ବଢ଼ିଲା ଚିନି ରପ୍ତାନୀ କଟକଣା ଅବଧି

ଦରବୃଦ୍ଧି ନିୟନ୍ତ୍ରଣ ଦିଗରେ ଯତ୍ନବାନ୍ କେନ୍ଦ୍ର ସରକାର
ନୂଆଦିଲ୍ଲୀ (ଏଜେନ୍ସି): ବର୍ଦ୍ଧିତ ମହଙ୍ଗା ହାରକୁ ନିୟନ୍ତ୍ରଣ କରିବା ଦିଗରେ ଚେଷ୍ଟାରତ ଭାରତ ସରକାର ଚିନି ରପ୍ତାନୀ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଚିନି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇସାରିଥିବା ବେଳେ ଏବେ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ଭାରତ ସରକାର ଚିନି ରପ୍ତାନୀ ଉପରେ ଲାଗୁ କରାଯାଇଥିବା କଟକଣା ଅବଧିକୁ ଆହୁରି ବର୍ଷେ ଅର୍ଥାତ୍ ୨ଠ୨୩ ଅକ୍ଟୋବର ଶେଷ ଯାଏ ବଢ଼ାଇଦେଇଛନ୍ତି ।
ଚିନି ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ୍ ଦେଶ ଭାବେ ଏବଂ ବ୍ରାଜିଲ ପରେ ୨ୟ ସର୍ବବୃହତ୍ ରପ୍ତାନୀକାରୀ ଦେଶ ଭାବେ ବିଶ୍ୱସ୍ତରରେ ମାନ୍ୟତା ହାସଲ କରିଛି । ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ ଏବଂ ଦୁବାଇ ଭଳି ଦେଶ ଚିନି ପାଇଁ ଭାରତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏସବୁ ଦେଶ ଭାରତର ସବୁଠୁ ବଡ଼ ଗ୍ରାହକ ଭାବେ ଚିନି କ୍ରୟ କରିଥାନ୍ତି । ତେବେ ବେଶ୍ କିଛି ସମୟ ଧରି ଘରୋଇ ବଜାରରେ ଚିନି ମୂଲ୍ୟ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଭାରତ ସରକାର ଚଳିତ ବର୍ଷ ଜୁନ୍ ପହିଲାରୁ ୩୧ ଅକ୍ଟୋବର ଯାଏ ବିଦେଶକୁ ଚିନି ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ତେବେ ଏହି ସମୟ ସୁଦ୍ଧା ଦେଶରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ସ୍ଥିତିରେ କୌଣସି ସୁଧାର ଆସିନଥିବାରୁ କେନ୍ଦ୍ର ସରକାର କଟକଣା ଅବଧିକୁ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି ।
ଗତ ବର୍ଷ ଭାରତ ବହୁମାତ୍ରାରେ ଚିନି ବିଦେଶକୁ ରପ୍ତାନୀ କରିଥିଲା । ୨ଠ୨୧ରେ ଭାରତ ୭ଠ ଏଲଏମ୍ଟି (ଲକ୍ଷ ମେଟି୍ରକ୍ ଟନ୍) ଚିନି ରପ୍ତାନୀ କରିଥିବା ବେଳେ ୨ଠ୨୨ରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୮୨ ଏଲଏମ୍ଟି ଚିନି ରପ୍ତାନୀ କରିଛି । ତେବେ ଏତେ ବଡ଼ ପରିମାଣର ଚିନି ରପ୍ତାନୀ କରିବା ପରେ ପରେ ହିଁ କେନ୍ଦ୍ର ସରକାର ଚିନି ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ଅନୁସାରେ ଦେଶରେ ଏବେ ବି ୧୬ ମିଲିଅନ୍ ଚିନି ଅତିରିକ୍ତ (ସରପ୍ଲସ୍) ଭାବେ ମହଜୁଦ୍ ରହିଛି । ଅର୍ଥାତ୍ ବାର୍ଷିକ ଆବଶ୍ୟକ ଚିନି ତୁଳନାରେ ଅତିରିକ୍ତ ୧୬ ମିଲିଅନ୍ ଚିନି ଦେଶର ଚିନି ମିଲ୍ ତଥା କେନ୍ଦ୍ର ସରକାରଙ୍କ ଷ୍ଟକ୍ୟାର୍ଡରେ ଜମା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *