୁ ପବିତ୍ର କରିଛି । ସ୍ଥାନୀୟ ଲୋକଙ୍କ ରୋଜଗାର ବଢାଇବା ପାଇଁ ଏ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ନୃସିଂହନାଥ ଓ ବେଦ ବରାହ ପୀଠର ବିକାଶ ପାଇଁ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ଶିକ୍ଷାର ବିକାଶରେ ୫-ଟି ସ୍କୁଲ ରୂପାନ୍ତର ବିଶେଷ ଭୂମିକା ନେଇଛି । ପଦ୍ମପୁରର ୩୦ ହାଇସ୍କୁଲର ରୂପାନ୍ତର ହୋଇଛି । ଆଉ ୪୪ ପାଇଁ କାମ ଆରମ୍ଭ ହୋଇଛି । ଏହା ସହ ପଦ୍ମପୁରର ୩ ବ୍ଲକ୍ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍ଘାଟିତ ହୋଇଛି । ଏଥିରେ ୨୦ କଲ୍ୟାଣମଣ୍ଡପ ସହ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।
କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଭଟଲୀ ବିଧାୟକ ସୁଷାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ ।